ନାବାଳିକା ସହ ଲିଫ୍ଟ ଭିତରେ ଅସଦାଚରଣ କରି ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଗିରଫ

ନୂଆଦିଲ୍ଲୀ: ଜନୈକା ୮ ବର୍ଷ ବୟସ୍କା ନାବାଳିକା ସହ ଅସଦାଚରଣ କରିବା ଅଭିଯୋଗରେ ଜଣେ ୭୦ ବର୍ଷ ବୟସ୍କ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ୍‌। ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ଲିଫ୍ଟ ଭିତରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣକ ସଂପୃକ୍ତା ନାବାଳିକା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଦ୍ୱାରକା ଅଞ୍ଚଳରେ ଥିବା ଯେଉଁ ଆପାର୍ଟମେଣ୍ଟରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣକ ରୁହନ୍ତି ସେହି ଆପାର୍ଟମେଣ୍ଟରେ ପୀଡ଼ିତା ନାବାଳିକା ଜଣକ ମଧ୍ୟ ନିଜର ପରିବାର ସହିତ ରୁହେ। ତେବେ, ୧୧ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ଆପାର୍ଟମେଣ୍ଟରେ ଥିବା ଲିଫ୍ଟରେ ଆସୁଥିବା ବେଳେ ସେହି ଲିଫ୍ଟରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣକ ମଧ୍ୟ ଆସୁଥିଲେ। ଏହି ସୁଯୋଗରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣକ ଲିଫ୍ଟ ଭିତରେ ନାବାଳିକା ଜଣଙ୍କୁ କୁଣ୍ଢାଇଧରି ତାଙ୍କର ସମ୍ବେଦନଶୀଳ ଅଙ୍ଗରେ ହାତ ମାରିବା ସହ ବଳପୂର୍ବକ ତାଙ୍କ ସହ ଅସଦାଚରଣ କରିଥିଲେ। ତେବେ, ନାବାଳିକା ଜଣକ ଘରକୁ ଆସି ଘଟଣା ସଂପର୍କରେ କହିବା ପରେ ନାବାଳିକାର ପିତାମାତା ଯାଇ ଘଟଣା ସଂପର୍କରେ ଦ୍ୱାରକା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପରେ, ପୁଲିସ୍‌ ଯେତେବେଳେ ସଂପୃକ୍ତ ଆପାର୍ଟମେଣ୍ଟକୁ ଆସି ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କଲା, ସେତେବେଳେ ପୁଲିସ୍‌ ଜାଣିବାକୁ ପାଇଲା ଯେ ଅଭିଯୁକ୍ତ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣଙ୍କ ଦ୍ୱାରା କେବଳ ଏହି ନାବାଳିକା ନୁହେଁ; ବରଂ ସେହି ଆପାର୍ଟମେଣ୍ଟରେ ରହୁଥିବା ଆହୁରି ବହୁ ଯୁବତୀ ଓ ବିବାହିତ ମହିଳା ମଧ୍ୟ ତାଙ୍କ ଦ୍ୱାରା ବିଭିନ୍ନ ସମୟରେ ବହୁବାର ଏହିପରି ଢ଼ଙ୍ଗରେ ଲିଫ୍ଟ ମଧ୍ୟରେ ଅସଦାଚରଣର ଶିକାର ହୋଇଛନ୍ତି। ତେବେ, ଲୋକଲଜ୍ଜା ଭୟରେ ସେମାନେ ଏସଂପର୍କରେ ନିରବ ରହୁଥିବାର ସୁଯୋଗ ନେଇ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଣକ ଏହାକୁ ନିଜର ଏକ ଅଭ୍ୟାସରେ ପରିଣତ କରି ଦେଇଥିଲେ। ଏପରି ବହୁ ଅଭିଯୋଗ ପାଇବା ପରେ ପୁଲିସ୍‌ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରିଛି। ଅଭିଯୁକ୍ତ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ପତ୍ନୀ ଓ ପରିବାର ବିଦେଶରେ ରହୁଥିବା ବେଳେ ସେ ଏକୁଟିଆ ଏହି ଆପାର୍ଟମେଣ୍ଟରେ ରହୁଥିଲେ ଏବଂ ଏହାର ସୁଯୋଗ ନେଇ ସେ ମହିଳା ଓ ଯୁବତୀମାନଙ୍କ ସହ ଅସଦାଚରଣ କରୁଥିଲେ ବୋଲି କହିଛି ପୁଲିସ୍‌।

ସମ୍ବନ୍ଧିତ ଖବର