ନିଶା କାରବାର ଅଭିଯୋଗରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ମୁମ୍ବାଇ : ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଆଜି ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି । ପ୍ରାୟ ଦୁଇଦିନ ଧରି ଜେରା ପରେ ତାଙ୍କୁ ଏନସିବି ପକ୍ଷରୁ ଏନଡିପିଏପ୍ ଆଇନ ଅନୁସାରେ ଗିରଫ କରିଥିବା ଜଣାଯାଇଛି ।

ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯିବ ଓ ଅଧିକ ତଦନ୍ତ ନିମନ୍ତେ ତାଙ୍କୁ ହାଜତକୁ ନେବା ପାଇଁ ଏନସିବି ପକ୍ଷରୁ ଆବେଦନ କରାଯିବ । ହାଜତକୁ ନିଆଯିବା ପରେ ତାଙ୍କୁ ପୂର୍ବରୁ ଗିରଫ ତାଙ୍କ ଭାଇ ସୌଭିକ, ସାମୁଏଲ ମିରାଣ୍ଡା ଓ ଦିବେଶ ସାଓ୍ଵନ୍ତଙ୍କ ସହ ଏକାଠି ବସାଇ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ରହିଛି ।

କେତେକ ଜାତୀୟସ୍ତରର ଗଣମାଧ୍ୟମ ରିପୋର୍ଟ ଅନୁସାରେ ନିଶାକାରବାର ଓ ସେବନ ମାମଲାରେ ରିୟାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଏନସିବି ହାତରେ ଲାଗିଛି ।

ଗତ ଶୁକ୍ରବାରଦିନ ଏନଏବି ପକ୍ଷରୁ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସୁଶାନ୍ତଙ୍କ ପୂର୍ବତନ ହାଉସ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା । ସେହିଦିନ ରାତିରେ ଏନସିବି ପକ୍ଷରୁ ସୌଭିକ, ମିରାଣ୍ଡା ଓ ସାଓ୍ଵନ୍ତକୁ ମୁହାଁମୁହିଁ ବସାଇ ଜେରା କରିଥିଲା । ତାହାର ପରଦିନ ଅର୍ଥାତ ଶନିବାରଦିନ ସାଓ୍ଵନ୍ତକୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ସାମୁଏଲ ମିରାଣ୍ଡା ସ୍ୱୀକାର କରିଥିଲା ଯେ ସେ ସୁଶାନ୍ତଙ୍କ ପାଇଁ ସେପ୍ଟେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଗଞ୍ଜେଇ ସଂଗ୍ରହ କରୁଥିଲା ।

ସମ୍ବନ୍ଧିତ ଖବର