ଭୋପାଳ: ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲାରେ କଫ୍ ସିରପ୍ ସେବନ କରି ନଅଜଣ ଶିଶୁଙ୍କ ମୃତ୍ୟୁ ହେବା ପରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମାନ ବ୍ୟାଚ୍ରୁ ସଂଗୃହୀତ ନମୁନା ପରୀକ୍ଷା କରିବା ପରେ ସେଥିରେ ମାତ୍ରାଧିକ ବିଷାକ୍ତ ରାସାୟନିକ ପଦାର୍ଥ ଡାଇଥାଇଲିନ୍ ଗ୍ଲାଇକୋଲ୍ (ଡିଇଜି) ଥିବା ଜଣାପଡ଼ିଛି। ଏହାପରେ ରାଜ୍ୟ ସରକାର ଶନିବାର କୋଲ୍ଡ୍ରିଫ୍ ନାମକ ଉକ୍ତ କଫ୍ ସିରପ୍ର ବିକ୍ରୟ ଓ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କେବଳ ମଧ୍ୟପ୍ରଦେଶ ନୁହେଁ, ତାମିଲନାଡ଼ୁ ସରକାର ମଧ୍ୟ ସମାନ ପଦକ୍ଷେପ ନେଇଛନ୍ତି।
ସୂଚନା ଅନୁଯାୟୀ, ତାମିଲନାଡୁର କାଞ୍ଚିପୁରମ୍ ଜିଲ୍ଲାର ସ୍ରେସାନ ଫାର୍ମାସ୍ୟୁଟିକାଲ୍ ଦ୍ୱାରା ଉତ୍ପାଦିତ ସିରପ୍ ‘ନନ୍-ଷ୍ଟାଣ୍ଡାର୍ଡ ଓ ଡିଫେକ୍ଟିଭ୍’ ବୋଲି ଅକ୍ଟୋବର ୨ ତାରିଖରେ ତାମିଲନାଡୁ ଡ୍ରଗ୍ସ କଣ୍ଟ୍ରୋଲ୍ ଡାଇରେକ୍ଟୋରେଟ୍ର ଏକ ପରୀକ୍ଷା ରିପୋର୍ଟରୁ ଜଣାପଡ଼ିଛି। ଶିଶୁଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟପ୍ରଦେଶ ସରକାର ତାମିଲନାଡୁ କର୍ତ୍ତୃପକ୍ଷଙ୍କୁ ଏହି ଔଷଧ ପ୍ରସ୍ତୁତ କରୁଥିବା ଫାର୍ମା କମ୍ପାନିର ତଦନ୍ତ କରିବାକୁ ଅନୁରୋଧ କରିଥିଲେ। ଶୁକ୍ରବାର ସକାଳେ ରାଜ୍ୟ ସରକାର ଅନୁସନ୍ଧାନ ରିପୋର୍ଟ ପାଇବା ପରେ ତୁରନ୍ତ ନିଷେଧାଦେଶ ଜାରି କରିଥିଲେ। ଏହି ନିଷେଧାଦେଶ ସମାନ କମ୍ପାନି ଦ୍ୱାରା ଉତ୍ପାଦିତ ଅନ୍ୟ ଉତ୍ପାଦ ଉପରେ ମଧ୍ୟ ଲାଗୁ ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ କୋଲ୍ଡ୍ରିଫ୍ ସିରପ୍ ନମୁନାରେ ୪୮.୬% ଡାଇଥାଇଲିନ୍ ଗ୍ଲାଇକୋଲ୍ ଅଛି ଯାହା ବୃକକ୍ ଓ ଯକୃତ ନଷ୍ଟର କାରଣ ହୋଇପାରେ। ଅଧିକାରୀମାନେ କହିଛନ୍ତି ଯେ, ଏହି ଔଷଧ ମାନବ ବ୍ୟବହାର ପାଇଁ ଅସୁରକ୍ଷିତ। ସମସ୍ତ ଉପଲବ୍ଧ ଷ୍ଟକ୍ ସିଲ୍ କରିବାକୁ ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନଷ୍ଟ କିମ୍ବା ବିକ୍ରୟ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଲଡ୍ରିଫ୍ ସିରପ୍ର ଅନ୍ୟ ସମସ୍ତ ବ୍ୟାଚ୍ ଜବତ କରାଯିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।
କଫ୍ ସିରପ୍ ଯୋଗାଣକାରୀଙ୍କ ବିରୋଧରେ ପଦକ୍ଷେପ, ଡ୍ରଗ୍ କଣ୍ଟ୍ରୋଲରଙ୍କୁ ନିଲମ୍ବିତ କଲା ରାଜସ୍ଥାନ
ଜୟପୁର, ୪/୧୦: ମୁଖ୍ୟମନ୍ତ୍ରୀଙ୍କ ମାଗଣା ଔଷଧ ଯୋଜନା ଅଧୀନରେ ବଣ୍ଟା ଯାଇଥିବା ନିମ୍ନମାନର କଫ୍ ସିରପ୍ ଖାଇବା ଯୋଗୁଁ ଦୁଇ ପିଲାଙ୍କ ମୃତ୍ୟୁ ଓ ଅନେକ ଅସୁସ୍ଥ ହେବା ପରେ ରାଜସ୍ଥାନ ସରକାର ଡ୍ରଗ୍ସ କଣ୍ଟ୍ରୋଲର ରାଜାରାମ ଶର୍ମାଙ୍କୁ ନିଲମ୍ବିତ କରିଛନ୍ତି ଏବଂ କେସନ୍ ଫାର୍ମା ଦ୍ୱାରା ଯୋଗାଇ ଦିଆଯାଉଥିବା ସମସ୍ତ ୧୯ଟି ଔଷଧର ବଣ୍ଟନକୁ ବନ୍ଦ କରିଦେଇଛନ୍ତି। ଅନେକ ବ୍ୟାଚ୍ ଗୁଣବତ୍ତା ପରୀକ୍ଷାରେ ବିଫଳ ହେବା ପରେ ରାଜ୍ୟ ସମସ୍ତ ଉତ୍ପାଦକଙ୍କଠାରୁ ଡେକ୍ସଟ୍ରୋମେଥୋରଫାନ୍ ଥିବା କାଶ ଔଷଧ ଯୋଗାଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି। ରାଜସ୍ଥାନ ମେଡିକାଲ୍ ସର୍ଭିସେସ୍ କର୍ପୋରେସନ୍ ଲିମିଟେଡ୍ ଅନୁଯାୟୀ, ୨୦୧୨ ମସିହାରୁ କେସନ୍ ଫାର୍ମାର ୧୦,୧୧୯ ନମୁନା ପରୀକ୍ଷା କରାଯାଇଛି, ଯେଉଁଥିରୁ ୪୨ଟି ନିମ୍ନମାନର ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ଘଟଣାର ବିସ୍ତୃତ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଔଷଧ କିପରି ମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ତାହା ଯାଞ୍ଚ କରିବାକୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ କମିଟିକୁ ଜନସ୍ୱାର୍ଥରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ଦୁଇ ବର୍ଷରୁ କମ୍ ବୟସର ପିଲାମାନଙ୍କଠାରେ ଡେକ୍ସଟ୍ରୋମେଥୋରଫାନ୍ ବ୍ୟବହାର ବିରୋଧରେ ସରକାର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି। ଶିଶୁ ଓ ଗର୍ଭବତୀ ମହିଳାଙ୍କ ପ୍ରତି ବିପଦ ବିଷୟରେ ଚେତାବନୀ ଦେଉଥିବା ଲେବଲ୍ ବର୍ତ୍ତମାନ ସମ୍ପୃକ୍ତ ଔଷଧ ଉପରେ ବାଧ୍ୟତାମୂଳକ କରାଯିବ। ସିଓପିଡି ପରି ଶ୍ୱାସକ୍ରିୟା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଉପରେ ମଧ୍ୟ ନିୟନ୍ତ୍ରଣ କରାଯାଉଛି ଏବଂ କାଶ ରୋଗର ଚିକିତ୍ସା ପାଇଁ ବିକଳ୍ପ ଔଷଧ ସୁପାରିସ କରାଯିବ। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ସହିତ କାଶ ଔଷଧ କାଶ ‘କୋଲଡ୍ରିଫ୍’ ଜଡିତ ଥିବା ଖବର ଆସିବା ପରେ ତାମିଲନାଡୁ ଓ ମଧ୍ୟପ୍ରଦେଶ ସରକାର ଅକ୍ଟୋବର ୧ରୁ ଏହାର ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ବଜାରରୁ ଉତ୍ପାଦକୁ ତୁରନ୍ତ ହଟାଇବାକୁ ଏବଂ ବର୍ତ୍ତମାନର ଷ୍ଟକ୍କୁ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/05/sfsfsxccxc-2025-10-05-04-26-53.jpg)
