ଶ୍ରୀନଗର/ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇଛି ଭାରତ। ବିଳମ୍ବିତ ରାତିରେ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଥିବା ଆତଙ୍କବାଦୀ ଭିତ୍ତିଭୂମି ଉପରେ ଭାରତୀୟ ସେନା ଅତ୍ୟନ୍ତ ଯୋଜନାବଦ୍ଧ ଆକ୍ରମଣ କରିଛି। ସେନାର ଏହି ଅପରେସନର ନାମ ‘ଅପରେସନ୍ ସିନ୍ଦୁର’ ରଖାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଅପରେସନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ୯ଟି ଆଡ୍ଡା ଧ୍ବଂସ କରାଯାଇଛି।
ଅପରେସନ ପୂର୍ବରୁ ଭାରତୀୟ ସେନା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କହିଥିଲା -‘ଆକ୍ରମଣ ପାଇଁ ପ୍ରସ୍ତୁତ, ଜିତିବା ପାଇଁ ତାଲିମପ୍ରାପ୍ତ’(ରେଡି ଟୁ ଷ୍ଟ୍ରାଇକ୍, ଟ୍ରେନ୍ଡ ଟୁ ୱିନ୍)। ଏହାର କିଛି ମିନିଟ୍ ପରେ ଆଉ ଏକ ପୋଷ୍ଟରେ ଲେଖାଯାଇଥିଲା, ‘ନ୍ୟାୟ ମିଳିଛି, ଜୟ ହିନ୍ଦ୍।’ ଏକ ପ୍ରେସ୍ ବିଜ୍ଞପ୍ତିରେ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ହୋଇଥିଲା ଏବଂ କୌଣସି ପାକିସ୍ତାନୀ ସାମରିକ ଘାଟିକୁ ଟାର୍ଗେଟ୍ କରିବା ଉଦ୍ଦେଶ୍ୟରେ ନୁହେଁ। ମୋଟ ୯ଟି ସ୍ଥାନରେ ନିର୍ଦ୍ଦିଷ୍ଟ ଆକ୍ରମଣ କରାଯାଇଥିବା ବେଳେ ମୁଜାଫରାବାଦ, ବାହାବଲପୁର ଏବଂ ଅନ୍ୟ କେତେକ ସ୍ଥାନରେ ଏହି ସବୁ ଆତଙ୍କୀ ଟାର୍ଗେଟ୍ ଥିବା ଜଣାପଡ଼ିଛି। ଏହି ଆକ୍ରମଣ ପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଇଥିବାରୁ କୌଣସି ବେସାମରିକ ପ୍ରତିଷ୍ଠାନ କିମ୍ବା ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇନାହିଁ।
୯ ଆତଙ୍କୀ ଶିବିର ମାଟିରେ ମିଶିଲା
ଅପରେସନ ‘ସିନ୍ଦୁର’ ସଫଳ
ଆକ୍ରମଣକୁ ସ୍ବୀକାର କଲା ପାକିସ୍ତାନ
ଟାର୍ଗେଟ୍ରେ ଲସ୍କର ଓ ଜୈସ ଆଡ୍ଡା
ଆଲର୍ଟରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା
ଭାରତ ଅତ୍ୟନ୍ତ ସଂଯମ ଓ ପରିପକ୍ୱତାର ସହ ଲକ୍ଷ୍ୟ ଚୟନ କରି ଅପରେସନ୍ କରିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦୀ ଆଡ୍ଡା ଧ୍ବଂସ କରିବାରେ ସୀମିତ ରହିଛି। ଭାରତ ଏବେ ଆତଙ୍କବାଦ ବିରୋଧରେ ଯେ କୌଣସି ସୀମାକୁ ଯିବାକୁ ପ୍ରସ୍ତୁତ ଅଛି ଏବଂ ଯେଉଁମାନେ
ଦୋଷୀ ସେମାନଙ୍କୁ ଛଡ଼ାଯିବ ନାହିଁ। ‘ଅପରେସନ୍ ସିନ୍ଦୁର’ ସମ୍ପର୍କରେ ସରକାର ଆଜି ବିସ୍ତୃତ ସୂଚନା ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ଭାରତୀୟ ସଶସ୍ତ୍ର ବାହିନୀ ‘ଅପରେସନ୍ ସିନ୍ଦୁର’ ଅଧୀନରେ ବୁଧବାର ଭୋର୍ ସମୟରେ କରିଥିବା ଆକ୍ରମଣର ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନାକୁ ଅଭିନନ୍ଦନ ଜଣାଇଛନ୍ତି। ଲସ୍କର, ଜୈସ୍ ଭଳି ଆତଙ୍କୀ ସଂଗଠନଗୁଡ଼ିକର ଆଡ୍ଡାଗୁଡ଼ିକୁ ଠାବ କରାଯିବା ପରେ ଆଜିର ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିଲା ଏବଂ ପାକିସ୍ତାନର କୌଣସି ସାମରିକ ପ୍ରତିଷ୍ଠାନ ଏଥିରେ କ୍ଷତିଗ୍ରସ୍ତ ହୋଇନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।
ପାକିସ୍ତାନ ମଧ୍ୟ ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନକୁ ସ୍ବୀକାର କରିଛି ଏବଂ କହିଛି ଯେ ୩ଟି ସ୍ଥାନରେ ଭାରତୀୟ ବାୟୁସେନା ଏହି ଆକ୍ରମଣ କରିଛି। ସେମାନେ ଭାରତର ସୀମା ଭିତରେ ରହି ଏହି ଆକ୍ରମଣ କରିଛନ୍ତି ବୋଲି ପାକ୍ ସେନା ପକ୍ଷରୁ କୁହାଯାଇଛି। ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିବାର ଦୁଇ ସପ୍ତାହ ପରେ ଭାରତ ଏହି ପ୍ରତିଶୋଧ ନେଇଛି। ଭାରତୀୟ ସେନା ସ୍ପଷ୍ଟ କରିଛି ଯେ ଲକ୍ଷ୍ୟ ଚୟନ ଏବଂ କାର୍ଯ୍ୟକାରିତା ପଦ୍ଧତିରେ ଭାରତ ଯଥେଷ୍ଟ ସଂଯମତା ପ୍ରଦର୍ଶନ କରିଥିବାରୁ ଅପରେସନ ଶତ ପ୍ରତିଶତ ସଫଳ ହୋଇଛି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀରର ପହଲଗାମ ବୈସରନ ଉପତ୍ୟକାରେ ପାକିସ୍ତାନୀ ଆତଙ୍କବାଦୀମାନେ ବର୍ବର ନରସଂହାର ଘଟାଇଥିଲେ ଏବଂ ଏଥିରେ ସ୍ଥାନୀୟ ଆତଙ୍କବାଦୀଙ୍କ ସଂପୃକ୍ତି ମଧ୍ୟ ରହିଥିଲା। ଏହି ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି ଏବଂ ଭାରତ ଇସ୍ଲାମାବାଦ ବିରୋଧରେ ଅନେକ ଦଣ୍ଡମୂଳକ ପଦକ୍ଷେପ ଘୋଷଣା କରିଛି। ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା, ଅଟାରିଠାରେ ଏକମାତ୍ର କାର୍ଯ୍ୟକ୍ଷମ ସ୍ଥଳ ସୀମା ବନ୍ଦ କରିବା ଏବଂ ଆତଙ୍କବାଦୀ ଆକ୍ରମଣ ପରେ କୂଟନୈତିକ ସମ୍ପର୍କକୁ ହ୍ରାସ କରିବା ଏଥିରେ ଅନ୍ତର୍ଭୁକ୍ତ।
ପାକିସ୍ତାନ ସୂଚନା ବିଭାଗ ମହାନିର୍ଦ୍ଦେଶକ ଏକ ବିବୃତିରେ କହିଛନ୍ତି ଯେ ଭାରତ ଆକାଶମାର୍ଗରୁ ତିନୋଟି ସ୍ଥାନ-ବାହାବଲପୁର, କୋଟଲି ଏବଂ ମୁଜାଫରାବାଦରେ ଆକ୍ରମଣ କରିଥିବା ପ୍ରମାଣ ରହିଛି। ପାକିସ୍ତାନ ବାୟୁସେନା ଏହାର ଜବାବ ଦେବାପାଇଁ ପ୍ରସ୍ତୁତ ରହିଛି। ପାକିସ୍ତାନ ଏହାର ଜବାବ ନିଜ ପସନ୍ଦର ସମୟ ଓ ସ୍ଥାନରେ ଦେବ ବୋଲି କୁହାଯାଇଛି। ପାକିସ୍ତାନର ଏହି ଧମକ ପରିପ୍ରେକ୍ଷୀରେ ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକୁ ହାଇଆଲର୍ଟରେ ରଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/07/q7IwCCyO5C1A8bT426sV.jpg)