ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ କୌଣସି କର୍ମଚାରୀ ତୃତୀୟ ପକ୍ଷ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟ୍ୱର୍କ (ଭିପିଏନ୍) ଓ କ୍ଲାଉଡ୍ ସେବା ଆଦିକୁ ବ୍ୟବହାର କରିପାରିବେ ନାହିଁ। ଏହା ଉପରେ ସରକାର କଟକଣା ଜାରି କରିଛନ୍ତି। ନର୍ଡ ଭିପିଏନ୍, ଏକ୍ସପ୍ରେସ୍ ଭିପିଏନ୍ ଓ ଟୋର୍ ଆଦିକୁ ନିଷିଦ୍ଧ କରାଯାଇଛି।
ଭିପିଏନ୍ ସଂସ୍ଥାଗୁଡ଼ିକ ଭାରତରେ କିଭଳି ପରିଚାଳିତ ହେବା ଦରକାର ତାହାକୁ ନେଇ ସରକାରୀ ସଂସ୍ଥା ଇଣ୍ଡିଆନ କମ୍ପ୍ୟୁଟର ଏମର୍ଜେନ୍ସି ରେସ୍ପନ୍ସ ଟିମ୍ (ସିଇଆର୍ଟି-ଆଇଏନ୍) ପକ୍ଷରୁ କିଛି ଦିନ ପୂର୍ବେ ଏକ ନିର୍ଦେଶାବଳୀ ଜାରି କରାଯାଇଥିଲା। ତାହା ଉପରେ ଆପତ୍ତି ଉଠାଇ ଏକ୍ସପ୍ରେସ୍ଭିପିଏନ୍, ସର୍ଫସାର୍କ ଓ ନର୍ଡଭିପିଏନ୍ ଭଳି ସଂସ୍ଥା ଭାରତରେ ସେମାନଙ୍କ ସେବା ବନ୍ଦ କରିବାକୁ ଧମକ ଦେଇଥିଲେ। ତାହାକୁ ଦୃଷ୍ଟିରେ ରଖି ସରକାର ନିଜର କର୍ମଚାରୀମାନଙ୍କ ପାଇଁ ଭିପିଏନ୍ ବ୍ୟବହାରକୁ ବନ୍ଦ କରିଛନ୍ତି। କୌଣସି ଗୁରୁତ୍ବପୂର୍ଣ୍ଣ, ଆଭ୍ୟନ୍ତରୀଣ, ନିଷିଦ୍ଧ ଓ ଗୋପନୀୟ ସରକାରୀ ଫାଇଲ୍କୁ ଅଣ ସରକାରୀ କ୍ଲାଉଡ୍ ସେବା ଯଥା ଗୁଗୁଲ୍ ଡ୍ରାଇଭ୍ କିମ୍ବା ଡ୍ରପ୍ବକ୍ସରେ ସେଭ୍ ନକରିବାକୁ କର୍ମଚାରୀମାନଙ୍କୁ ସରକାର ନିର୍ଦେଶ ଦେଇଛନ୍ତି। ସରକାରୀ ଦସ୍ତାବିଜକୁ ସ୍କାନ୍ କରିବା ଲାଗି କ୍ୟାମ୍ସ୍କାନର ଭଳି କୌଣସି କୌଣସି ବାହ୍ୟ ମୋବାଇଲ୍ ଆପ୍ ଭିତ୍ତିକ ସ୍କାନ୍ ସେବାକୁ ବ୍ୟବହାର ନକରିବାକୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଅଧିନରେ ଥିବା ସଂସ୍ଥା ନ୍ୟାସନାଲ୍ ଇନଫର୍ମେଟିକ୍ସ ସେଣ୍ଟର୍ (ଏନ୍ଆଇସି) ପକ୍ଷରୁ କର୍ମଚାରୀମାନଙ୍କୁ କୁହାଯାଇଛି।
ନିଜ ମୋବାଇଲ୍ ଫୋନ୍କୁ ‘ଜେଲ୍ବ୍ରେକ୍’ କିମ୍ବା ‘ରୁଟ୍’ କରିବାକୁ ମଧ୍ୟ ସେମାନଙ୍କୁ ବାରଣ କରାଯାଇଛି। କ୍ୟାମ୍ସ୍କାନର ହେଉଛି ଚୀନ୍ର ଏକ ଆପ୍ ଯାହାକୁ ୨୦୨୦ ଜୁଲାଇରେ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ଲଦାଖର ଗଲୱାନ ଘାଟିରେ ଚୀନ୍ ସେନା ସହ ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ସରକାର ଚୀନ୍ର ଟିକ୍ଟକ୍ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ଆପ୍କୁ ନିଷିଦ୍ଧ ଘୋଷଣା କରିଥିଲେ। ଦେଶର ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ ଆପ୍ଗୁଡ଼ିକୁ ନିଷିଦ୍ଧ କରାଯାଇଥିଲା। ସାରା ଦେଶରେ ଥିବା ସରକାରୀ କାର୍ଯ୍ୟାଳୟରେ ସାଇବର ନିରାପତ୍ତାକୁ ଦୃଢ଼ କରିବା ଲାଗି ଏକକ ସାଇବର ନିରାପତ୍ତା ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହି ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସମସ୍ତ ଅସ୍ଥାୟୀ, ଚୁକ୍ତି ଭିତ୍ତିକ ଓ ଆଉଟ୍ସୋର୍ସଡ୍ କର୍ମଚାରୀମାନଙ୍କୁ ମଧ୍ୟ କୁହାଯାଇଛି। ଏହି ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବାର ଦାୟିତ୍ବ ବିଭାଗ ମୁଖ୍ୟମାନଙ୍କୁ ପ୍ରଦାନ କରାଯାଇଛି। ଉଲ୍ଲଂଘନକାରୀଙ୍କ ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।
ଗତ ଏପ୍ରିଲ୍ ୨୮ରେ ସିଇଆର୍ଟି-ଇନ୍ ପକ୍ଷରୁ କୁହାଯାଇଥିଲା ଯେ ଭାରତରେ ସେବା ପ୍ରଦାନ କରୁଥିବା ଭିପିଏନ୍ କଂପାନିଗୁଡ଼ିକ ଗ୍ରାହକମାନଙ୍କ ନାମ, ଠିକଣା ଆଦିକୁ ସଂରକ୍ଷିତ ରଖୁଛନ୍ତି। ସେହି ପ୍ରଥାକୁ ରୋକିବା ଲାଗି ଯେଉଁ ଗାଇଡ୍ଲାଇନ୍ ଜାରି କରାଯାଇଥିଲା ତାହାକୁ ଏବେ କଡ଼ାକଡ଼ି ଲାଗୁ କରାଯିବ।