ଚାଇନିଜ କମ୍ପାନିଠାରୁ କ୍ରୟ କରାଯାଇଥିବା ୫ଲକ୍ଷ ଟେଷ୍ଟ କିଟକୁ ଫେରାଇବା ପାଇଁ ରାଜ୍ୟମାନଙ୍କୁ କହିଲା ଆଇସିଏମଆର

ନୂଆଦିଲ୍ଲୀ: ଭାରତରେ କୋଭିଡ୍ -୧୯ ଚିକିତ୍ସା ଏବଂ ପ୍ରଣାଳୀ ନିର୍ଦ୍ଧାରଣ ପାଇଁ ଥିବା ନୋଡାଲ୍ ସଂସ୍ଥା ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମଆର), ଚାଇନିଜ କମ୍ପାନିଠାରୁ କ୍ରୟ କରାଯାଇଥିବା ୫ଲକ୍ଷ ଟେଷ୍ଟ କିଟର ଫଳାଫଳ ସନ୍ତୋଷଜନକ ନ ଥିବାରୁ ଦ୍ରୁତ ଆଣ୍ଟିବଡି ପରୀକ୍ଷା କିଟ୍ ଫେରସ୍ତ କରିବାକୁ ରାଜ୍ୟ ସରକାରମାନଙ୍କୁ କହିଛି।

ସୂଚନା ମୁତାବକ, ଚୀନର ଦୁଇଟି କମ୍ପାନି – ‘ଗୁଆଙ୍ଗଜୋ ୱଣ୍ଡଫୋ ବାୟୋଟେକ୍ ଏବଂ ଜୁହାଇ ଲିଭଜନ୍ ଡାଇଗ୍ନୋଷ୍ଟିକ୍’ଠାରୁ କେନ୍ଦ୍ର ୫ଲକ୍ଷ କିଟ୍ କ୍ରୟ କରିଥିଲା।  କୋଭିଡ୍ -୧୯ ପରୀକ୍ଷା ପାଇଁ ଏହି କିଟ୍ ଗୁଡିକ ରାଜ୍ୟ ମଧ୍ୟରେ ବଣ୍ଟନ କରାଯାଇଥିଲେ ମଧ୍ୟ ଟେଷ୍ଟ କିଟ୍ ଖରାପ  ଥିବା ରାଜ୍ୟମାନେ ଅଭିଯୋଗ କରିବାରୁ ଏଗୁଡିକ ଆଇସିଏମଆର ଦ୍ୱାରା ପରୀକ୍ଷା କରାଯାଇଥିଲା। ପରୀକ୍ଷଣର ଫଳାଫଳ ସନ୍ତୋଷଜନକ ନ ଥିବାରୁ ଆଇସିଏମଆର ରାଜ୍ୟଗୁଡ଼ିକୁ ଭବିଷ୍ୟତରେ ଏହି ଆଣ୍ଟିବଡି ପରୀକ୍ଷା କିଟ୍ କ୍ରୟ ବନ୍ଦ କରିବାକୁ କହିବା ସହ ପୂର୍ବରୁ ବଣ୍ଟନ କରାଯାଇଥିବା ଆଣ୍ଟିବଡି ପରୀକ୍ଷା କିଟକୁ ବ୍ୟବହାର ନ କରିବାକୁ କହିଛି।

ଆଇସିଏମଆର କହିଛି ଯେ, ନିର୍ମାତାମାନେ ଦ୍ରୁତ ଆଣ୍ଟିବଡି ପରୀକ୍ଷଣ କିଟ ଦେବା ସମୟରେ ଏହାକୁ ନେଇ ଯେଉଁ ଆଶ୍ୱାସନା ଦେଇଥିଲେ ପରୀକ୍ଷଣ ସମୟରେ ତାହା ଭୁଲ ପ୍ରମାଣିତ ହୋଇଥିଲା | ତେଣୁ ଆଣ୍ଟିବଡି ପରୀକ୍ଷଣ କିଟକୁ ଦେଇଥିବା କମ୍ପାନୀଗୁଡିକୁ ଫେରସ୍ତ କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି। ଏକ ବିବୃତିରେ ଆଇସିଏମଆର କହିଛି ଯେ, ଆଇସିଏମଆର ଭାଇରସ୍ ପାଇଁ ସ୍ୱାବ୍ ‘ଆରଟି- ପିସିଆର’ ପରୀକ୍ଷାକୁ ପ୍ରୋତ୍ସାହିତ କରେ, କାରଣ ଏହା ‘କୋଭିଡ୍ ପଜିଟିଭ୍ କେସ୍ ପରୀକ୍ଷା ଏବଂ ଚିହ୍ନଟ କରିବାର ସର୍ବୋତ୍ତମ ଉପାୟ’ |

ସମ୍ବନ୍ଧିତ ଖବର