କରୋନା ଯୋଗୁଁ ଦେଶର ବେକାରୀ ହାର ବଢିଲା, ସଂକଟରେ ଲକ୍ଷ ଲକ୍ଷ ନିଯୁକ୍ତି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧.୯ ପ୍ରତିଶତକୁ ଖସିଆସିବ ବୋଲି ଆଇଏମଏଫ ଅଟକଳ କରିଛି । କିନ୍ତୁ ଏହା ଦ୍ୱାରା ଭାରତର କୋଟି କୋଟି ଲୋକ ନିଯୁକ୍ତି ବା କର୍ମସଂସ୍ଥାନ ହରାଇବେ ବୋଲି ସେଣ୍ଟର ଫର ମନିଟରିଂ ଅଫ ଇଣ୍ଡିଆନ ଇକୋନୋମୀ (ସିଏମଆଇଇ) ପକ୍ଷରୁ କୁହାଯାଇଛି ।

ସିଏମଆଇଇ ପକ୍ଷରୁ କୁହାଯାଇଛି ଯେ ଲକଡାଉନ ଯୋଗୁଁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଭାରତର ବେକାରୀ ହାର ୨୩.୪ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ବର୍ଷ ଏହି ସମୟରେ ବେକାରୀ ହାର ୮.୪ ପ୍ରତିଶତ ଥିଲା । ସହରାଞ୍ଚଳରେ ବେକାରୀ ହାର ୩୦.୯ ପ୍ରତିଶତକୁ ଓ ଗ୍ରାମାଞ୍ଚଳରେ ୨୦.୨ ପ୍ରତିଶତକୁ ବୃଦ୍ଧି ପାଇଛି ।
ଇତି ମଧ୍ୟରେ ପ୍ରାୟ ୭୨ ନିୟୁତ ବା ୭ କୋଟି ୨୦ ଲକ୍ଷ ଲୋକ ଅସ୍ଥାୟୀଭାବେ କର୍ମସଂସ୍ଥାନ ହରାଇଛନ୍ତି । ସେହିପରି ଏସବିଆଇ ରିସର୍ଚ୍ଚର ପୂର୍ବାନୁମାନ ଅନୁସାରେ ଏହି ସଂକଟ ଯୋଗୁଁ ଖୁଚୁରା କ୍ଷେତ୍ରରେ ପ୍ରାୟ ୧ କୋଟି ୧୦ ଲକ୍ଷ ଲୋକ ଚାକିରି ହରାଇବେ । କେବଳ ଖୁଚୁରା କ୍ଷେତ୍ର ନୁହେଁ, ପର୍ଯ୍ୟଟନ, ଇ-କମର୍ସ, ରେଷ୍ଟୋରାଁ ଆଦି ଶିଳ୍ପ ବ୍ୟାପକ କ୍ଷତି ସହିବେ ।

ସେହିପରି କରୋନା ମହାମାରୀ ଫଳରେ ଭାରତୀୟ ବିମାନ ସେବା ଶିଳ୍ପରେ ପ୍ରାୟ ୨୯ ଲକ୍ଷ ୩୨ ହଜାର ନିଯୁକ୍ତି ଉପରେ ବିପଦ ଘନେଇ ଆସୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଗଠନ (ଆଇଏଟିଏ) ପକ୍ଷରୁ ଅଟକଳ କରାଯାଇଛି ।

ସମ୍ବନ୍ଧିତ ଖବର