ଏପ୍ରିଲ ୧୪ ପରେ ଲକଡାଉନ ଶେଷହେବା ସମ୍ଭାବନା, କିନ୍ତୁ କଟକଣା ଜାରି ରହିବ : ରିପୋର୍ଟ

ନୂଆଦିଲ୍ଲୀ : ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଛି ଦେଶରେ ଲାଗୁ ହୋଇଥିବା ୨୧ ଦିନିଆ ଲକଡାଉନ । ଏହା ପରେ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ସରକାର ଏହି ଲକଡାଉନକୁ ଶେଷ କରୁଛନ୍ତି କିମ୍ବା ତାହାର ମିଆଦ ବଢାଉଛନ୍ତି ତାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସରକାର ଦୁଇଟି ବିକଳ୍ପ ଉପରେ ବିଚାର କରୁଛନ୍ତି । ଗୋଟିଏ ହେଉଛି ୧୪ ତାରିଖ ପରେ ଆଉ କିଛିଦିନ ପାଇଁ କଟକଣା ବଢାଇଦେବା କିମ୍ବା ୧୪ ତାରିଖରେ ଲକଡାଉନ ଶେଷ କରି କେବଳ ଅଧିକ ସଂକ୍ରମଣ ସଂଖ୍ୟା ଥିବା କ୍ଲଷ୍ଟରଗୁଡ଼ିକ ଉପରେ ଲକଡାଉନ ଜାରି କରିବା । ଶେଷ ବିକଳ୍ପ ଉପରେ ଅଧିକ ଗୁରୁତ୍ୱର ସହ ବିଚାର କରାଯାଉଛି ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ସମୟରେ ଲକଡାଉନ ଶେଷ କରିବା ପାଇଁ ଏକ ମିଳିତ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ । ତେବେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କଟକଣାକୁ ଆହୁରି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ ।
ଅନ୍ୟପକ୍ଷରେ ଦେଶବ୍ୟାପୀ ଥିବା ବିଭିନ୍ନ କରୋନା ହଟସ୍ପଟ ବ୍ୟତୀତ ଅନ୍ୟ ଅଞ୍ଚଳକୁ ଖୋଲିଦେବା ଲାଗି ମଧ୍ୟ ସରକାର ବିଚାର କରୁଛନ୍ତି । ସାରା ଦେଶରେ ଏବେ ୨୦ଟି ହଟସ୍ପଟ ଚିହ୍ନଟ କରାଯାଇଛି । ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର