କୋଲ୍କାତା: ଉତ୍ତର ବଙ୍ଗର ଅଲୀପୁରଦ୍ବାର ଜିଲ୍ଲାସ୍ଥିତ ‘ଜଲ୍ଦାପାଡ଼ା ରାଷ୍ଟ୍ରୀୟ ଉଦ୍ୟାନ’ରେ ଶନିବାର ଦିନ ଦୁଇଟି ଗଣ୍ଡାର ଗୋଟାଏ ସଫାରି ଜିପ୍କୁ ଆକ୍ରମଣ କରିବାରୁ ସେଥିରେ ଥିବା ୭ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି।
ଗଣ୍ଡାରମାନେ ଆକ୍ରମଣ କରିବାରୁ ଚାଳକ ଘଟଣାସ୍ଥଳରୁ ଦ୍ରୁତ ବେଗରେ ଜିପ୍ ଚଳାଇ ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଚକା ଖସିଯିବାରୁ ଗାଡ଼ିଟି ଜଙ୍ଗଲ ମଧ୍ୟକୁ ପଡ଼ିଥିବା ରାସ୍ତାକୁ ଲାଗିଥିବା ଗୋଟାଏ ଟନେଲ୍କୁ ଖସିପଡ଼ିଲା।
ସଂଗୃହୀତ ସୂଚନା ଅନୁସାରେ, ସଫାରି ଜିପ୍ଟି ରାସ୍ତାରେ ଯାଉଥିବା ବେଳେ ସେଥିରେ ବସିଥିବା ପର୍ଯ୍ୟଟକମାନେ ରାସ୍ତାକୁ ଲାଗିଥିବା ବୁଦା ଦୋହଲୁଥିବା ଦେଖିଥିଲେ। ସେଥିରେ ଦୁଇଟି ଗଣ୍ଡାର ଲଢ଼େଇ କରୁଥିବା ଜାଣିବା ପରେ ସେମାନେ ଫଟୋ ଓ ଭିଡିଓ ଉଠାଇବାକୁ କ୍ୟାମେରା ବାହାର କରିଥିଲେ। ସେମାନେ ଫଟୋ ଓ ଭିଡିଓ ଉତ୍ତୋଳନରେ ମଜ୍ଜି ଯାଇଥିବା ବେଳେ ଗଣ୍ଡାରମାନଙ୍କ ଦୃଷ୍ଟି ଜିପ୍ ଉପରେ ପଡ଼ିଥିଲା। ସମସ୍ତଙ୍କ ଅଲକ୍ଷରେ ସେମାନେ ଧାଇଁ ଯାଇ ଜିପ୍କୁ ଆକ୍ରମଣ କରିଥିଲେ। ଚାଳକ କମଲ୍ ଗାଜି ଇଞ୍ଜିନ୍ ଷ୍ଟାର୍ଟ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଜିପ୍ ରାସ୍ତାରୁ ହଟିଯାଇ ସୁଡ଼ଙ୍ଗ ଭିତରେ ଖସିପଡ଼ି ଥିଲା।
Image Courtesy of The Sentinelଏହି ଦୁର୍ଘଟଣା ଯୋଗୁଁ ଜିପ୍ରେ ଥିବା ୭ଜଣଯାକ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣଙ୍କର ହାଡ଼ ଭାଙ୍ଗି ଯାଇଥିବା ବେଳେ ଆଉ କେତେକଙ୍କ ଦେହହାତ ଛେଚି ହୋଇ ଖଣ୍ଡିଆଖାବରା ହୋଇଛି।
ବନ ବିଭାଗ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ମଦାରିହାଟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆହତମାନଙ୍କ ମଧ୍ୟରୁ ଅବସ୍ଥା ସାଙ୍ଘାତିକ ହୋଇଥିବା ଦୁଇଜଣଙ୍କୁ ଅଲୀପୁରଦ୍ବାର ଜିଲ୍ଲା ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/rhino.jpg)