ହାଇଦ୍ରାବାଦ: ଏ ରେବାନ୍ତ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ହେବେ। ଦିଲ୍ଲୀରେ କଂଗ୍ରେସ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ତେଲେଙ୍ଗାନାରେ କଂଗ୍ରେସ ସରକାରର ଶପଥଗ୍ରହଣ ଉତ୍ସବ ଆସନ୍ତା ୭ ତାରିଖରେ ହେବ। ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି। ତେଲେଙ୍ଗାନାରେ କଂଗ୍ରେସ ଦଳ ସଂଖ୍ୟା ଗରଷ୍ଠତା ହାସଲ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଟଣାଓଟରା ଚାଲିଥିଲା। ଦଳର ନିର୍ବାଚିତ ୬୪ ବିଧାୟକଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦରେ କାହାକୁ ବସାଯିବ ସେ ନେଇ ସହମତି ପ୍ରକାଶ ନପାଇବାରୁ ସୋମବାର ଶପଥ ଗ୍ରହଣ ଉତ୍ସବକୁ ସ୍ଥଗିତ ରଖାଯାଇଥିଲା।
ପ୍ରଥମେ ରାଜ୍ୟ କଂଗ୍ରେସ ସଭାପତି ଏ ରେବାନ୍ତ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ବ୍ୟବସ୍ଥା ହୋଇଥିଲା। ରାଜଭବନରେ ସେ ଶପଥ ନେଇଥାନ୍ତେ। ତାଙ୍କ ସହିତ ଜଣେ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେଇଥାନ୍ତେ। କିନ୍ତୁ ଦଳର ବିରଷ୍ଠ ନେତାଙ୍କ ମଧ୍ୟରେ ମତପାର୍ଥକ୍ୟ ଶେଷ ମୁହୂର୍ତ୍ତରେ ଦେଖାଦେଇଥିଲା। ମଲ୍ଲା ଭଟ୍ଟି ବିକ୍ରମାର୍କା, ଉତ୍ତମ କୁମାର ରେଡ୍ଡୀ, ଶ୍ରୀଧର ବାବୁ ଏବଂ କୋମାଟି ରେଡ୍ଡୀ ଭ୍ରାତା ରେବାନ୍ତଙ୍କ ମୁଖ୍ୟମନ୍ତ୍ରିତ୍ବକୁ ବିରୋଧ କରିଥିଲେ ବୋଲି ଏକ ସୂତ୍ରରୁ ଜଣାଯାଇଛି। ଶେଷରେ ସରକାର ଗଠନ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଦଳର ସଭାପତି ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ଉପରେ ଛଡ଼ା ଯାଇଥିଲା। ଦିଲ୍ଲୀରେ ଆଲୋଚନା ପରେ ମଙ୍ଗଳବାର ବେଣୁଗୋପାଳଙ୍କ ବାସଭବନରେ ରେବାନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ଘୋଷଣା କରାଯାଇଛି।
ନୂଆଦିଲ୍ଲୀ: ଏ ରେବାନ୍ତ ରେଡ୍ଡୀ ତେଲେଙ୍ଗାନାର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ କଂଗ୍ରେସ ଘୋଷଣା କରିଛି। ରେବାନ୍ତ ଏବେ କଂଗ୍ରେସ ଦଳରୁ ଲୋକସଭାର ସାଂସଦ ଅଛନ୍ତି। ପୂର୍ବରୁ ସେ ଅବିଭକ୍ତ ଆନ୍ଧ୍ର ପ୍ରଦେଶରୁ ୨୦୦୯ରେ ଏବଂ ପରେ ୨୦୧୪ରେ ତେଲେଙ୍ଗାନାରୁ ବିଧାୟକ ହୋଇଥିଲେ। ଶ୍ରୀ ରେଡ୍ଡୀ ତାଙ୍କ ରାଜନୈତିକ କ୍ୟାରିୟର ବିଜେପିର ଛାତ୍ର ସଂଗଠନ ଏବିଭିପିରୁ ଆରମ୍ଭ କରିଥିଲେ। ୨୦୦୭ରେ ସେ ବିଧାନ ପରିଷଦକୁ ସ୍ବାଧୀନ ପାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ ଟିଡିପିରେ ମିଶି ଆନ୍ଧ୍ରପ୍ରଦେଶର କୋଡଙ୍ଗଲ ଆସନରୁ ୨୦୦୯ରେ ବିଧାୟକ ହୋଇଥିଲେ। ତେବେ ଲାଞ୍ଚ ମାମଲା ତାଙ୍କ ନାମରେ ଆସିବା ପରେ ସେ ଟିଡିପି ଛାଡ଼ି ୨୦୧୭ରେ କଂଗ୍ରେସରେ ଯୋଗଦେଇଥିଲେ। ୨୦୨୧ରେ ସେ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ମୁଖ୍ୟ ହୋଇଥିଲେ।