ଆଫଗାନିସ୍ତାନରେ କଟକଣା କଠୋର, ଲୋକେ ଆତଙ୍କିତ

କାନ୍ଦାହାରରେ ଅଛନ୍ତି ଅଖୁନ୍ଦଜାଦା
କାର୍ଯ୍ୟକ୍ଷେତ୍ରକୁ ନଯିବା ପାଇଁ ମହିଳାଙ୍କୁ ଚେତାବନୀ
ଲୋକ ଗାୟକଙ୍କୁ ଗୁଳି କରି ହତ୍ୟା

କାବୁଲ : ଆଫଗାନିସ୍ତାନର ମୋଟ ୩୪ ପ୍ରଦେଶରୁ ୩୩ଟିରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଥବା ତାଲିବାନ ଏବେ ଅତି କଠୋର କଟକଣା ସବୁ ଲାଗୁ କରିବା ଆରମ୍ଭ କରିଛି। ଆଜିଠାରୁ ଇଣ୍ଟରନେଟ୍‌ ବ୍ୟବହାର ଉପରେ କଟକଣା ଆରମ୍ଭ ହୋଇଛି ଏବଂ ପ୍ରଥମେ ବିଦ୍ରୋହୀଙ୍କ ଦଖଲରେ ଥିବା ପଂଜଶୀରରେ ଇଣ୍ଟରନେଟ୍‌ ବ୍ୟାନ୍‌ କରାଯାଇଛି। ଯେଉଁ ଅଂଚଳରେ ବି ତାଲିବାନ ଶାସନ ବିରୋଧରେ ପ୍ରତିବାଦର ସ୍ବର ଉଠିବ ସେଠି ତତ୍କାଳ ଇଣ୍ଟରନେଟ୍‌ ଏବଂ ମେସେଜ ସେବା ବନ୍ଦ କରାଯିବ ବୋଲି ତାଲିବାନ ଘୋଷଣା କରିଛି। ପଂଜଶୀରରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲାହ ବିରୋଧୀମାନଙ୍କୁ ସଂଗଠିତ କରୁଥିବାରୁ ଏହାକୁ ରୋକିବା ପାଇଁ ତାଲିବାନ ଇଣ୍ଟରନେଟ୍‌ ସେବା ସଂପୂର୍ଣ୍ଣ ବନ୍ଦ କରିଛି। ଏହା ସହିତ ମହିଳାଙ୍କ ସ୍ବାଧୀନତାକୁ ଆହୁରି ସଙ୍କୁଚିତ କରିଦିଆଯାଇଛି।

ସ୍ବାସ୍ଥ୍ୟସେବାକୁ ବାଦ ଦେଇ ଅନ୍ୟ ବିଭାଗଗୁଡ଼ିକରେ ପୂର୍ବରୁ କାର୍ଯ୍ୟ କରୁଥିବା ମହିଳା କର୍ମଚାରୀମାନେ ସେମାନଙ୍କ କାର୍ଯ୍ୟସ୍ଥଳକୁ ଯାଇପାରିବେ ନାହିଁ ବୋଲି ଆଜି ତାଲିବାନ ଘୋଷଣା କରିଛି। ତାଲିବାନର ସର୍ବୋଚ୍ଚ ନେତା ହବିତୁଲ୍ଲା ଅଖୁନ୍ଦଜାଦା ଏବେ କାନ୍ଦାହାରର କୌଣସି ଗୁପ୍ତ ସ୍ଥାନରେ ରହି ସରକାର ଗଠନ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେଉଥିବା ଖବର ମିଳିଛି। ଇତିମଧ୍ୟରେ ତାଲିବାନର ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ତାଲିବାନ ଆତଙ୍କବାଦୀମାନେ ଦେଶର ଜଣାଶୁଣା ଲୋକ ଗାୟକ ଫୱାଦ ଅନ୍ଦାରାବିଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଗତରାତିରେ ତାଙ୍କୁ ତାଲିବାନ ହତ୍ୟା କରିଥିବା ନେଇ ବିଭିନ୍ନ ଅନ୍ତର୍ଜାତୀୟ ସମ୍ବାଦ ସରବରାହ ସଂସ୍ଥା ରିପୋର୍ଟ କରିଛନ୍ତି। କାବୁଲଠାରୁ ୬୦ କିମି ଦୂରରେ ଅବସ୍ଥିତ ବାଘିଆନରେ ଫୱାଦଙ୍କୁ ହତ୍ୟା କରାଯାଇଥିବା ପରିବାର ସୂତ୍ରରୁ ପ୍ରକାଶ। ତାଲିବାନ ଟାର୍ଗେଟ୍‌ରେ ଏବେ ହଜାର ହଜାର ପୂର୍ବତନ ସରକାରୀ କର୍ମଚାରୀ ରହିଛନ୍ତି।

ସମ୍ବନ୍ଧିତ ଖବର