କୋଭିଡ୍-୧୯ ମାମଲାଜନିତ ‘ହୋମ୍ ଆଇସୋଲେସନ୍’ ପାଇଁ ସଂଶୋଧିତ ଗାଇଡ୍ଲାଇନ୍ ଜାରି
ନୂଆଦିଲ୍ଲୀ: ଘରେ ଏକାନ୍ତବାସ (ହୋମ୍ ଆଇସୋଲେସନ୍) କରୁଥିବା କୋଭିଡ୍-୧୯ ଆକ୍ରାନ୍ତଙ୍କ ନିମନ୍ତେ କେନ୍ଦ୍ର ସରକାର ସଂଶୋଧିତ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସଂଶୋଧିତ ଗାଇଡ୍ଲାଇସନ୍ ଅନୁସାରେ, ପଜିଟିଭ୍ ବାହାରିବାର ଅନ୍ୟୂନ ୭ ଦିନ ଧରି ଘରେ ରହିବା ସହ କ୍ରମାଗତ ୩ ଦିନ ଧରି ଜର ନ ହୋଇଥିବା ଆକ୍ରାନ୍ତମାନେ ଆଉ ଏକାନ୍ତବାସରେ ରହିବେ ନାହିଁ। ଏକାନ୍ତବାସ ସମୟ ଶେଷ ହେବା ପରେ ପୁଣି ଥରେ ନମୁନା ପରୀକ୍ଷା କରିବା ଅନାବଶ୍ୟକ କିନ୍ତୁ, ସେମାନେ ମାସ୍କ୍ ପିନ୍ଧିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଲକ୍ଷଣ ନ ଥାଇ ସଂକ୍ରମିତ ବ୍ୟକ୍ତିମାନେ ମଧ୍ୟ କୋଭିଡ୍ ଟେଷ୍ଟ୍ କରାଇବା କିଂବା ଘରେ କ୍ବାରେଣ୍ଟିନ୍ରେ ଥିବା ବେଳେ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଅନାବଶ୍ୟକ ବୋଲି ନୂଆ ଗାଇଡ୍ଲାଇନ୍ରେ ଉଲ୍ଲେଖ ଅଛି।
ପ୍ରତିଦିନ ଜିଲ୍ଲା ପ୍ରଶାସନ ‘ହୋମ୍ ଆଇସୋଲେସନ୍’ରେ ଥିବା ସମସ୍ତ ଆକ୍ରାନ୍ତଙ୍କର ଦେଖାଶୁଣା କରିବ ବୋଲି ସଂଶୋଧିତ ଗାଇଡ୍ଲାଇନ୍ରେ କୁହାଯାଇଛି। ଏଥିପାଇଁ ଡିଷ୍ଟ୍ରିକ୍ଟ୍ଏବଂ ସବ୍-ଡିଷ୍ଟ୍ରିକ୍ଟ୍ କଣ୍ଟ୍ରୋଲ୍ ରୁମ୍ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବା ସହ ସେମାନଙ୍କର ଟେଲିଫୋନ୍ ନମ୍ବର ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରାଯିବ। ଫଳତଃ, ହୋମ୍-ଆଇସୋଲେସନ୍ରେ ଥିବା ଜନସାଧାରଣ ଆବଶ୍ୟକ କ୍ଷେତ୍ରରେ ଅବାଧରେ ଆମ୍ବୁଲାନ୍ସ୍ ଯୋଗେ ଘରୁ ‘ଡେଡିକେଟେଡ୍ ହସ୍ପିଟାଲ୍’କୁ ଯାଇ ପାରିବେ।
ହୋମ୍ ଆଇସୋଲେସୋନ୍ରେ ଥବା ରୋଗୀମାନଙ୍କ ଅବସ୍ଥା ବୁଝିବାକୁ ଉକ୍ତ କଣ୍ଟ୍ରୋଲ୍ରୁମ୍ ସବୁ ନିଜଆଡୁ ଫୋନ୍ କରିବା ଉଚିତ।
ଘରେ କୌଣିସ ବ୍ୟକ୍ତି ‘ଏକାନ୍ତବାସ’ରେ ରହିଲେ ସେ ପରିବାରର ବାକି ସଦସ୍ୟମାନେ ‘କ୍ବାରେଣ୍ଟିନ୍’ରେ ରହିବେ। ‘ଏକାନ୍ତବାସ’ରେ ଥିବା ବ୍ୟକ୍ତି କେବଳ ତାଙ୍କ ପାଇଁ ଉଦ୍ଦିଷ୍ଟ ବାୟୁ ଚଳାଚଳ କରୁଥିବା କୋଠରିରେ ରହିବେ। ପରିବାରର ଅନ୍ୟାନ୍ୟ ସଦସ୍ୟଙ୍କ ସହ ମିଳାମିଶା କରିବେ ନାହିଁ। ‘ଏକାନ୍ତବାସୀ’ ସର୍ବଦା ତିନି ପରସ୍ତିଆ ‘ମେଡିକାଲ୍ ମାସ୍କ୍’ ବ୍ୟବହାର କରିବେ। ପ୍ରତି ୮ ଘଣ୍ଟାରେ ଥରେ ସେ ମାସ୍କ୍ ବଦଳାଇବା ଉଚିତ। ତାଙ୍କର ତତ୍ତ୍ବ ନେଉଥିବା ବ୍ୟକ୍ତି ‘ଏନ୍-୯୫’ ମାସ୍କ୍ ପରିଧାନ କରିବା ଉଚିତ।
ହୋମ୍-ଆଇସୋଲେସନ୍ରେ ଥିବା ରୋଗୀ ପ୍ରଚୁର ପାଣି ପିବା ସହ ଯଥେଷ୍ଟ ବିଶ୍ରାମ ନେବା ଆବଶ୍ୟକ। ସେ ଅନ୍ୟୂନ ୪୦ ସେକେଣ୍ଡ୍ ଧରି ସାବୁନ ଫେଣରେ ହାତ ଧୋଇବା କିଂବା ଆଲ୍କହଲ୍ ଦିଆ ସାନିଟାଇଜର୍ରେ ହାତ ସଫା କରିବା ଉଚିତ। ବାସନକୁସନ ସମେତ ଘରର ଅନ୍ୟ ସଦସ୍ୟଙ୍କ ସହ ତାଙ୍କ ବ୍ୟକ୍ତିଗତ ସାମଗ୍ରୀ ସେୟାର୍ କରିବା ଅନୁଚିତ।
ସାବୁନ୍/ଡିଟର୍ଜେଣ୍ଟ୍ ଏବଂ ପାଣିରେ ଥରକୁ ଥର ଘରର ଚଟାଣ, ଟେବୁଲ୍, ଦୁଆର ନବ୍, ହ୍ୟାଣ୍ଡ୍ଲ୍ ଆଦି ପରିଷ୍କାର କରିବା ଆବଶ୍ୟକ। ରୋଗୀ ପାଖରେ ‘ବ୍ଲଡ୍ ଅକ୍ସିଜେନ୍ ସାଚ୍ୟୁରେଟର୍’ ଏବଂ ‘ପଲ୍ସ୍ ଅକ୍ସିମିଟର୍’ ରଖିବା ଉଚିତ। ରୋଗୀ ତାଙ୍କ ଶରୀରର ଦୈନିକ ତାପମାତ୍ରା ଟିପି ରଖିବା ଉଚିତ। ତାପମାତ୍ରାରେ ହ୍ରାସ ବୃଦ୍ଧି ଘଟିଲେ ତୁରନ୍ତ କଣ୍ଟ୍ରୋଲ୍ ରୁମ୍କୁ ଜଣାଇବା ଆବଶ୍ୟକ। ରୋଗୀ ଦୈନିକ ୩ ଥର ଗରମ ପାଣିରେ ‘ଗାର୍ଗଲ୍’ କରିବା ସହ ‘ଷ୍ଟିମ୍ ଇନ୍ହେଲର୍’ ନେବା ଉଚିତ। ଔଷଧ ଖାଇ ଯଦି ଦେହରୁ ତାପମାତ୍ରା ନ କମେ ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ୬୫୦ ମିଲିଗ୍ରାମ୍ର ପାରାସିଟାମଲ୍ ବଟିକା ଖାଇବେ।