ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରୁ ଫେରୁଥିବା କିଛି ଶ୍ରଦ୍ଧାଳୁଙ୍କ ଗାଡ଼ି (ପିକ୍ଅପ୍ ଭ୍ୟାନ୍) ଉପରେ ଆଜି ଏକ ଟ୍ରକ୍ ମାଡ଼ିଯିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଗାଜିପୁରରେ ନନ୍ଦଗଞ୍ଜ ଥାନା ନିକଟସ୍ଥ କୁସମି କଳା ଅଞ୍ଚଳରେ ଆଜି ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସମୟରେ ପିକ୍ଅପ୍ ଭ୍ୟାନ୍ରେ ପ୍ରାୟ ୨୦ ଜଣ ଯାତ୍ରୀ ଥିଲେ। ସମସ୍ତ ଆହତଙ୍କୁ ଗାଜିପୁର ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଖବର ପାଇ ଜିଲ୍ଲାପାଳ, ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଥିଲେ। ଟ୍ରକ୍ ଡ୍ରାଇଭର୍ ଦୁର୍ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମେଳାରେ ମୌନୀ ଅମାବାସ୍ୟା ଦିନ ଦଳାଚକଟା ହୋଇ ୩୦ ଲୋକଙ୍କ ମୃତ୍ୟୁ ହେବାପରେ ଆଜି ଏହି ଘଟଣା ଘଟିଛି। ତେବେ ଏତେବଡ଼ ଦୁର୍ଘଟଣା ସତ୍ତ୍ବେ କୁମ୍ଭରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମିନି। ଉତ୍ତରପ୍ରଦେଶ ସରକାରଙ୍କ ଅନୁଯାୟୀ ୨.୦୬କୋଟିରୁ ଅଧିକ ଶ୍ରଦ୍ଧାଳୁ ଗୁରୁବାର ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି। ଏଥିସହ ମୋଟ୍ ୨୯.୬୪ କୋଟି ଶ୍ରଦ୍ଧାଳୁ ସଙ୍ଗମରେ ବୁଡ଼ ପକାଇଥିବା ମେଳା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।