ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଏକ ୨୬ ପୃଷ୍ଠାର ରିପୋର୍ଟରେ କାଞ୍ଚିପୁରମ୍-ସ୍ଥିତ ସ୍ରେସାନ ଫାର୍ମାସ୍ୟୁଟିକାଲରେ ଘୋର ଉଲ୍ଲଂଘନ ଏବଂ ଅପରିଚ୍ଛନ୍ନ ଅଭ୍ୟାସ ପ୍ରକାଶ ପାଇଛି, ଯାହାର କଫ୍‌ ସିରପ୍ ‘କୋଲଡ୍ରିଫ୍’ ମଧ୍ୟପ୍ରଦେଶରେ ୧୪ ଓ ରାଜସ୍ଥାନରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ସହିତ ଜଡିତ ଅଛି। ତାମିଲନାଡ଼ୁ ଔଷଧ ନିୟନ୍ତ୍ରଣ ବିଭାଗ ଦ୍ୱାରା କରାଯାଇଥିବା ନିରୀକ୍ଷଣରେ ଉତ୍ପାଦନ ପ୍ରକ୍ରିୟାରେ ୩୫୦ରୁ ଅଧିକ ତ୍ରୁଟି ଥିବା ଜଣାପଡ଼ିଛି। ଅଧିକାରୀମାନେ କହିଛନ୍ତି ଯେ, ଉଲ୍ଲଂଘନଗୁଡ଼ିକ ଅତ୍ୟନ୍ତ ଗୁରୁତର ଥିଲା ଏବଂ ଉତ୍ପାଦ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଫାର୍ମରେ ମୌଳିକ ସୁବିଧା, ଯୋଗ୍ୟ କର୍ମଚାରୀ ଓ ଉପଯୁକ୍ତ ପ୍ରକ୍ରିୟାର ଅଭାବ ରହିଛି।

Advertisment

ଇନ୍ସପେକ୍ଟରମାନେ ରିପୋର୍ଟ କରିଛନ୍ତି ଯେ, କୋଲଡ୍ରିଫ୍ କଫ୍‌ ସିରପ୍ ଅପରିଚ୍ଛନ୍ନ ଅବସ୍ଥାରେ ଉତ୍ପାଦିତ ହେଉଥିଲା, ଯେଉଁଥିରେ କୌଣସି ଏୟାର୍ ହ୍ୟାଣ୍ଡଲିଂ ୟୁନିଟ୍ ନ ଥିଲା ଏବଂ ଖରାପ ବାୟୁ ଚଳାଚଳ ବ୍ୟବସ୍ଥା ସହ ନଷ୍ଟ ହୋଇଯାଇଥିବା କିମ୍ବା କଳଙ୍କିଲଗା ଉପକରଣ ବ୍ୟବହୃତ ହେଉଥିଲା। ରିପୋର୍ଟରେ କୁହାଯାଇଛି ଯେ, ପ୍ଲାଣ୍ଟ ଲେଆଉଟ୍ ଓ ଡିଜାଇନ୍ ହିଁ ପ୍ରଦୂଷଣ ଓ ସଂକ୍ରମଣ ବିପଦରେ ସହାୟକ ହୋଇଛି। ଗୁଣବତ୍ତା ନିଶ୍ଚିତ କରିବା ପାଇଁ କୌଣସି ବିଭାଗ ନ ଥିଲା ଏବଂ ବ୍ୟାଚ୍ ରିଲିଜ୍ ତଦାରଖ କରିବା ପାଇଁ କୌଣସି ପ୍ରାଧିକୃତ ବ୍ୟକ୍ତିଙ୍କୁ ନିଯୁକ୍ତ କରାଯାଇ ନ ଥିଲା। ଉତ୍ପାଦକୁ ଫେରାଇ ଆଣିବା କିମ୍ବା ଗୁଣବତ୍ତା ବିଫଳତାକୁ ପରିଚାଳନା କରିବା ପାଇଁ କୌଣସି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (ଏସ୍‌ଓପି) ନଥିଲା।

ରିପୋର୍ଟରେ କୁହାଯାଇଛି ଯେ, ଫାର୍ମ ବିପଦକୁ ଏଡ଼ାଇବା ପାଇଁ କୌଣସି ଗାଉନ ପିନ୍ଧିବା ବ୍ୟବସ୍ଥା, ଜିଏମ୍‌ପି ଡ୍ରେନ୍, ବିଶୁଦ୍ଧ ଜଳ ବ୍ୟବସ୍ଥା, କୀଟନାଶକ ନିୟନ୍ତ୍ରଣ କିମ୍ବା ସଫେଇ ପ୍ରଣାଳୀ ପ୍ରଦାନ କରିନାହିଁ। ଉତ୍ପାଦଗୁଡିକ ସେହି ସ୍ଥାନରେ ଗଚ୍ଛିତ ରଖାଯାଉଥିଲା, ଯେଉଁଠାରେ ଏଏଚ୍‌ୟୁ (ଏୟାର୍ ହ୍ୟାଣ୍ଡଲିଂ ୟୁନିଟ୍‌) କାର୍ଯ୍ୟକ୍ଷମ ନ ଥିଲା, ଯାହା ଉତ୍ପାଦଗୁଡ଼ିକୁ ଧୂଳି ଓ ପ୍ରଦୂଷଣର ସମ୍ମୁଖୀନ କରିଥିଲା। ସବୁଠାରୁ ଉଦ୍ବେଗଜନକ କଥା ହେଉଛି, କମ୍ପାନି ବିନା ଇନ୍‌ଭଏସ୍‌ରେ ୫୦ କିଲୋଗ୍ରାମ୍ ପ୍ରୋପିଲିନ୍ ଗ୍ଲାଇକୋଲ୍ କିଣିଛି, ଯାହା ବେଆଇନ କ୍ରୟକୁ ସୂଚାଉଛି। ତଦନ୍ତକାରୀମାନେ ମଧ୍ୟ ଡାଇଥାଇଲିନ୍ ଗ୍ଲାଇକୋଲ୍ (ଡିଇଜି) ପାଇଥିଲେ ଯାହା ସିରପ୍‌ରେ ବ୍ୟବହାର କରାଯାଉଥିଲା। ଏହା ଏକ ଅତ୍ୟନ୍ତ ବିଷାକ୍ତ ଶିଳ୍ପ ଦ୍ରାବକ ଯାହା ପ୍ରାୟତଃ ବ୍ରେକ୍ ଫ୍ଲୁଇଡ୍, ରଙ୍ଗ ଓ ପ୍ଲାଷ୍ଟିକ୍‌ରେ ବ୍ୟବହୃତ ହୁଏ। ପ୍ରୋପିଲିନ୍ ଗ୍ଲାଇକୋଲ୍ ଖାଦ୍ୟ ଓ ପ୍ରସାଧନ ସାମଗ୍ରୀରେ ବ୍ୟବହୃତ ଏକ ଅପେକ୍ଷାକୃତ ନିରାପଦ ଶିଳ୍ପ ଦ୍ରାବକ, କିନ୍ତୁ ଡାଇଥାଇଲିନ୍ ଗ୍ଲାଇକୋଲ୍ (ଡିଇଜି) କିଛି ପରିମାଣରେ ମଣିଷ ପାଇଁ ଘାତକ। ପ୍ରୋପିଲିନ୍ ଗ୍ଲାଇକୋଲ୍ ବଦଳରେ ଡିଇଜି ବ୍ୟବହାର କରିବା ସମଗ୍ର ବିଶ୍ୱରେ ଗଣବିଷକ୍ରିୟା ଘଟଣାର ଏକ ଜଣାଶୁଣା କାରଣ, ଯେଉଁଥିରେ ନିକଟରେ ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଶିଶୁଙ୍କ ମୃତ୍ୟୁ ମଧ୍ୟ ଅନ୍ତର୍ଭୁକ୍ତ।

ଅଧିକାରୀମାନେ ଉଲ୍ଲେଖ କରିଛନ୍ତି ଯେ କମ୍ପାନି ତରଳ ଔଷଧ ଫର୍ମୁଲେସନ ସ୍ଥାନାନ୍ତର ପାଇଁ ପ୍ଲାଷ୍ଟିକ୍ ପାଇପ୍ ବ୍ୟବହାର କରିଥିଲା, କୌଣସି ଫିଲ୍ଟରେସନ୍ ସିଷ୍ଟମ୍ ନ ଥିଲା। ରାସାୟନିକ ବର୍ଜ୍ୟବସ୍ତୁକୁ ସିଧାସଳଖ ସାଧାରଣ ଡ୍ରେନ୍‌କୁ ଛଡ଼ାଯାଉଥିଲା। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ କାର୍ଯ୍ୟରେ ବ୍ୟବହୃତ ପାଣି ଟାଙ୍କି ଅପରିଷ୍କାର ଅବସ୍ଥାରେ ଥିଲା। କୀଟପତଙ୍ଗ କିମ୍ବା ମୂଷାଙ୍କ ପ୍ରବେଶକୁ ରୋକିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। କମ୍ପାନିରେ କୁଶଳୀ ମାନବସମ୍ବଳର ମଧ୍ୟ ଅଭାବ ଥିଲା। ବିଶ୍ଳେଷଣାତ୍ମକ ପରୀକ୍ଷା ପଦ୍ଧତି ଓ ସଫେଇ ବ୍ୟବସ୍ଥା ସହିତ ପ୍ରମୁଖ ଗୁଣବତ୍ତା ଯାଞ୍ଚ କଦାପି କରାଯାଉ ନ ଥିଲା। ଯାଞ୍ଚ ପରେ ତାମିଲନାଡୁ ସରକାର ଅକ୍ଟୋବର ପହିଲାରୁ ସାରା ରାଜ୍ୟରେ କଫ୍ ସିରପ୍ କୋଲଡ୍ରିଫ୍‌ର ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ବଜାରରୁ ସମସ୍ତ ଷ୍ଟକ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାତାଙ୍କଠାରୁ ସ୍ପଷ୍ଟୀକରଣ ମଗାଯାଇଛି ଏବଂ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କାରଖାନାରୁ ସମସ୍ତ ଉତ୍ପାଦନ ବନ୍ଦ ରଖାଯାଇଛି ବୋଲି ଅଧିକାରୀ କହିଛନ୍ତି।