ପଶ୍ଚିମବଙ୍ଗରେ ପ୍ରତିଶୋଧ ହତ୍ୟା: ଟିଏମ୍‌ସି କର୍ମୀଙ୍କ ବର୍ବର କାଣ୍ଡ, ୮ ଜଣଙ୍କୁ ଜିଅନ୍ତା ଜାଳିଦେଲେ

ରିପୋର୍ଟ ମାଗିଲା କେନ୍ଦ୍ର, ମମତାଙ୍କ ଇସ୍ତଫା ଦାବି

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ଗତରାତିରେ ଶାସକ ଟିଏମ୍‌ସି କର୍ମୀମାନେ ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି। ଟିଏମ୍‌ସିର ଜଣେ ପଞ୍ଚାୟତ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ରାମପୁରହାଟ ଅଂଚଳରେ ୮ ଜଣଙ୍କୁ ଜିଅନ୍ତା ଜାଳି ଦେଇଛନ୍ତି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ବିଶାଳ ପୁଲିସ ବାହିନୀ ମୁତୟନ କରାଯାଇଛି। ଏହି ଘଟଣାରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛି। ଆଜି ରାତି ସୁଦ୍ଧା ଏହି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଟିଏମ୍‌ସି ନେତା ତଥା ନାଏବ ସରପଞ୍ଚ ଭଦୁ ଶେଖଙ୍କୁ ସୋମବାର ରାତିରେ ରାଜ୍ୟ ରାଜପଥରେ ଅଜଣା ଦୁର୍ବୃତ୍ତମାନେ ବୋମାମାଡ଼ କରି ହତ୍ୟା କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ରାମପୁରହାଟ ମେଡିକାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶେଖଙ୍କ ହତ୍ୟା ପରେ ଟିଏମ୍‌ସି କର୍ମୀମାନେ ପ୍ରତିଶୋଧ ନେବା ପାଇଁ ବିଳମ୍ବିତ ରାତିରେ ୧୦/୧୨ଟି ଘରେ ନିଆଁ ଲଗାଇ ଦେଇଥିଲେ। ସେମାନେ ଘରର ବାହାର ପଟେ ତାଲା ପକାଇ ଦେଇଥିବାରୁ ଘର ଭିତରୁ କେହି ବାହାରିପାରି ନଥିଲେ। ଫଳରେ ଭିତରେ ଥିବା ଲୋକମାନେ ଜିଅନ୍ତା ଜଳି ଯାଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଘର ଭିତରୁ ପୁଲିସ ୮ ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରିଛି। ଏହି ଘଟଣା ପରେ ବୀରଭୂମ ଜିଲ୍ଲାପାଳ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାର ତଦନ୍ତ ପାଇଁ ବରିଷ୍ଠ ପୁଲୀସ ଅଧିକାରୀଙ୍କୁ ନେଇ ଏସ୍‌ଆଇଟି ଗଠନ କରାଯାଇଛି।

ଏହି ହିଂସା ପ୍ରସଙ୍ଗରେ ବିଜେପି ମମତା ବାନାର୍ଜୀଙ୍କ ସରକାରକୁ ଟାର୍ଗେଟ୍‌ କରିଛି। ପଶ୍ଚିମବଙ୍ଗର ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ସମଗ୍ର ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ଗୁରୁତର। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬ ଜଣଙ୍କୁ ହତ୍ୟା କରାଯାଇଛି। ରାଜ୍ୟର ସବୁଠି ଆତଙ୍କର ବାତାବରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ ସୁପ୍ରମୋ ମମତା ବାନାର୍ଜୀ ତୁରନ୍ତ ଇସ୍ତଫା ଦେବାପାଇଁ ଶୁଭେନ୍ଦୁ ଦାବି କରିଛନ୍ତି। ବୀରଭୂମରେ ଭୟାନକ ହିଂସାରେ ୧୦ ଜଣଙ୍କ ମୃତ୍ୟୁ ପରେ ମମତା ସରକାରଙ୍କୁ ରାଜ୍ୟପାଳ ଜଗଦୀପ ଧନଖଡ଼ ମଧ୍ୟ ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ଖରାପ ସ୍ଥିତିକୁ ଆସିଯାଇଛି ଏବଂ ଦୋଷୀମାନଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର