ମୁମ୍ବାଇ: ଅଭିନେତା ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ପଡ଼ିଛନ୍ତି ଅଭିନେତ୍ରୀ ତଥା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତ୍ତୀ। ତାଙ୍କ ବିରୋଧରେ ପ୍ରତାରଣା, ଠକେଇ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ଲାଗିବା ପରେ ତଦନ୍ତ ଜୋର୍‌ ଧରିଛି। ସୁଶାନ୍ତଙ୍କ ବାପା ଏ ସଂକ୍ରାନ୍ତରେ ଏତଲା ଦେବା ପରେ ବିହାର ପୁଲିସ ପକ୍ଷରୁ ତଦନ୍ତକୁ ତ୍ବରାନ୍ବିତ କରାଯାଇଛି। ଆଜି ବିହାର ପୁଲିସ୍ ମହାନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ ଅଭିନେତ୍ରୀ ‌ରିୟା ଚକ୍ରବର୍ତ୍ତୀଙ୍କୁ ଠାବ କରାଯାଇ ପାରୁନାହିଁ। ମୁମ୍ବାଇ ଯାଇଥିବା ବିହାର ପୁଲିସ ଟିମ୍ ତାଙ୍କୁ ଖୋଜି ପାଉନାହିଁ।

Advertisment

ତେବେ ଜାଣିବାକୁ ମିଳିଛି ଯେ ମାମଲାକୁ ଭୟ କରି ରିୟା ଚକ୍ରବର୍ତ୍ତୀ ପୁଲିସ୍‌କୁ ସହଯୋଗ କରିବା ପରିବର୍ତ୍ତେ କେଉଁଆଡ଼େ ପଳେଇ ଯାଇଛନ୍ତି। ତାଙ୍କ ଫୋନ୍‌କୁ ଲଗାଇଲେ ବି ନମ୍ବର ସୁଇଚ୍‌ ଅଫ୍‌ ଆସୁଛି।

publive-image
UP Varta News

ବିହାର ପୁଲିସ୍‌ର ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ରିୟାଙ୍କୁ ସୁଶାନ୍ତଙ୍କ ସଂପର୍କରେ ପ୍ରଶ୍ନ ପଚାରିବାକୁ ଏକ ତାଲିକା ପ୍ରସ୍ତୁତ କରି ରଖିଥିବା ବେଳେ ରିୟା କିନ୍ତୁ ସାମ୍ନାକୁ ଆସୁନାହାନ୍ତି। ଏ ନେଇ ବିହାର ପୁଲିସ୍‌ ମହାରାଷ୍ଟ୍ର ଡିଜିପିଙ୍କ ସହାୟତା ଲୋଡିଛି।

ଆପଣ ଜାଣିଥିବ‌େ ନିଶ୍ଚୟ ଯେ ଶୁକ୍ରବାର ବିହାର ପୁଲିସ୍‌ର ଏକ ତଦନ୍ତକାରୀ ଦଳ ତଦନ୍ତ ପାଇଁ ରିୟା ଚକ୍ରବର୍ତ୍ତୀଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରୁ ରିୟା ମିଳିନଥିଲେ। ପୁଲିସ୍‌ ତାଙ୍କ ମୋବାଇଲ୍‌ ନମ୍ବର ଲଗାଇବାକୁ ଚେ‌ଷ୍ଟା କରିଥିଲା ମାତ୍ର ରିୟାଙ୍କ ନମ୍ବର ସୁଇଚ୍‌ ଅଫ୍‌ ଥିଲା।

ଏହା ପୂର୍ବରୁ ରିୟା ତାଙ୍କ ଓକିଲ ସତିସ ମନସିନ୍ଧେଙ୍କ ଜରିଆରେ ଏକ ଭିଡିଓ ପୋଷ୍ଟ୍‌ କରି ନିଜକୁ ନିର୍ଦୋଷ ବୋଲି ଦାବି କରିଥିଲେ। ଭିଡିଓ ଜାରି କରି ନ୍ୟାୟିକ ବ୍ୟବସ୍ଥା ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି ଓ ତାଙ୍କୁ ନିଶ୍ଚୟ ନ୍ୟାୟ ପାଇବେ ବୋଲି କହିଥିଲେ।