ଖୈବର(ପାକିସ୍ତାନ): ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଆଜି ଉଭୟ ପକ୍ଷର ସେନା ମଧ୍ୟରେ ଭୀଷଣ ସଂଘର୍ଷ ହୋଇଛି। ତାଲିବାନୀ ଲଢ଼ୁଆମାନେ ପାକିସ୍ତାନର ଦୁଇଟି ସେନା ପୋଷ୍ଟ୍‌ ଅକ୍ତିଆର କରିଥିବା ବେଳେ ସଂଘର୍ଷରେ ୧୯ ଜଣ ପାକ୍‌ ସୈନିକ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଆଫଗାନ ସୀମାବର୍ତ୍ତୀ ଏକ ଗ୍ରାମ ଉପରେ ପାକ୍‌ ସେନାର ରକେଟ୍‌ ମାଡ଼ ଯୋଗୁଁ ୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି । ଆଫଗାନିସ୍ତାନରେ ପାକିସ୍ତାନୀ ବାୟୁସେନା କରିଥିବା ଏୟାରଷ୍ଟ୍ରାଇକ୍‌ର ପ୍ରତିଶୋଧ ନେବା ପାଇଁ ତାଲିବାନ ଲଢୁଆମାନେ ଆଜି ଭୋର ପ୍ରାୟ ୪ଟାରେ  ସୀମାରେ ଆକ୍ରମଣ କରିଥିଲେ। ତାଲିବାନର ବନ୍ଧୁକ ଓ ମେସିନ୍ ଗନ୍ ଆଗରେ ପାକିସ୍ତାନୀ ସେନା ଅସହାୟ  ହୋଇପଡ଼ିଥିଲା। ତାଲିବାନୀ ଆକ୍ରମଣ ଭୟାନକ ରୂପ ନେବାପରେ ପାକିସ୍ତାନୀ ସେନା ନିଜର ଦୁଇଟି ପୋଷ୍ଟ ଛାଡି ଛତ୍ରଭଙ୍ଗ ଦେଇଥିଲା।
 ତାଲିବାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁରାଣ୍ଡ୍‌ ରେଖା ନିକଟସ୍ଥ ପକ୍‌ତିଆ ଏବଂ ଖୋସ୍ତ ଅଞ୍ଚଳରେ ଏହି ସଂଘର୍ଷ ଘଟିଛି।

Advertisment

ତାଲିବାନ ଲଢୁଆମାନେ  ଦୁଇଟି ପାକିସ୍ତାନୀ ପୋଷ୍ଟ ଦଖଲକୁ ନେବାପରେ ଏହାକୁ ଜାଳି  ଦେଇଥିଲେ । ସେମାନଙ୍କ ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ପାକିସ୍ତାନୀ ସେନା ପଛକୁ ହଟିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ଦେଖିନଥିଲା। ଆଜି ସନ୍ଧ୍ୟା ସୁଦ୍ଧା ୧୯ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ପାକିସ୍ତାନ ଏହାର ଜବାବରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି।  ସୀମା ନିକଟବର୍ତ୍ତୀ ବେସାମରିକ ଅଂଚଳ ଉପରେ ପାକିସ୍ତାନ ମୋର୍ଟାର ମାଡ଼ ଜାରି ରଖିଥିବାରୁ ବିସ୍ଫୋରକ ସ୍ଥିତି ଉପୁଜିଛି। ସୀମାରେ ପ୍ରାୟ ୧୫ ହଜାର ତାଲିବାନୀ ଲଢ଼ୁଆଙ୍କ ଉପସ୍ଥିତି ପାକିସ୍ତାନର ସଙ୍କଟ ବଢ଼ାଇ ଦେଇଛି।  ତେବେ ଏହି ଘଟଣାକୁ ନେଇ ପାକିସ୍ତାନ ସେନା ପକ୍ଷରୁ  କୌଣସି ବୟାନ ଦିଆନଯିବା ବିସ୍ମୟ ସୃଷ୍ଟି କରିଛି। ଏହା ପୂର୍ବରୁ  ଦୁଇଦିନ ତଳେ ଆଫଗାନିସ୍ତାନରେ ପାକିସ୍ତାନୀ ବାୟୁସେନାର ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୫୧ ଜଣ ପ୍ରାଣ ହରାଇଥିଲେ। ତାଲିବାନ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲା ଯେ, ଏଥିପାଇଁ ପାକିସ୍ତାନକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ।   ‘ତେହରିକ-ଏ-ତାଲିବାନ ପାକିସ୍ତାନ’ର ଶିବିରକୁ ଟାର୍ଗେଟ କରିବା ବାହାନାରେ ପାକିସ୍ତାନ ଜନବସତି ଉପରେ ଆକ୍ରମଣ କଲେ ସାଂଘାତିକ ପରିଣାମ ଭୋଗିବ ବୋଲି ଆଜି ତାଲିବାନ ପୁଣି ଦୋହରାଇଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ଆକ୍ରମଣ କରିଥିବାରୁ ପାକିସ୍ତାନକୁ ଆମେ ଛାଡ଼ିବୁ ନାହିଁ ବୋଲି ତାଲିବାନ ଆଭ୍ୟନ୍ତରୀୟ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି।