ରାଜ୍ୟ ମାନ୍ୟତା, ଧାରା ୩୭୦ ଲାଗୁ ନ କଲେ ନିର୍ବାଚନ ଲଢିବୁ ନାହିଁ : କେନ୍ଦ୍ର ସରକାରଙ୍କୁ ଜମ୍ମୁ ଓ କଶ୍ମୀର ନେତାଙ୍କ ଚରମବାଣୀ

ଶ୍ରୀନଗର : ପୁଣି ରାଜ୍ୟ ମାନ୍ୟତା, ଧାରା ୩୭୦ ଲାଗୁ ପାଇଁ ଅଡ଼ି ବସିଛନ୍ତି ଜମ୍ମୁ ଓ କଶ୍ମୀରର ନେତାମାନେ । ଏପରି ନ ହେଲେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଗୁପକାର ମେଣ୍ଟର ସଦସ୍ୟମାନେ କହିଛନ୍ତି ।

କେନ୍ଦ୍ର ସରକାର ଆଗ ବିଧାନସଭା ନିର୍ବାଚନ ଓ ତା ପରେ ରାଜ୍ୟମାନ୍ୟତା ପାଇଁ ପ୍ରସ୍ତାବ ଦେଇଥିବାବେଳେ ଘାଟିର ନେତାମାନେ ଆଗ ରାଜ୍ୟ ମାନ୍ୟତା, ଧାରା ୩୭୦ ଲାଗୁ ଓ ତାପରେ ନିର୍ବାଚନ ପାଇଁ ଦାବି କରୁଛନ୍ତି ।

ନ୍ୟାସନାଲ କନଫରେନ୍ସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି ଯେ ଯଦି କେନ୍ଦ୍ର ସରକାର ନିର୍ବାଚନ ଆୟୋଜନ କରିବାକୁ ଚାହୁଁଛନ୍ତି, ତେବେ ଆଗ ରାଜ୍ୟ ମାନ୍ୟତା ଦିଅନ୍ତୁ । ସେ କହିଛନ୍ତି ଯେ ରାଜ୍ୟ ମାନ୍ୟତା ଓ ଧାରା ୩୭୦ ଲାଗୁ ପାଇଁ ଯେତେ ଦିନ ଲାଗୁ ପଛେ ମେଣ୍ଟ ପଛକୁ ହଟିବ ନାହିଁ ।

ଅନ୍ୟପକ୍ଷରେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଓ ଧାରା ୩୫ଏ ଲାଗୁ ନ ହେବା ପର୍ୟ୍ୟନ୍ତ ସେ ନିର୍ବାଚନ ଲଢିବେ ନାହିଁ । ସରକାର ଯଦି ନିର୍ବାଚନ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଲୋକମାନଙ୍କ ବିଶ୍ବାସଭାଜନ ହେବାକୁ ପଡ଼ିବ । ବିଶ୍ବାସଭାଜନ ପାଇଁ ରାଜ୍ୟମାନ୍ୟତା ଓ ଧାରା ୩୭୦ ଲାଗୁ ହେବା ଜରୁରୀ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର