ଗିରଫ ପାକିସ୍ତାନୀ ଆତଙ୍କବାଦୀର ଖୁଲାସା; ଲସ୍କର-ଇ-ତୋଇବା ସହ ସାମିଲ ହେବା ପାଇଁ ଆଇଏସଆଇ ଦେଇଥିଲା ଅର୍ଥ ଲାଳସା

ନୂଆଦିଲ୍ଲୀ: ଗିରଫ ପାକିସ୍ତାନୀ ଆତଙ୍କବାଦୀର ବଡ଼ ଖୁଲାସା । ଗତକାଲି ଜମ୍ମୁ-କଶ୍ମୀରର ଉରୀ ସେକ୍ଟରରୁ ଗିରଫ ହୋଇଥିବା ଲସ୍କର-ଇ-ତୋଇବାର ଆତଙ୍କବାଦୀ ଅଲ୍ଲୀ ବାବର ଆଜି ପାକିସ୍ତାନର ମୁଖା ଖୋଲିଛି । କିଭଳି ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ତାକୁ ଅର୍ଥ ଲାଳସା ଦେଇଥିଲା ? କେଉଁ ପରିସ୍ଥିତିରେ ଲସ୍କର-ଇ-ତୋଇବାରେ ସେ ସାମିଲ ହୋଇଥିଲା? ସୀମାରେ ଅନୁପ୍ରବେଶ କରି କିଭଳି ଭାରତକୁ ଅସ୍ତ୍ରଶସ୍ତ୍ର ଅଣାଯିବ, ସେନେଇ ତାକୁ ପାକ ସେନା ତାଲିମ ଦେଇଥିଲା? ସେହି ସମସ୍ତ ଘଟଣା ଆଜି ପ୍ରକାଶ କରିଛି ୧୯ବର୍ଷ ବୟସର ଆତଙ୍କୀ ।

ଅଲ୍ଲୀ ବାବର କହିଛି ଯେ, ସେପ୍ଟେମ୍ବର ୧୮ରେ ଏଲଓସିରେ ତା’ର ଓ ୫ଜଣ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିଥିଲା ଭାରତୀୟ ସେନା । ସେନାର ସର୍ଚ୍ଚ ଅପରେସନରେ ୩ଜଣ ଆତଙ୍କୀ ପାକିସ୍ତାନ ଫେରି ଯାଇଥିବାବେଳେ ଅଲ୍ଲୀ ବାବର ଓ ଅନ୍ୟ ଜଣେ ଆତଙ୍କବାଦୀ ୧୦ଦିନ ଧରି ଉରିରେ ଥିବା ଏକ ନଳା ନିକଟରେ ଲୁଚି ରହିଥିଲେ । ତେବେ ସେପ୍ଟେମ୍ବର ୨୫ରେ ଲୁଚି ରହିଥିବା ଅନ୍ୟତମ ଆତଙ୍କବାଦୀକୁ ସେନା ନିହତ କରିଥିଲା ଓ ୨୬ ତାରିଖ ସକାଳେ ଭାରତୀୟ ସେନା ନିକଟରେ ଅଲ୍ଲୀ ବାବର ଆତ୍ମସର୍ମପଣ କରିଥିଲା ।

ଏଥିସହ ଗିରଫ ଆତଙ୍କୀ କହିଛି ଯେ, ବାପାଙ୍କ ମୃତ୍ୟୁ ପରେ ଘର ଚଳାଇବା ତା’ ପାଇଁ କଷ୍ଟକର ହୋଇପଡିଥିଲା । ସିଆଲକୋଟରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିବା ସମୟରେ ସେ ଜଣେ ଯୁବକଙ୍କୁ ଭେଟିଥିଲେ, ଯିଏକି ଆଇଏସଆଇ ଓ ଲସ୍କର ପାଇଁ କାମ କରୁଥିଲା। ତା’ ଜରିଆରେ ସେ ଆତଙ୍କୀ ସଂଗଠନରେ ସାମିଲ ହୋଇଥିଲା । ମୁଜାଫରବାଦରେ ଥିବା ପାକର ସେନା କ୍ୟାମ୍ପରେ ୨୦୧୯ ମସିହାରେ ମୋଟ ୯ଜଣ ଯୁବକଙ୍କୁ ୨୧ ଦିନ ଧରି ତାଲିମ ଦିଆଯାଇଥିଲା । ଆଇଏସଆଇ ୨୦ହଜାର ଟଙ୍କା ଆଡଭାନ୍ସ ଦେବା ସହ କଶ୍ମୀରରେ ପ୍ରବେଶ କଲେ ଆଉ ୨୦ ହଜାର ଟଙ୍କା ଦେବା ପାଇଁ ଆତଙ୍କୀଙ୍କୁ କଥା ଦେଇଥିଲା । ଏଥସହ ଗିରଫ ଆତଙ୍କବାଦୀ କହିଛି କି ଦାରିଦ୍ର୍ୟତା ଭିତରେ ଯୁବକଙ୍କୁ ଜିହାଦର ନାଁ ନେଇ ଟାର୍ଗେଟ କରୁଛି ଲସ୍କର ।

ସମ୍ବନ୍ଧିତ ଖବର