ନୂଆଦିଲ୍ଲୀ: ଅସମ୍ଭବକୁ ସମ୍ଭବ କରି ଦେଖାଇଦେଲେ ରୢାଟ୍ ହୋଲ୍ ମାଇନର୍ସ। ଯାହା କରିପାରିଲା ନାହିଁ ଆମେରିକା ନିର୍ମିତ ଅଗର ଡ୍ରିଲିଂ ମେସିନ୍, ତାହା ରୢାଟ୍ ହୋଲ୍ ମାଇନର୍ସଙ୍କ ଯୋଗୁଁ ସମ୍ଭବ ହୋଇପାରିଲା। ଦୀର୍ଘ ୧୭ ଦିନ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ୪୧ ଜଣ ଶ୍ରମିକଙ୍କୁ ମିଳିଲା ନୂଆ ଜୀବନ।

Advertisment

ମଙ୍ଗଳବାର ଅପରାହ୍ନ ୨ଟା ସୁଦ୍ଧା ରୢାଟ୍ ହୋଲ୍ ମାଇନର୍ସର ସ୍ବତନ୍ତ୍ର ଟିମ୍ ୨୪ ଘଣ୍ଟା ଭିତରେ ଅନ୍ତିମ ପ୍ରତିବନ୍ଧକ ହଟାଇଦେଇଥିଲେ। ଉତ୍ତରାଖଣ୍ଡର ସିଲ୍କୟାରା-ବାରକୋଟ୍‌ ଟନେଲ୍‌ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଥିଲା ସନ୍ଧ୍ୟା ୭ଟାରେ। ଏନ୍‌ଡିଆର୍‌ଏଫ୍‌ର ସ୍ବତନ୍ତ୍ର ଟିମ୍ ୮୦୦ ମିମି ପାଇପ୍ ଦେଇ ଟନେଲ ଭିତରକୁ ପ୍ରଥମେ ପ୍ରବେଶ କରିଥିଲେ। ସେଠାରେ ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ଓ ମାନସିକ ସ୍ଥିତି ଯାଞ୍ଚ କରାଯାଇଥିଲା। ଏହାପରେ ଜଣେ ପରେ ଜଣେ ଶ୍ରମିକଙ୍କୁ ସ୍ବତନ୍ତ୍ର ଭାବେ ନିର୍ମିତ ଷ୍ଟ୍ରେଚରରେ ପାଇପ୍ ଜରିଆରେ ବାହାରକୁ ନିଆଯାଇଥିଲା। ପ୍ରଥମ ଶ୍ରମିକ ବାହାରକୁ ଆସିବା କ୍ଷଣି ସେଠାରେ ଉପସ୍ଥିତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ଉଦ୍ଧାରକାରୀ ଦଳ ଓ ଶ୍ରମିକମାନଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା। ପ୍ରଥମେ ବାହାରିଥିବା ଶ୍ରମିକଙ୍କୁ ଫୁଲମାଳ ପିନ୍ଧାଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସ୍ବାଗତ କରିଥିଲେ। ରାତି ୮ଟା ୫‌ରେ ସୁଡ଼ଙ୍ଗ ଭିତରୁ ଆମ୍ବୁଲାନ୍ସରେ ପ୍ରଥମ ଶ୍ରମିକଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ରାତି ସାଢ଼େ ୮ଟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ବାହାର କରାଯାଇଥିଲା।

ଏହି ଉଦ୍ଧାର ଅଭିଯାନର ବଡ଼ ସଫଳତା ରୢାଟ୍ ହୋଲ୍‌ ମାଇନର୍ସର (ମୂଷା ଗାତ ଖନନ ପଦ୍ଧତିରେ ଖଣି ଖନନକାରୀ) ମାନେ ଆଣି ଦେଇଛନ୍ତି। ସେନା ଏବଂ ଉଦ୍ଧାରକାରୀ ଦଳ ଚଳାଇଥିବା ଏହି ଅପରେସନ୍ ଉପରେ ସାରା ଦେଶର ନଜର ରହିଥିଲା। ଉତ୍ତର ପ୍ରଦେଶରୁ ଆସିଥିବା ୨୪ ଜଣିଆ ରୢାଟ୍‌ ହୋଲ୍‌ ମାଇନର୍ସ ଶେଷ ୧୨ ମିଟର ବର୍ଜ୍ୟବସ୍ତୁ ସଫା କରିବାରେ ଆଜି ସଫଳ ହୋଇଥିଲେ। ଟନେଲର ୬୦ ମିଟର ପର୍ଯ୍ୟନ୍ତ ଭୁଶୁଡ଼ି ପଡ଼ିଥିବା ପାହାଡ଼ାର ଗାତ କରିବା ଲାଗି ଅଗର ମେସିନକୁ ନିୟୋଜିତ କରାଯାଇଥିଲା। କିନ୍ତୁ ୫୦ ମିଟର ଡ୍ରିଲିଂ କରିବା ପରେ ଏହି ମେସିନ୍ ଭାଙ୍ଗି ପଡ଼ିଥିଲା। ଶେଷ ୧୨ ମିଟର ଡ୍ରିଲିଂ ପାଇଁ ସେନା ଓ ରୢାଟ୍ ହୋଲ ମାଇନର୍ସଙ୍କ ସହାୟତା ନିଆଯାଇଥିଲା। ଗତକାଲି ସନ୍ଧ୍ୟାରୁ ଏହି ମାଇନର୍ସ ୮୦୦ ଏମଏମ୍ ପାଇପ୍‌ ଭିତରେ ପଶି ହାତ ମେସିନ୍‌ରେ ଗ୍ରିଲିଂ କରିଥିଲେ। ଗ୍ରିଲିଂ ଶେଷ ହେବାପରେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପାଇଁ ଟନେଲରେ ୮୦୦ ଏମଏମ୍ ପାଇପ୍ ପୁସ୍ କରାଯାଇଥିଲା। ଏହାସହିତ ସବୁ ବାଧା ହଟିଯାଇଥିଲା ଏବଂ ଏନ୍‌ଡିଆର୍‌ଏଫ୍‌ ଯବାନ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ, ନଭେମ୍ବର ୧୨ ତାରିଖରେ ସିଲ୍କୟାରା ପାର୍ଶ୍ୱରୁ ୨୦୫ ରୁ ୨୬୦ ମିଟର ମଧ୍ୟରେ ଥିବା ଟନେଲର ଏକ ଅଂଶ ଭୁଶୁଡି ପଡ଼ିଥିଲା। ଶ୍ରମିକମାନଙ୍କ ପ୍ରସ୍ଥାନ ରାସ୍ତା ଅବରୋଧ ହୋଇଥିବାରୁ ଅତି ଜଟିଳ ସଙ୍କଟ ସୃଷ୍ଟି ହୋଇଥିଲା ଏବଂ ଏହାର ମୁକାବିଲା ପାଇଁ ଯୁଦ୍ଧସ୍ତରରେ ଉଦ୍ଧାର ଅଭିଯାନ ଜାରି ରହିଥିଲା।
ଏନଡିଏମଏ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ସୟଦ ଅଟା ହସେନ କହିଲେ, ଶ୍ରମିକଙ୍କୁ ପର୍ଯ୍ୟାୟକ୍ରମେ ଅତ୍ୟନ୍ତ ସତର୍କତାର ସହ ଉଦ୍ଧାର କରାଯାଇଥିଲା ଏବଂ ଅସ୍ଥାୟୀ ହସ୍ପିଟାଲରେ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା। ଜରୁରୀ ସ୍ଥିତିରେ ତୁରନ୍ତ ଶ୍ରମିକମାନଙ୍କ ସ୍ଥାନାନ୍ତର ପାଇଁ ଭାରତୀୟ ବାୟୁସେନା ଏକ ଚିନୁକ୍ ହେଲିକପ୍ଟର ମୁତୟନ କରିଛି। ୪୧ ଶ୍ରମିକଙ୍କ ଚିକିତ୍ସା ପାଇଁ ଏକ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରମାନେ ନିୟୋଜିତ ଅଛନ୍ତି। ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ଶ୍ରମିକଙ୍କ ପାଇଁ ସଂପୃକ୍ତ ରାଜ୍ୟ ସରକାରମାନେ ମଧ୍ୟ ବିହୀତ ବନ୍ଦୋବସ୍ତ କରିଛନ୍ତି। ଶ୍ରମିକମାନଙ୍କ ପରିବାହ ସହ ସରକାର ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସବୁ ସହାୟତା ଯୋଗାଇ ଦେଉଛନ୍ତି। ସମଗ୍ର ଉଦ୍ଧାର ପ୍ରକ୍ରିୟା ଉପରେ ନଜର ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଉଦ୍ଧାର ଅଭିଯାନର ସଫଳତା ସମସ୍ତଙ୍କୁ ଭାବପ୍ରବଣ କରିଦେଇଛି। ଟନେଲରେ ଫସିଥିବା ସାଥୀମାନଙ୍କୁ ମୁଁ କହିବାକୁ ଚାହୁଛି ଯେ, ଆପଣମାନଙ୍କ ଧୈର୍ଯ୍ୟ ଓ ସାହସ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ଆପଣମାନଙ୍କ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି।

ସୂଚନାଯୋଗ୍ୟ, ଉତ୍ତରକାଶୀରେ ନିର୍ମାଣାଧୀନ ଥିବା ୪.୫ କିମି ବିଶିଷ୍ଟ ସୁଡ଼ଙ୍ଗ କେନ୍ଦ୍ର ସରକାରଙ୍କ ମହତ୍ତ୍ବାକାଂକ୍ଷୀ ଚାରି ଧାମ ସଂଯୋଗ ପ୍ରକଳ୍ପର ଏକ ଅଂଶବିଶେଷ। ଉତ୍ତରାଖଣ୍ଡରେ ଥିବା ହିନ୍ଦୁମାନଙ୍କର ୪ଟି ଯାକ ପବିତ୍ର ଧାମ ଯଥା ବଦ୍ରିନାଥ, କେଦାରନାଥ, ‌ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀକୁ ଏହି ସୁଡ଼ଙ୍ଗ ସବୁଦିନିଆ ରାସ୍ତା ସୁବିଧା ପ୍ରଦାନ କରିବ। ଏହାର ନାମ ସିଲ୍କୟାରା ସୁଡ଼ଙ୍ଗ ରହିଛି। ଉତ୍ତରକାଶୀ ଜିଲ୍ଲାରେ ସିଲ୍କୟାରା ଓ ଡଣ୍ଡଲଗାଓଁ ମଧ୍ୟରେ ଏହି ସୁଡ଼ଙ୍ଗ ଯୋଗାଯୋଗ ସ୍ଥାପନ କରିବ। ଏହା ଏକ ଡବଲ ଲେନ୍ ସୁଡ଼ଙ୍ଗ। ଚାରି ଧାମ ପ୍ରକଳ୍ପ ମଧ୍ୟରେ ଏହା ସବୁଠୁ ଲମ୍ବା ସୁଡ଼ଙ୍ଗ। ସିଲ୍କୟାରା ପଟୁ ପ୍ରାୟ ୨.୪ କିମି ଏବଂ ବିପରୀତ ପଟୁ ୧.୭୫ କିମି ନିର୍ମାଣ ଶେଷ ହୋଇଛି। ଉକ୍ତ ସୁଡଙ୍ଗ ନିର୍ମାଣ ହେଲେ ଚାରି ଧାମ ଯାତ୍ରା ପାଇଁ ସମୟ ୪ ଘଣ୍ଟା କମିଯିବ ବୋଲି ଆଶା ରଖାଯାଇଛି। ହାଇଦ୍ରାବାଦର ନବଯୁଗ ଇଞ୍ଜିନିୟରିଂ କମ୍ପାନି ଲିମିଟେଡ ଦ୍ବାରା ଏହି ସୁଡ଼ଙ୍ଗ ନିର୍ମାଣ ହେଉଛି। ନଭେମ୍ବର ୧୨ ତାରିଖରେ ସିଲ୍କୟାରା ପଟୁ ସୁଡ଼ଙ୍ଗ ଭୁଶୁଡ଼ି ପଡ଼ିଥିଲା। ୨୦୫ ମିଟରରୁ ୨୬୦ ମିଟର ମଧ୍ୟରେ ଏହି ଅଘଟଣ ଘଟିଥିଲା। ସୁଡ଼ଙ୍ଗ ଭିତରେ ୨୬୦ ମିଟର ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ତାହା ଭିତରେ ଫସି ଯାଇଥିଲେ।