ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଦିଲ୍ଲୀ ରାଜ୍ୟ କର୍କଟ ପ୍ରତିଷ୍ଠାନ (ଡିଏସ୍‌ସିଆଇ), କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସଫଦରଜଙ୍ଗ ହସ୍ପିଟାଲ ଏବଂ ଦିଲ୍ଲୀ ଏମ୍ସ ହସ୍ପିଟାଲ ଔଷଧ, ଉପକରଣ ଓ ଶଯ୍ୟାର ଅଭାବ ଦର୍ଶାଇ ଚିକିତ୍ସା କରିବାକୁ ମନା କରିଦେବା ପରେ ଜଣେ ୧୪ ବର୍ଷୀୟା କର୍କଟ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି ବୋଲି ନାବାଳିକାଙ୍କ ପରିବାର ଅଭିଯୋଗ କରିଛି। ଏକ ସପ୍ତାହ ଧରି ନାବାଳିକାଙ୍କ ମା’ ରାଜିଆ ଅନସାରୀ (୪୮) ଝିଅର ଚିକିତ୍ସା ପାଇଁ ବାରମ୍ବାର ଅନୁରୋଧ କରୁଥିଲେ- ପ୍ରତିଥର ତାଙ୍କୁ ଫେରାଇ ଦିଆଯାଉଥିଲା। ଗତ ଡିସେମ୍ବର ୨ ତାରିଖରେ ନିରାଶ ହୋଇ ପରିବାର ଲୋକେ ଝିଅର ଖରାପ ଅବସ୍ଥା ଯଥା ହାତ ଫୁଲିବା, ଅଙ୍ଗରୁ ରକ୍ତ ସ୍ରାବ ହେବା ଏବଂ ତାଙ୍କ ଦୁର୍ବଳ ଶରୀରକୁ ମୋବାଇଲରେ ରେକର୍ଡ କରି ସାହାଯ୍ୟ ମାଗିଥିଲେ। ଶେଷରେ ସାହାଯ୍ୟ ଆସିଲା, କିନ୍ତୁ ବହୁତ ବିଳମ୍ବ ହୋଇସାରିଥିଲା। ଡିସେମ୍ବର ୫ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯିବାର କିଛି ଘଣ୍ଟା ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏମ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ ଏହି ମାମଲା ପ୍ରଶାସନର ନଜରକୁ ଆସିବା ମାତ୍ରେ ଫାଏଜାଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ ସେ ବଞ୍ଚିପାରି ନ ଥିଲେ। ଅନ୍ୟପକ୍ଷରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ବୁଧବାର ନାବାଳିକାଙ୍କ ମୃତ୍ୟୁକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ରୋଗୀଙ୍କୁ କାହିଁକି ଚିକିତ୍ସା ପାଇଁ ମନା କରାଗଲା, ସେ ନେଇ ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ସେ ଡିଏସ୍‌ସିଆଇ ପରିଚାଳନା କରୁଥିବା ଗଭର୍ଣ୍ଣିଂ କାଉନ୍ସିଲର ମୁଖ୍ୟ ଶାସନ ସଚିବ ନରେଶ କୁମାର କହିଛନ୍ତି।