ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଏବଂ ବେଆଇନ ନିଶା କାରବାର ଅଭିଯୋଗରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେଫାଜତକୁ ପଠାଇ ଦିଆଯାଇଛି। ଆଜି ସଂଧ୍ୟାରେ ରିୟା ତାଙ୍କ ଓକିଲଙ୍କ ଜରିଆରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ଏନ୍ସିବି ତାଙ୍କ ଜାମିନ ଆବେଦନର ବିରୋଧ କରିବା ସହ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବାକୁ ଯୁକ୍ତି ବାଢ଼ିଥିଲା । ଭିଡିଓ କନଫରେନସିଂ ଜରିଆରେ ମୁମ୍ବାଇର ଏକ ଅଦାଲତ ଏହି ମାମଲାର ଶୁଣାଣି କରି ରିୟାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇ ଦେଇଛନ୍ତି। ଏବେ ତାଙ୍କୁ ଜେଲକୁ ପଠାଇ ଦିଆଯିବ।
ଉଲ୍ଲେଖଯୋଗ୍ୟ, ବେଆଇନ ନିଶା କାରବାର ଅଭିଯୋଗରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଆଜି ଗିରଫ କରିବା ପରେ ତାଙ୍କ ବିରୋଧରେ ଧାରା ୮ (ସି), ୨୦ (ବି), ୨୭ (ଏ), ୨୮ ଏବଂ ୨୯ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିଥିଲା । ଗିରଫ କରିବା ପରେ ଏନ୍ସିବି ଅଧିକାରୀମାନେ ଅଭିନେତ୍ରୀ ରିୟାଙ୍କୁ ସିଓନ୍ ହସ୍ପିଟାଲକୁ ନେଇ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ପୁଣି ରିୟାଙ୍କୁ ଏନ୍ସିବି କାର୍ଯ୍ୟାଳୟକୁ ଅଣାଯାଇ ଥିଲା। ସନ୍ଧ୍ୟା ସାଢ଼େ ୭ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ରିୟାଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଅଭିନେତ୍ରୀ ରିୟା କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ ଏନସିବି ଏହାକୁ ବିରୋଧ କରିଥିଳା। ଏନସିବି କୋର୍ଟରେ ରିୟା ଚକ୍ରବର୍ତ୍ତୀଙ୍କ ନ୍ୟାୟିକ ହେପାଜତ ମାଗିବ ବୋଲି କହିଥିଲେ ଏନ୍ସିବିର ଡେପୁଟି ଡାଇରେକ୍ଟର ଜେନେରାଲ ଏମ୍ ଏ ଜୈନ୍। ସେ କହିଥିଲେ, ଆମେ ତାଙ୍କ ଜାମିନକୁ ବିରୋଧ କରିଥିଲୁ । ଆମର ପ୍ରାଥମିକ ତଦନ୍ତ ଯଥେଷ୍ଟ ହୋଇଛି। ତେଣୁ, ରିୟାଙ୍କ ରିମାଣ୍ଡ ନମାଗି ଆମେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ଚାହୁଁଛୁ ବୋଲି କହିଛନ୍ତି ଏନସିବି ଅଧିକାରୀ।
/sambad/media/post_attachments/wp-content/uploads/2020/09/Riha.jpg)
ଆଜି ୩ୟ ଦିନର ଜେରା ସମୟରେ ଏନ୍ସିବି ସମ୍ମୁଖରେ ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଛନ୍ତି ଯେ ସେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ମିଶି ସିଗାରେଟରେ ଗଞ୍ଜେଇ ପୂରାଇ ଟାଣୁଥିଲେ। ୨୦୦୬ ମସିହାରୁ ତାଙ୍କର ଡ୍ରଗ୍ସ ନେବା ଅଭ୍ୟାସ ଅଛି। ଦିବଂଗତ ଅଭିନେତା ସୁଶାନ୍ତ ଓ ସେ ଉଭୟ ଏହି ନିଶା ଗ୍ରହଣ କରୁଥିଲେ ବୋଲି ଏନ୍ସିବି ଆଗରେ ମାନିଛନ୍ତି ରିୟା।
ରିୟାଙ୍କ ପୁରୁଣା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଟାବଲେଟର ଫୋରେନସିକ୍ ତଦନ୍ତ ପରେ ଏନ୍ସିବିକୁୁ ଗୁଡ଼ାଏ ତଥ୍ୟ ମିଳିଛି। ରିୟାଙ୍କ ଘରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣରୁ ବହୁ ଗୁରୁତ୍ବପୂୂର୍ଣ୍ଣ ତଥ୍ୟ ମିଳିବା ପରେ ତଦନ୍ତ ପୂର୍ବାପେକ୍ଷା ବେଶ୍ ସହଜ ହୋଇପଡ଼ିଥିଲା।
ରିୟାଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣରୁ ମିଳିଥିବା ତଥ୍ୟରୁ ଜାଣିବାକୁ ମିଳିଥିଲା ଯେ ରିୟା ୨୦୧୭, ୨୦୧୮ ଓ ୨୦୧୯ ମସିହାରେ ଡ୍ରଗ୍ସ କାରବାରରେ ବେଶ୍ ସକ୍ରିୟ ଥିଲେ। ତଦନ୍ତକାରୀ ସଂସ୍ଥା ରିୟାଙ୍କ ଘରୁ ଡ୍ରଗ୍ ସର୍କଲ ସହିତ ଜଡିତ ଅନେକ ଫଟୋଗ୍ରାଫ୍, ଭିଡିଓ, ହ୍ବାଟ୍ସଆପ ଚାଟ୍ ଏବଂ ଏସ୍ଏମ୍ଏସ୍ ଉଦ୍ଧାର କରିଥିଲା। ଏନ୍ସିବି ରିୟାଙ୍କର ଡ୍ରଗ୍ସ କାରବାର ମାମଲାର ତଦନ୍ତ କରିବା ବେଳେ ବଲିଉଡ୍ର ବହୁ ଖ୍ୟାତ୍ୟାନାମା ବ୍ୟକ୍ତି ମଧ୍ୟ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି। ବଲିଉଡର ଅନେକ ପ୍ରସିଦ୍ଧ ତାରକା ବର୍ତ୍ତମାନ ଏନସିବି ସ୍କାନରରେ ଅଛନ୍ତି ଏବଂ ଦେଖିବାକୁ ବାକି ରହିଲା ଯେ ଏନସିବି ସେମାନଙ୍କୁ ପ୍ରଶ୍ନ କରିବ କି ନାହିଁ।