କାର୍ଗିଲ୍ ଯୁଦ୍ଧ ଜିତିଥିବା ମହମ୍ମଦ ସନାଉଲ୍ଲା ହାରିଗଲେ ନାଗରିକତା ଲଢ଼େଇ ! ହାଇକୋର୍ଟ ରାୟକୁ ଅପେକ୍ଷା କରିଛନ୍ତି ଏହି ଅବସରପ୍ରାପ୍ତ ସେନା ଅଧିକାରୀ

ଗୌହାଟି : ତଥାପି ଆଶା ହରାଇ ନାହାନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ମହମ୍ମଦ ସନାଉଲ୍ଲା।  ଆଜି ପ୍ରକାଶିତ ହୋଇଥିବା ଆସାମର ଚୂଡାନ୍ତ  ନ୍ୟାସନାଲ୍ ରେଜିଷ୍ଟର ଅଫ୍ ସିଟିଜେନ୍ସ (ଏନ୍ଆରସି) ତାଲିକାରେ ମହମ୍ମଦ ସନାଉଲ୍ଲାଙ୍କ ସହିତ ତାଙ୍କ ୨ ଝିଅ ଓ ପୁଅଙ୍କ ନାଁ ନାହିଁ । ଶେଷ ମୁହୂର୍ତରେ ତାଙ୍କ ନାମ ତାଲିକାରେ ସାମିଲ ହେବ ବୋଲି ସନାଉଲ୍ଲା ଆଶାବାଦୀ। ପ୍ରାଥମିକ ନାଗରିକ ତାଲିକାରୁ ବାଦ ପଡ଼ିବା ପରେ ସେ ଗୌହାଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲା ଏବେ ବିଚାରାଧିନ ରହିଛି।

୩୦ ବର୍ଷ ଧରି ଭାରତୀୟ ସେନାରେ ଚାକିରି କରିଥିଲେ ସନାଉଲ୍ଲା। ହେଲେ ଏବେ ଏନଆରସି ତାଲିକା ତାଙ୍କୁ ବନେଇ ଦେଇଛି ବିଦେଶୀ । ଚୂଡାନ୍ତ ତାଲିକାରେ ରହିଛି କେବଳ ତାଙ୍କ ପତ୍ନୀଙ୍କ ନାମ । ଗତ ମେ ମାସରେ ସନାଉଲ୍ଲାଙ୍କୁ ବିଦେଶୀ ବୋଲି ଘୋଷଣା କରିଥିଲେ ଫରେନରସ ଟ୍ରିବ୍ୟୁନାଲ । ଏହି ନିଷ୍ପତ୍ତି ବିରୋଧରେ ସେ ଗୌହାଟି ହାଇକୋର୍ଟରେ ମାମଲା ଦାୟର କରିଥିଲେ।

HT

ଫରେନରସ ଟ୍ରିବ୍ୟୁନାଲର ରାୟ ପରେ ତାଙ୍କୁ ଗିରଫ କରାଯାଇଥିଲା । ଗୌହାଟି ହାଇକୋର୍ଟରୁ ଜାମିନ୍ ମିଳିବା ପରେ ସେ ମୁକ୍ତ ହୋଇଥିଲେ । ଏବେ ଚୂଡାନ୍ତ ଏନଆରସି ତାଲିକା ଆସିବା ପରେ ସନା ଉଲ୍ଲାଙ୍କୁ ବିଦେଶୀ ତାଲିକାରେ ରଖାଯାଇଛି । ୧୯ ଲକ୍ଷ ଅଣ-ଭାରତୀୟଙ୍କ ତାଲିକାରେ  ପୂର୍ବତନ ସେନା ଅଧିକାରୀ ସନାଉଲ୍ଲାଙ୍କ ନାମ ରହିଛି । ସେ ୧୯୯୯ ରେ କାର୍ଗିଲ ଯୁଦ୍ଧ ଲଢି ରାଷ୍ଟ୍ରପତି ପଦକ ହାସଲ କରିଥିଲେ ।

୧୯୮୭ ମସିହାରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ ମହମ୍ମଦ ସନାଉଲ୍ଲା । ଚନ୍ଦ୍ରମାଲ ଦାସ ନାମକ ଜନୈକ ଅଧିକାରୀ ତାଙ୍କ ବିରୋଧରେ ତଦନ୍ତ ରିପୋର୍ଟରେ ବିଦେଶୀ ବୋଲି ଦର୍ଶାଇଥିଲେ । ଏହାକୁ ଆଧାର କରି ୨୦୦୮ରେ ତାଙ୍କୁ ଜାରି ହୋଇଥିଲା ନୋଟିସ୍ । ୨୦୧୮ ମେ ୨୩ ତାରିଖରେ ଫରେନରସ୍ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ବୋଲି ଘୋଷଣା କରିବା ପରେ ଗିରଫ ହୋଇଥିଲେ ସନାଉଲ୍ଲା । ଏବେ ଏନଆରସି ତାଲିକାରୁ ସେ ବାଦ୍ ପଡିବା ପରେ ଏହି ତାଲିକାକୁ ଫେରିବା କଷ୍ଟକର ହୋଇଯିବ । କାରଣ ଫରେନରସ ଟ୍ରିବ୍ୟୁନାଲ ତାଙ୍କୁ ବିଦେଶୀ ଘୋଷଣା କରିସାରିଛି । ହାଇକୋର୍ଟ ମଧ୍ୟ ଏହାକୁ ଖାରଜ କରିନାହାନ୍ତି ।

ସମ୍ବନ୍ଧିତ ଖବର