ମୁମ୍ବାଇ: ଅଭିିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ଅଭିନେତ୍ରୀ ରିୟା ତାଙ୍କ ଜୀବନ ଏବଂ ପରିବାର ଉପରେ ବିପଦ ରହିଛି ବୋଲି ଦର୍ଶାଇ ମୁମ୍ବାଇ ପୁଲିସ୍କୁ ସୁରକ୍ଷା ମାଗିଛନ୍ତି। ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇରେ ତାଙ୍କ ବାସଭବନ ବାହାରେ କିଛି ଗଣମାଧ୍ୟମ ପ୍ରତିନିଧ ଘେରି ଯାଇ ହଇରାଣ କରୁଥିବାର ଏକ ଭିଡିଓ ସେ ସୋସିଆଲ୍ ମିଡିଆରେ ସେୟାର୍ କରି ପରେ ଡିଲିଟ୍ କରି ଦେଇଥିଲେ।
ଭିଡିଓ ପୋଷ୍ଟ୍ କରି ସେ ଲେଖିଥିଲେ, ‘ଏହା ମୋର ବିଲଡିଂ ପରିସର ଭିତରର ଦୃଶ୍ୟ। ଏହି ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ମୋର ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ (ଅବସରପ୍ରାପ୍ତ ସେନା ଅଧିକାରୀ)। ଇଡି, ସିବିଆଇ ଆଦି ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହ ସହଯୋଗ କରିବାକୁ ଆମେ ଆମ ଘରୁ ବାହାରକୁ ଯିବାକୁ ଚେଷ୍ଟା କରୁଛୁ। ମାତ୍ର ଆମ ଜୀବନ ପ୍ରତି ବିପଦ ରହିଛି। ଆମେ ସ୍ଥାନୀୟ ପୁଲିସ୍କୁ ଜଣାଇଛୁ। ହେଲେ ଏଯାଏ କୌଣସିି ସହାୟତା ଯୋଗାଇ ଦିଆଯାଇ ନାହିଁ। ଏପରି ଅବସ୍ଥାରେ ଆମ ପରିବାର କିପରି ଚଳିବ? ମୁମ୍ବାଇ ପୁଲିସକୁ ଅନୁରୋଧ କରୁଛି ଦୟାକରି ସୁରକ୍ଷା ଯୋଗାଇ ଦିଅନ୍ତୁ ଯାହା ଦ୍ବାରା ଆମେ ତଦନ୍ତରେ ସହଯୋଗ କରିପାରିବୁ। ଏହି କୋଭିଡ-୧୯ ସମୟରେ ଆମକୁ ମୌଳିକ ଆଇନ ଏବଂ ନିୟମ ଅନୁସାରେ ସୁରକ୍ଷା ଯୋଗାଇ ଦିଆଯିବା ଆବଶ୍ୟକ।’
ଅନ୍ୟପକ୍ଷରେ, ନିକଟରେ ଏକ ଗଣମାଧ୍ୟମ ସଂସ୍ଥାକୁ ନିଜର ସାକ୍ଷାତ୍କାର ଦେଇ ରିୟା କହିଛନ୍ତି ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ସହ ସେ କରିଥିବା ହ୍ବାଟ୍ସଆପ୍ ଚାଟ ସହ ସୁଶାନ୍ତଙ୍କର କୌଣସି ସଂପର୍କ ନାହିଁ। ଆପଣ ଜାଣିଥିବେ ନିଶ୍ଚୟ ଯେ ଅତୀତରେ ସିନେ ନିର୍ମାତା ମହେଶଙ୍କ ସହ ରିୟା କରିଥିବା ହ୍ବାଟ୍ସଆପ୍ ସାମ୍ନାକୁ ଆସିଥିଲା। ହ୍ବାଟ୍ସ୍ଆପ୍ ଚାଟରୁ ରିୟା ଓ ମହେଶଙ୍କ ଭିତରର ଘନିଷ୍ଠତା ସାମ୍ନାକୁ ଆସିଥିଲା।