ହାଇଦ୍ରାବାଦ: ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅନୁମୁଲା ରେବାନ୍ତ ରେଡ୍ଡୀ ଆଜି ଶପଥ ନେଇଛନ୍ତି। ଏଥିସହିତ ଭଟ୍ଟି ବିକ୍ରମାର୍କା ମଲ୍ଲୁ ଉପମୁଖ୍ୟମନ୍ତ୍ରୀ ଏବଂ ୧୦ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମନ୍ତ୍ରୀଭାବେ ଶପଥ ନେଇଥିବା ନେତାମାନେ ହେଲେ ଦାମୋଦର ରାଜା ନରସିଂହା, ଉତ୍ତମ କୁମାର ରେଡ୍ଡୀ, କୋମାଟିରେଡ୍ଡୀ ଭେଙ୍କଟ ରେଡ୍ଡୀ, ସିଥକା, ପୁନମ ପ୍ରଭାକର, ଶ୍ରୀଧର ବାବୁ, ତୁମଲା ନାଗେଶ୍ବର ରାଓ, କୋଣ୍ଡା ସୁରେଖା, ଜୁପାଲି ଏବଂ କ୍ରିଷ୍ଣା ପୋଙ୍ଗୁଲେଟି।

Advertisment

ହାଇଦ୍ରାବାଦର ଏଲ୍‌ବି ଷ୍ଟାଡିୟମରେ ଏକ ବିଶାଳ ସମାବେଶରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ମୁଖମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ପ୍ରମୁଖ ଯୋଗ ଦେଇଥିଲେ। ବିଧାନସଭାର କ୍ଷମତା ଅନୁସାରେ ତାମିଲନାଡ଼ୁରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୧୮ ଜଣ ମନ୍ତ୍ରୀ ହୋଇପାରିବେ। ତେଲେଙ୍ଗାନାରେ କେସିଆର୍‌ଙ୍କ ବିଆର୍‌ଏସ୍‌ ୧୦ ବର୍ଷ ହେଲା କ୍ଷମତାରେ ଥିଲା। ତେଲେଙ୍ଗାନା ରାଜ୍ୟ ‌ଗଠନ ହେବା ପରେ କେସିଆର୍‌ ଏହାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ରେବାନ୍ତ ରେଡ୍ଡୀ ଦ୍ବିତୀୟ ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

ଶପଥ ଗ୍ରହଣ ଉତ୍ସବକୁ ୫୪ ବର୍ଷୀୟ ରେବାନ୍ତ ସୋନିଆ ଗାନ୍ଧିଙ୍କ ସହ ଏକ ଖୋଲା ଗାଡ଼ିରେ ଆସିଥିଲେ। ଏଥିସହିତ ଶପଥ ନେବା ପରେ ତାଙ୍କର ପ୍ରଥମ ଉଦ୍‌ବୋଧନରେ ‘ଜୟ ସୋନିଆ ଆମ୍ମା’ କହି ତାଙ୍କ ଭାଷଣ ଆରମ୍ଭ କରିଥିଲେ। ଏହାଦ୍ବାରା ଗାନ୍ଧି ପରିବାରର ସମର୍ଥନ ତାଙ୍କ ନିକଟରେ ରହିଥିବାର ଦୃଢ଼ ବାର୍ତ୍ତା ସେ ଦେଇଛନ୍ତି। ‌ଏଥିସହିତ ତେଲେଙ୍ଗାନା ରାଜ୍ୟ ଗଠନରେ ସୋନିଆଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ବିଷୟକୁ ମଧ୍ୟ ମନେ ପକାଇ ଦେଇଛନ୍ତି।