ଜଗନ୍ନାଥ ମନ୍ଦିରର ସମସ୍ତ ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ ଏଏସଆଇ ଦ୍ୱାରା କରାଯାଉଛି : କେନ୍ଦ୍ର ସଂସ୍କୃତିମନ୍ତ୍ରୀ

ନୂଆଦିଲ୍ଲୀ : ଶ୍ରୀମନ୍ଦିରର ଗର୍ଭଗୃହ,ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ ଏବଂ ରୋଷଘରର ସଂରକ୍ଷଣ ବ୍ୟବସ୍ଥାକୁ ନିୟମିତ ଭାବେ ଏଏସଆଇ ଦ୍ବାରା ତଦାରଖ କରାଯାଉଛି। ଆବଶ୍ୟକତା ଏବଂ ସମ୍ବଳର ଉପଲବ୍ଧତା ହେତୁ ମନ୍ଦିରର ସ୍ଥିତି ଭଲ ଅଛି | ପ୍ରାଚୀନ ସ୍ମାରକୀଗୁଡ଼ିକର ସଂରକ୍ଷଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଆବଶ୍ୟକତା। ସେହି ଆବଶ୍ୟକତା ଅନୁଯାୟୀ ମରାମତି କାମ ନିୟମିତ ଭାବେ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ୍। ଆଜି ରାଜ୍ୟସଭା ସଦସ୍ୟ ଡକ୍ଟର ଅମର ପଟ୍ଟନାୟକଙ୍କ  ପୁରୀ ଜଗନ୍ନାଥ ମନ୍ଦିର ସଂପର୍କିତ ଏକ ପ୍ରଶ୍ନର ଉତ୍ତରରେ ଏହା ସେ ପ୍ରକାଶ କରିଛନ୍ତି।

ଶ୍ରୀମନ୍ଦିରର ଗର୍ଭଗୃହ, ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ ଏବଂ ରୋଷଘରର ପୁନରୁଦ୍ଧାର କାର୍ଯ୍ୟ ସମାପ୍ତ ପାଇଁ ଧାର୍ଯ୍ୟ ସମୟସୀମା ଏବଂ ଏ ନେଇ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା କରାଯାଇଥିବା ଯାଞ୍ଚର ବିବରଣୀ ସଂପର୍କରେ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଜାଣିବାକୁ ଚାହିଁଥିଲେ ରାଜ୍ୟସଭା ସାଂସଦ। ୨୦୧୯ ଏବଂ ୨୦୨୦ରେ ଜଗନ୍ନାଥ ମନ୍ଦିର ଏବଂ ଏହା ଉପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବି ପ୍ରଶ୍ନ କରିଥିଲେ ଡକ୍ଟର ପଟ୍ଟନାୟକ।

ଏହାର ଉତ୍ତରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି, ଶ୍ରୀମନ୍ଦିରର ଗର୍ଭ ଗୃହ,ଜଗମୋହନ, ନାଟମଣ୍ଡପ, ଭୋଗ ମଣ୍ଡପ ଏବଂ ରୋଷଘରର ସଂରକ୍ଷଣ ବ୍ୟବସ୍ଥାକୁ ନିୟମିତ ଭାବେ ଏଏସଆଇ ଦ୍ବାରା ତଦାରଖ କରାଯାଉଛି। ପ୍ରାଚୀନ ସ୍ମାରକୀଗୁଡ଼ିକର ସଂରକ୍ଷଣ କାର୍ଯ୍ୟ ଏକ ନିରନ୍ତର ପ୍ରକ୍ରିୟା ଏବଂ ଆବଶ୍ୟକତା। ସେହି ଆବଶ୍ୟକତା ଅନୁଯାୟୀ ମରାମତି କାମ ନିୟମିତ ଭାବେ ଜାରି ରହିଛି।

ଏହାଛଡ଼ା ଏଏସଆଇର ସ୍ଥାନୀୟ କାର୍ଯ୍ୟାଳୟ, ଦିଲ୍ଲୀ ମୁଖ୍ୟାଳୟ ଏବଂ ବୈଷୟିକ ସଦସ୍ୟମାନେ ଜଗନ୍ନାଥ ମନ୍ଦିରକୁ ଯାଇ ନିୟମିତ ସ୍ଥିତି ଯାଞ୍ଚ କରନ୍ତି। ମରାମତି ପାଇଁ ମିଳିଥିବା ପରାମର୍ଶ ଅନୁଯାୟୀ, ପ୍ରତ୍ନତାତ୍ତ୍ୱିକ ବିଭାଗର ନିୟମ ମଧ୍ୟରେ ପୁନଃନିର୍ମାଣ, ପ୍ଲାଷ୍ଟର, ଡ୍ରେନେଜ୍, ମନିଟରିଂ ଇତ୍ୟାଦି କାର୍ଯ୍ୟକାରୀ କରାଯାଏ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର