କୃଷିମନ୍ତ୍ରୀମାନଙ୍କ ବୈଠକରେ ଦେଶର ସାର ସ୍ଥିତିର ସମୀକ୍ଷା; ଦେଶରେ ସାରର ଅଭାବ ନାହିଁ: ମନ୍ତ୍ରୀ ଡ. ମାଣ୍ଡବୀୟ

କେନ୍ଦ୍ରମନ୍ତ୍ରୀ ତୋମର ଏବଂ ସାର ମନ୍ତ୍ରୀ ଡ. ମାଣ୍ଡବୀୟଙ୍କ ଅଧ୍ୟକ୍ଷତାରେ ରାଜ୍ୟ

ନୂଆଦିଲ୍ଲୀ : କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଏବଂ ସାର ଓ ରସାୟନ ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟଙ୍କ ମିଳିତ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକର କୃଷିମନ୍ତ୍ରୀମାନଙ୍କ ବୈଠକରେ ଦେଶରେ ସାର ସ୍ଥିତିର ସମୀକ୍ଷା କରାଯାଇଛି। ଆଭାସୀ ବ୍ୟବସ୍ଥାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶରେ ରାସାୟନିକ ସାର ଏବେ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ଏବଂ ଏହା ଖରିଫ ଚାଷର ଚାହିଦାଠାରୁ ବହୁ ଅଧିକ। ତେଣୁ ସାରର ଅଭାବ ଘେନି ଛାନିଆଁ ହେବାର କୌଣସି କାରଣ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୨୨ ଖରିଫ ଋତୁ ପାଇଁ ପୁଷ୍ଟିଭିତ୍ତିକ ସବ୍‌ସିଡି ସ୍କିମ୍‌ରେ ଚାଷୀମାନଙ୍କୁ ଫସ୍‌ଫେଟ ଓ ପୋଟାସିୟମ ଜାତୀୟ ସାର ରିହାତି ମୂଲ୍ୟରେ ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇ ଏକ ପ୍ରସ୍ତାବ ଅନୁମୋଦିତ ହୋଇଥିଲା। ୨୦୨୨ ଏପ୍ରିଲ ପହିଲାରୁ ୨୦୨୨ ସେପ୍ଟମ୍ବର ୩୦ ପର୍ଯ୍ୟନ୍ତ ଚାଷୀଙ୍କୁ ରିହାତି ଦରରେ ଏସବୁ ସାର ଯୋଗାଇ ଦିଆଯିବ। ଏ ବାବଦରେ ସରକାର ମୋଟ ୬୦,୯୩୯ କୋଟି ୨୩ଲକ୍ଷ ଟଙ୍କା ସବ୍‌ସିଡି୍ ଦେବାକୁ କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ଏହି ସବ୍‌ସିଡି ଦେଶୀ ରାସାୟନିକ ସାର ପାଇଁ ମୁଖ୍ୟତଃ ପ୍ରଯୁଜ୍ୟ ଏବଂ ଏଥିରେ ପରିବହନ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ। ଏହାଛଡା ଆମଦାନି ହେଉଥିବା ଡିଏପି ସାର ପାଇଁ ମଧ୍ୟ ସରକାରୀ ରିହାତି ଘୋଷଣା କରାଯାଇଛି।

ଏହି ଅବସରରେ ସାରମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ କହିଛନ୍ତି ଯେ ସରକାରଙ୍କ ଆଗୁଆ ପଦକ୍ଷେପ ଫଳରେ ଦେଶରେ ଏବେ ୟୁରିଆ, ଡିଏପି, ଏନ୍‌ପିକେ ସମେତ ଅନ୍ୟାନ୍ୟ ରାସାୟନିକ ସାରର ମହଜୁଦ୍ ସ୍ଥିତି ବେଶ୍ ଭଲ ଅଛି। ଏବେ ଖରିଫ ଚାଷ ପାଇଁ ଦେଶରେ ରାସାୟନିକ ସାରର ଯେଉଁ ଚାହିଦା ରହିଛି ତା’ଠାରୁ ଅଧିକ ପରିମାଣର ସାର ଉପଲବ୍ଧ। ବିଭିନ୍ନ ରାଜ୍ୟକୁ ମଧ୍ୟ ଚାହିଦା ଅନୁସାରେ ଏସବୁ ସାର ଯୋଗାଇ ଦିଆଯାଉଛି। ଚାଷୀମାନଙ୍କୁ ସାରର ଉପଲବ୍ଧତା ସମ୍ପର୍କରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ ଦେଶରେ ଏବେ ଖରିଫ ଚାଷ ପାଇଁ ଚାହିଦାଠାରୁ ଯଥେଷ୍ଟ ଅଧିକ ସାର ମହଜୁଦ ଥିବାରୁ ଏଥିନେଇ ଛାନିଆଁ ହେବାର କୌଣସି କାରଣ ନାହିଁ। ତେଣୁ ସାର ଅଭାବ ଘେନି ଅପପ୍ରଚାର ଓ ବିଭ୍ରାନ୍ତିକର ସମ୍ବାଦରୁ କ୍ଷାନ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି ଯେ ସାରର ବେଆଇନ ମହଜୁଦ, କଳାବଜାରୀ, କୃତ୍ରିମ ଅଭାବ ଏବଂ ଅନ୍ୟାନ୍ୟ ଅଣକୃଷି କାମ ପାଇଁ ଏହାର ବ୍ୟବହାରକୁ ରୋକିବାକୁ ସରକାର ତତ୍ପର ଅଛନ୍ତି। ଏଭଳି ବେଆଇନ କାର୍ଯ୍ୟ ହେଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ରାଜ୍ୟମାନେ ମଧ୍ୟ ନିଜ ନିଜର ଚାଷୀଙ୍କୁ ନାନୋ ୟୁରିଆ ବ୍ୟବହାର, ଜୈବିକ କୃଷି ଓ ବିକଳ୍ପ ଚାଷ ପଦ୍ଧତି ପାଇଁ ଉତ୍ସାହିତ କରିବାକୁ ସେ ପରାମର୍ଶ ଦେଇଛନ୍ତି।
ଡ. ମାଣ୍ଡବୀୟ କହିଛନ୍ତି ଯେ ଡାଇଆମୋନିୟମ ଫସଫେଟ ବା ଡିଏପି ସାରର ଆନ୍ତର୍ଜାତିକ ମୂଲ୍ୟ ବଢିଛି ଏବଂ ଏହାର କଞ୍ଚାମାଲ ଦାମ୍‌ ମଧ୍ୟ ବୃଦ୍ଧି ପାଇଛି। ଏହା ସତ୍ତ୍ୱେ ଚାଷୀ ଯେପରି ଶସ୍ତାରେ ଏସବୁ ସାର ପାଇବେ ସେଥିପାଇଁ ସରକାର ବର୍ଦ୍ଧିତ ମୂଲ୍ୟ ବହନ କରୁଛନ୍ତି। ସେଥିପାଇଁ ରାସାୟନିକ ସାରା ଉପରେ ରିହାତି ପ୍ରଦାନ କରାଯାଉଛି। ଏବେ ଡିଏପି ସାରରେ ବସ୍ତା ପିଛା ସରକାର ୨୫୦୧ ଟଙ୍କା ରିହାତି ଦେଉଛନ୍ତି। ପୂର୍ବରୁ ଏହି ରିହାତି ପରିମାଣ ଥିଲା ୧୬୫୦ଟଙ୍କା। ତେଣୁ ଗତବର୍ଷ ଅପେକ୍ଷା ବସ୍ତା ପିଛା ସାର ମୂଲ୍ୟରେ ଦେଶର ସରକାର ୫୦ ଶତାଂଶ ରିହାତି ବଢାଇଛନ୍ତି। ଆନ୍ତର୍ଜାତିକ ବଜାରରେ ଡିଏପି ସାର ଓ ଏହାର କଞ୍ଚାମାଲର ମୂଲ୍ୟ ହାରାହାରି ୮୦ ଶତାଂଶ ବୃଦ୍ଧି ପାଇଥିଲେ ମଧ୍ୟ ସରକାର ରିହାତି ପ୍ରଦାନ କରି ଚାଷୀଙ୍କ ସ୍ୱାର୍ଥ ରକ୍ଷା କରୁଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ ଉପକୃତ ହେବେ ଓ କୃଷି କ୍ଷେତ୍ର ଲାଭବାନ ହେବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ରାଜ୍ୟ ସରକାରମାନେ ନିଜ ନିଜ ପ୍ରଦେଶରେ ବିଭିନ୍ନ ସ୍ଥାନକୁ ସାର ପ୍ରେରଣ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଆବଶ୍ୟକ। ସାର ରେକ୍ ପହଞ୍ଚିବା ମାତ୍ରେ ସେସବୁକୁ ବିଭିନ୍ନ ଅଞ୍ଚଳକୁ ଚାହିଦା ଅନୁସାରେ ତୁରନ୍ତ ପଠାଇବାକୁ ସେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହାଛଡା ସମବାୟ ସଂସ୍ଥା ମାଧ୍ୟବରେ ବିଭିନ୍ନ ଅଞ୍ଚଳକୁ ଚାହିଦା ଅନୁସାରେ ଆଗୁଆ ସାର ପଠାଇବାକୁ ସେ କହିଛନ୍ତି ।

ଦେଶରେ ରାସାୟନିକ ସାରର ସ୍ଥିତି ସମ୍ପର୍କରେ ଆଲୋଚନା କରିବା ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଲେ ଯେ କୃଷି କ୍ଷେତ୍ର ଦେଶର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଏହା ବିପୁଳ ଜନତାଙ୍କୁ ନିଯୁକ୍ତି ଓ ରୋଜଗାରର ସୁଯୋଗ ଦେଉଛି ଏବଂ ଅଧିକାଂଶ ଲୋକଙ୍କ ଜୀବିକାର ମୁଖ୍ୟ ଉତ୍ସ। ସରକାର କୃଷି କ୍ଷେତ୍ରକୁ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏହା ଆମ ପାଇଁ ଏକ ଅଗ୍ରାଧିକାର କ୍ଷେତ୍ର। ପୁଞ୍ଜିନିବେଶଠାରୁ ଆରମ୍ଭ କରି କିଷାନ କ୍ରେଡିଟ୍ କାର୍ଡ, ବୀମା ଯୋଜନା, ବିଭିନ୍ନ ପ୍ରକାର ଫସଲ ଚାଷ ଓ ଉଦ୍ୟାନ କୃଷି ଆଦି ବିଭିନ୍ନ ବିଷୟରେ କାମ କରି ସରକାର କୃଷି କ୍ଷେତ୍ରକୁ ସୁଦୃଢ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। କୃଷି ଉତ୍ପାଦନ କ୍ଷେତ୍ରରେ ଆମେ ସର୍ବଦା ଆଗରେ ରହିଛୁ ଏବଂ ଏବେ ବିଶ୍ୱରେ ନେତୃତ୍ୱ ସ୍ଥାନରେ ଅଛୁ। କୃଷି ଉତ୍ପାଦନରେ ସାର ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ। ଆମର ଲକ୍ଷ୍ୟ ହେଲା ସାର ଆମଦାନି ହ୍ରାସ କରି ଏ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ଆମ ଚାଷୀଙ୍କୁ ସୁଲଭ ମୂଲ୍ୟରେ ରାସାୟନିକ ସାର ଯୋଗାଇଦେବାକୁ ଅଙ୍ଗୀକୃତ ହୋଇ କାର୍ଯ୍ୟ କରୁଛୁ ବୋଲି ସେ କହିଥିଲେ।

କୃଷିମନ୍ତ୍ରୀ ଆହୁରି କହିଥିଲେ ଯେ ସାରର ଆମଦାନି କମାଇ ଏଥିରେ ଆତ୍ମନିର୍ଭର ହେବା ପାଇଁ ସମସ୍ତଙ୍କର ସହଯୋଗ ଲୋଡା। ଆମ ଚାଷୀମାନେ ଅତି ଉଚ୍ଚମାନର କୃଷିଜାତ ସାମଗ୍ରୀ ଉତ୍ପାଦନ କରୁଛନ୍ତି ଏବଂ ଏହାର ରପ୍ତାନି ଚାହିଦା ବେଶ୍ ଭଲ। ଦେଶର କୃଷି କ୍ଷେତ୍ରର ଅଧିକ ଉନ୍ନତି ପାଇଁ ସରକାର ସବୁସ୍ତରରୁ ପ୍ରସ୍ତାବ ଆହ୍ୱାନ କରୁଛନ୍ତି। ଟେକ୍ନୋଲୋଜି ହେଉ ଅଥବା ଅନ୍ୟ କିଛି, ଚାଷୀ ଓ ଚାଷର ଉନ୍ନତ ପାଇଁ ଯାହା ଉଚିତ ତାହା କରିବାକୁ ସରକାର ପ୍ରସ୍ତୁତ।

କେନ୍ଦ୍ର ସାର ସଚିବ ଆର୍.କେ ଚତୁର୍ବେଦୀ ଏହି ବୈଠକରେ ଦେଶର ରାସାୟନିକ ସାରର ସ୍ଥିତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ଏଥିରେ ସାରର ବ୍ୟବହାର, ଚାହିଦା, ଯୋଗାଣ, ଜାତୀୟ ଓ ଆନ୍ତର୍ଜାତିକ ମୂଲ୍ୟ, କଞ୍ଚାମାଲ ଓ ସବ୍‌ଡି ଏବଂ ଆମଦାନି ଆଦି ସମ୍ପର୍କରେ ଗତ ତିନିବର୍ଷର ତଥ୍ୟ ସେ ପ୍ରଦାନ କରିଥିଲେ। ଗତ ଦଶବର୍ଷ ମଧ୍ୟରେ ସରକାର ପ୍ରତି ବସ୍ତା ସାର ଉପରେ ଦେଉଥିବା ରିହାତିର ଏକ ତୁଳନାତ୍ମକ ତଥ୍ୟ ମଧ୍ୟ ଏଥିରେ ସେ ଦେଇଥିଲେ।

ସମ୍ବନ୍ଧିତ ଖବର