ନୂଆଦିଲ୍ଲୀ: ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶର ମନ୍ଦିର ନଗରୀ ତିରୁପତି ବାହାରେ ଥିବା ରେଳ ଧାରଣା ଉପରୁ ଜଣେ ଅବସରପ୍ରାପ୍ତ ବିଚାରପତି ଏବଂ ତାଙ୍କ ପତ୍ନୀଙ୍କ ଶବ ଉଦ୍ଧାର କରାଯାଇଛି। କ୍ଷଣକ ମଧ୍ୟରେ ଜଣକ ପରେ ଜଣେ ଆତ୍ମହତ୍ୟା କରିଥିବା କଥା ପୁଲିସ କହୁଛି।
ରେଳବାଇ ପୁଲିସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍ ରମେଶ ବାବୁ କହନ୍ତି ୬୨ ବର୍ଷିୟ ପମୁରୁଲୁ ସୁଧାକର ଏବଂ ତାଙ୍କ ପତ୍ନୀ ୫୬ ବର୍ଷୀୟ ବରଲକ୍ଷ୍ମୀଙ୍କ ଖଣ୍ଡବିଖଣ୍ଡିତ ଶବ ତିରୁପତି ଠାରୁ ୧୦ କିଲୋମିଟର ଦୂର ରେନିଗୁଣ୍ଟା ଠାରେ ଅବସ୍ଥିତ ଜଡ଼ଲାବଡ଼ା ଇଞ୍ଜିନିୟରିଙ୍ଗ୍ କଲେଜ ପାଖ ଦେଇ ପଡ଼ିଥିବା ରେଳ ଧାରଣା ଉପରୁ ଉଦ୍ଧାର କରାଯାଇଛି। ଉଭୟ ଅଳ୍ପ କିଛି ଘଣ୍ଟା ବ୍ୟବଧାନରେ ମରିଥିବା ମନେହେଉଛି।
ଆଡିସ୍ନାଲ୍ ଡିଷ୍ଟ୍ରିକ୍ଟ୍ ଜଜ୍ ଭାବେ ଅବସର ଗ୍ରହଣ କରିଥିବା ସୁଧାକର ପୂର୍ବାହ୍ନରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହରାଇଥିବା ପୁଲିସ କହିଛି। ତାଙ୍କ ସ୍ୟୁସାଇଡ୍ ନୋଟ୍ରେ ସେ କହିଛନ୍ତି ଯେ ଦୀର୍ଘ ଦିନ ହେବ ବୃକ୍କ ବେମାରି ଜନିତ କଷ୍ଟ ଅସହ୍ୟ ହେବାରୁ ସେ ଜୀବନ ହାରୁଛନ୍ତି।
ବିୟୋଗାନ୍ତ ଖବର ଶୁଣି ବେଙ୍ଗାଲୁରୁରେ ସଫ୍ଟ୍େଓ୍ଵର୍ ପ୍ରଫେସ୍ନାଲ୍ ଭାବେ କାମ କରୁଥିବା ତାଙ୍କ ପୁଅ ସନ୍ଦୀପ ଏବଂ ଝିଅ ସବିତା ଘରକୁ ଆସୁଥିବା ବେଳେ ବରଲକ୍ଷ୍ମୀ ସେହି ସ୍ଥାନକୁ ଯାଇ ଏକା ଢଙ୍ଗରେ ଆତ୍ମହତ୍ୟା କଲେ ବୋଲି ଡିଏସ୍ପି କହିଛନ୍ତି।
ସୁଧାକର ଅବସର ଗ୍ରହଣ କରିବା ପରେ ସେ ଦମ୍ପତି ତିରୁଚନୁରୁ ଠାରେ ଏକଲା ଗୋଟିଏ ଆପାର୍ଟମେଣ୍ଟ୍ରେ ବାସ କରୁଥିଲେ। ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇ ମାମଲାର ତଦନ୍ତ ଚାଲିଥିବା କଥା ପୁଲିସ କହିଛି।