ନୂଆଦିଲ୍ଲୀ: ସଂପ୍ରତି ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଭାରତ ସରକାରଙ୍କୁ ବିରୋଧ କରି ଚର୍ଚ୍ଚାକୁ ଆସିଛନ୍ତି ସ୍ୱିିଡେନର କିଶୋର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ସେ ଏକାଧିକ ଟୁଇଟ୍ କରିଥିଲେ। ଏହି ଟୁଇଟରେ ସେ ଏକ ଚାଷୀ ଆନ୍ଦୋଳନ ସଂପର୍କରେ ଅଧିକ ତଥ୍ୟ ଜାଣିବା ସକାଶେ ଏକ ‘ଟୁଲକିଟ୍’ର ଲିଙ୍କ ସେୟାର କରିଥିଲେ। ତେବେ ଏହି ‘ଟୁଲକିଟ୍’ରେ ଭ୍ରମାତ୍ମକ ତଥା ଭାରତବିରୋଧୀ ତଥ୍ୟ ଥିବା ଦେଖାଯାଇଥିଲା। ଫଳରେ ଦିଲ୍ଲୀ ପୁଲିସ ଏହି ‘ଟୁଲକିଟ୍’ ନିର୍ମାତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରିଥିଲା। ଜାତୀୟ ଗଣମାଧ୍ୟମରେ ଏହି ବିବାଦୀୟ ‘ଟୁଲକିଟ୍’ର ନିର୍ମାତାଙ୍କ ପର୍ଦ୍ଦାଫାସ ହୋଇଛି। ସୂଚନାନୁସାରେ, ଏମ୍ ଓ ଢ଼ାଲିୱାଲଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ସଂଗଠନ ‘ଶାନ୍ତି ପାଇଁ ନ୍ୟାୟ’ ଏହି ଟୁଲ୍କିଟ୍ ପ୍ରସ୍ତୁତ କରିଛି । କୃଷକ ଆନ୍ଦୋଳନକୁ ଉସକାଇବା ଲାଗି ଏହି ଟୁଲ୍କିଟ୍ ତିଆରି କରାଯାଇଥିଲା ଏବଂ ଏଥିରେ ଗ୍ରେଟା ଥନବର୍ଗଙ୍କୁ ଏକ ବୃହତ ଷଡଯନ୍ତ୍ରର ଅଂଶ ଭାବରେ ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି।
ଭାରତୀୟ ସୁରକ୍ଷା ଏଜେନ୍ସିର ସ୍କାନରରେ ଥିବା ଢ଼ାଲିୱାଲ ଖାଲିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କ ସମର୍ଥକ ଭାବେ ଜଣାଶୁଣା ଏବଂ ସେ ବିଦେଶରେ ଭାରତ ବିରୋଧୀ ପ୍ରଦର୍ଶନରେ ଅଂଶଗ୍ରହଣ କରିଛନ୍ତି। କାନାଡାରେ ରହୁଥିବା ଢ଼ାଲିୱାଲ ଜଣେ ଆତ୍ମ ଘୋଷିତ ଶିଖ ବିଚ୍ଛିନ୍ନତାବାଦୀ ଏବଂ ଖାଲିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କ ସମର୍ଥକ। ଏକାଧିକ ଏଜେନ୍ସିଙ୍କ ସମେତ ଅନ୍ୟାନ୍ୟ ସଂଗଠନ ଏହି ବିବାଦୀୟ ଟୁଲ୍କିଟ୍ କରିବା ପ୍ରସଙ୍ଗରେ ଭାରତୀୟ ସୁରକ୍ଷା ପ୍ରତିଷ୍ଠାନର ସ୍କାନରରେ ଅଛନ୍ତି। ଯାହାକୁକି ନରେନ୍ଦ୍ର ମୋଦୀ ସରକାରଙ୍କୁ ବଦନାମ କରିବା ପାଇଁ ଏକ ବୃହତ ଷଡଯନ୍ତ୍ରର ଏକ ଅଂଶ ଭାବରେ ବିବେଚନା କରାଯାଉଛି।
ବର୍ତ୍ତମାନ ଜଣାପଡିଛି ଯେ ଜାନୁଆରୀ ୨୬ ରେ କାନାଡାର ଭାରତୀୟ କନସୁଲେଟ୍ ବାହାରେ ଏକ ପ୍ରଦର୍ଶନରେ ଢ଼ାଲିୱାଲ ଅଂଶଗ୍ରହଣ କରିଥିଲେ। ସେଠାରେ ଏକ ସମାବେଶକୁ ସମ୍ବୋଧିତ କରି ଢ଼ାଲିିୱାଲ କହିଥିଲେ ଯେ ସେମାନଙ୍କର ପ୍ରକୃତ ଲକ୍ଷ୍ୟ ହେଉଛି ଭାରତକୁ ଅନେକ ଭାଗରେ ବିଭକ୍ତ କରିବା। ଢ଼ାଲିୱାଲଙ୍କ ମାମୁ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଥିଲେ।
ଦିଲ୍ଲୀ ପୁଲିସ ଶୁକ୍ରବାର କହିଛି ଯେ ଆଇପି (ଇଣ୍ଟରନେଟ୍ ପ୍ରୋଟୋକଲ୍) ଠିକଣା କିମ୍ବା ଟୁଲ୍କିଟ୍ ଡକ୍ୟୁମେଣ୍ଟ୍ ତିଆରି ହୋଇ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ ହୋଇଥିବା ଏବଂ ଗ୍ରେଟା ଥନବର୍ଗଙ୍କ ସହ ସେୟାର କରିବାକୁ ଗୁଗୁଲକୁ ଏହା ଲେଖଥିଲା। ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ ଗୁଗୁଲ୍ ଡକସ୍ରେ ସେୟାର ହୋଇଥିବା ଟୁଲ୍କିଟ୍ର ଲେଖକମାନଙ୍କୁ ଚିହ୍ନଟ କରିବା ପାଇଁ ଏହି ଅନୁସନ୍ଧାନ କରାଯାଉଛି। ଆଇପି ଠିକଣା କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଡକ ତିଆରି ଏବଂ ଅପଲୋଡ୍ ହୋଇଥିବା ସ୍ଥାନ ପାଇବା ପାଇଁ ଦିଲ୍ଲୀ ପୁଲିସ ଗୁଗୁଲକୁ ଲେଖିବାକୁ ଯାଉଛି। ଗୁଗୁଲ୍ ଡକରେ ସେୟାର ହୋଇଥିବା ଟୁଇଟର ଲେଖକମାନଙ୍କୁ ଚିହ୍ନଟ କରିବା ପାଇଁ ଏହା କରାଯାଉଛି ବୋଲି ଦିଲ୍ଲୀ ପୁଲିସ ସୂତ୍ରରୁ ପ୍ରକାଶ।
ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ପ୍ରବୀଣ ରଂଜନ କହିଛନ୍ତି ଯେ ଦିଲ୍ଲୀ ସୀମାରେ ଚାଷୀଙ୍କ ବିରୋଧ କିଛି ଦିନ ଧରି ଚାଲିଆସୁଛି ଏବଂ ଦିଲ୍ଲୀ ପୁଲିସ ସୋସିଆଲ ମିଡିଆ ଆକାଉଣ୍ଟ ଉପରେ ତୀକ୍ଷ୍ଣ ନଜର ରଖିଛି। ଆମେ ଭାରତ ସରକାରଙ୍କ ପ୍ରତି ଅସନ୍ତୋଷ ଜାହିର ଏବଂ ଅସନ୍ତୋଷ ବିସ୍ତାର କରୁଥିବା ପ୍ରାୟ ୩୦୦ ଆକାଉଣ୍ଟ ଚିହ୍ନଟ କରିଛୁ। ଟୁଲ୍କିଟ୍ ଆକାଉଣ୍ଟ୍ ଖାଲିସ୍ତାନର ଏକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିଲା। ଗ୍ରେଟା ଥନବର୍ଗ ବୁଧବାର ଏକ ଟୁଇଟ ପୋଷ୍ଟ କରିଛନ୍ତି ଯାହା ପରେ ସେ ଡିଲିଟ କରିଛନ୍ତି। ଦିଲ୍ଲୀର ସୀମାନ୍ତରେ ଥିବା କୃଷକ ସଂଗଠନଗୁଡ଼ିକ ଦ୍ୱାରା ନୂତନ କୃଷି ଆଇନ ବିରୋଧରେ ବିରୋଧ ପ୍ରଦର୍ଶନ କରିବା ପାଇଁ ସେ ସମର୍ଥନ ମଧ୍ୟ କରୁଥିଲେ।