ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନା ସୋମବାର ୭୦ତମ ଜାତୀୟ ସେନା ଦିବସ ପାଳନ କରୁଥିବା ବେଳେ ଜମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେଣ୍ଢର ସେକ୍ଟରରେ ପାକ୍ ସେନାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ରଖିଛନ୍ତି ଭାରତୀୟ ଯବାନମାନେ। ବଦ୍ଲା ସ୍ୱରୂପ ଯବାନଙ୍କ ଗୁଳିରେ ନିୟନ୍ତ୍ରଣ ରେଖା ନିକଟରେ ମୋର୍ଟାର ଫିଙ୍ଗି ଅଶାନ୍ତି ସୃଷ୍ଟି କରୁଥିବା ଉଦ୍ଧତ ପାକ୍ ସୈନିକଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୪ ଜଣ ପାକ୍ ସୈନିକ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି। ଅପରପକ୍ଷେ, ଭାରତୀୟ ଯବାନମାନଙ୍କର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନଥିବା ବେଳେ ପାକ୍ ସେନା ସେମାନଙ୍କର ୪ ଜଣ ସୈନିକଙ୍କୁ ହରାଇଛି ବୋଲି ସ୍ୱୀକାର କରିଛି। ଶନିବାର ରାଜୌରି ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ଗୁଳିରେ ଜଣେ ଭାରତୀୟ ସୈନିକ ସହିଦ ହେବାର ପ୍ରତିଶୋଧ ସ୍ୱରୂପ ସୋମବାର ଯବାନମାନଙ୍କ ଏହି ସଫଳତାରେ ସେନାଧ୍ୟକ୍ଷ ବିପିନ ରାଓ୍ଵତ ଉଲ୍ଲସିତ ହୋଇ ପଡ଼ିଛନ୍ତି। ପାକିସ୍ତାନର କୌଣସି ପ୍ରକାର ଭାରତ ବିରୋଧୀ ଅଭିଯାନକୁ ବରଦାସ୍ତ କରାଯିବନି ବୋଲି ସେ ଚେତାବନୀ ଦେଇଛନ୍ତି।
ସୂଚନାନୁସାରେ, ପାକିସ୍ତାନୀ ସୈନିକମାନେ ସୋମବାର ସକାଳ ପ୍ରାୟ ୧୦ଟା ୧୫ରେ ମେଣ୍ଢର ଅନ୍ତର୍ଗତ ଦେହରି ଦେବ୍ସି ଇଲାକାରେ ଅତର୍କିତ ପ୍ରବଳ ଗୋଳିଗୁଳା ବର୍ଷଣ କରିଥିଲେ। ନିୟନ୍ତ୍ରଣ ରେଖା ଏପଟେ ଥିବା ସେନା ଶିବିରଗୁଡ଼ିକୁ ନିଶାଣ କରି ଏପରି ଗୁଳିବର୍ଷା ହୋଇଥିଲା। ତେବେ ସୀମା ଆରପଟୁ ଗୁଳିମାଡ଼ ହେଉଥିବା ଜାଣିପାରି ଭାରତୀୟ ଯବାନମାନେ ତୁରନ୍ତ ଏହାର ଦୃଢ଼ ଜବାବ ଦେଇଥିଲେ। ଦୀର୍ଘ ଘଣ୍ଟାଏ କାଳ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୭ ଜଣ ପାକ୍ ସୈନିକଙ୍କର ମୃତ୍ୟୁ ହେବା ସହ ୪ ଜଣ ଆହତ ହୋଇଥିଲେ। ଅପରପକ୍ଷେ, ପାକ୍ ସେନାର ମୁଖପାତ୍ର ମେଜର ଜେନେରାଲ୍ ଆସିଫ ଗଫୁର ଘଟଣାର ସଫେଇ ଦେଇ କହିଛନ୍ତି ଯେ ପାକ୍ ଅଧିକୃତ କଶ୍ମୀର ଅନ୍ତର୍ଗତ ନିୟନ୍ତ୍ରଣ ରେଖାର ଜନ୍ଦ୍ରୋତ୍ କୋଟ୍ଲି ସେକ୍ଟରରେ ପାକ୍ ସୈନିକମାନେ ଯୋଗାଯୋଗ ବ୍ୟବସ୍ଥାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ଭାରତ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଏଥିରେ ମାତ୍ର ୪ ଜଣ ପାକ୍ ସୈନିକଙ୍କର ମୃତ୍ୟୁ ହୋଇଥିବା ସେ ସ୍ୱୀକାର କରିଥିବା ବେଳେ ପାକ୍ ସେନାର ଜବାବରେ ୩ ଜଣ ଭାରତୀୟ ସୈନିକଙ୍କର ମଧ୍ୟ ସ୍ୱର୍ଗପ୍ରାପ୍ତି ହୋଇଥିବା ଦାବି କରିଛନ୍ତି। ମାତ୍ର ଭାରତର କ୍ଷୟକ୍ଷତି ସମ୍ପର୍କରେ ଭାରତୀୟ ସେନା କିଛି ସ୍ପଷ୍ଟ କରିନାହିଁ।
ସ୍ମରଣଯୋଗ୍ୟ, ବିଭିନ୍ନ ସମୟରେ ନିୟନ୍ତ୍ରଣ ରେଖା ଦେଇ ଆତଙ୍କବାଦୀମାନଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକ୍ ସେନା ଅନବରତ ଉଦ୍ୟମ ଜାରି ରଖିଛି। ସେଥିପାଇଁ ଗତବର୍ଷ ପାକ୍ ସେନା ଅତି କମ୍ରେ ୭୨୦ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ତେବେ ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଅନେକ ଥର ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେବା ସହ ସଂଖ୍ୟାଧିକ ଆତଙ୍କବାଦୀ ମଧ୍ୟ ନିପାତ ହୋଇଛନ୍ତି। ଅପରପକ୍ଷେ, ବେଳେ ବେଳେ ସାଧାରଣ ନିରୀହ ଜନତା ମଧ୍ୟ ଉଭୟ ପକ୍ଷର ଗୁଳି ବିନିମୟର ଶିକାର ହେଉଛନ୍ତି। ତେବେ ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଏହି ବିବାଦର ପରିଣାମ ଜମ୍ମୁ କଶ୍ମୀରବାସୀ ଭୋଗୁଥିବାରୁ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇ ଦେଶ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ପ୍ରସ୍ତାବ ରଖିଥିଲେ। ତାଙ୍କର ଏହି ଗଠନମୂଳକ ଆହ୍ଵାନକୁ ୨୪ ଘଣ୍ଟା ନପୂରୁଣୁ ପାକ୍ ପକ୍ଷରୁ ଏପରି ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ ହୋଇଛି। ଏପରିକି ପରିସ୍ଥିତି ବାଧ୍ୟ କଲେ ଭାରତୀୟ ସେନା ସାମରିକ କାର୍ଯ୍ୟାନୁଷ୍ଠାନକୁ ପସନ୍ଦ କରିବ ବୋଲି ସେନାଧ୍ୟକ୍ଷ ବିପିନ ରାଓ୍ଵତ ଚେତାବନୀ ଦେବାର କେଇ ଘଣ୍ଟା ପରେ ପାକିସ୍ତାନ ସେନା ନିଜର ଔଦ୍ଧତ୍ୟ ଦେଖାଇ ପରିଣାମ ଭୋଗିଛି।