ରାଜ୍ୟସଭାରେ ଉଠିଲା ବଳକା ଚାଉଳ ପ୍ରସଙ୍ଗ

ନୂଆଦିଲ୍ଲୀ : ରାଜ୍ୟସଭାର ସୋମବାର ଦିନ ଓଡ଼ିଶାର ବଳକା ଚାଉଳ ପ୍ରସଙ୍ଗ ଉଠିଛି। ବିଜେଡି ସଭ୍ୟ ସସ୍ମିତ ପାତ୍ର ବଳକା ଚାଉଳ ଉଠାଇବା ସହ ଧାନ କିଣା ସବ୍‌ସିଡ଼୍‌ ବାବଦ ଅର୍ଥ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ, ରାଜ୍ୟରେ ପ୍ରାୟ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ଏବେ ବଳକା ରହିଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଉଠାଉ ନାହାନ୍ତି। ସେ କହିଥିଲେ ଯେ ଗତବର୍ଷ ଏଫ୍‌ସିଆଇ ୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଇଥିଲା। ଯଦି ଏଥରବି ସେହି ୧୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଯାଏ, ତା’ହେଲେ ୧୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଓଡିଶାରେ ଗଚ୍ଛିତ ରହିବ। ଏଥିପାଇଁ ରାଜ୍ୟକୁ ୪୧୬୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ‌ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଫ୍‌ସିଆଇ ଜରିଆରେ ତୁରନ୍ତ ୩୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ଉଠାଣ ପାଇଁ ବ୍ୟବସ୍ଥା କରିବାକୁ ସେ ଦାବି କରିଥିଲେ। ସେ କହିଥିଲେ ଯେ, ଧାନକିଣା ସବ୍‌ସିଡି ବାବଦକୁ ୫ ହଜାର ୬୧୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଉପରେ ବାକି ପଡ଼ିଛି । ସରକାର ତୁରନ୍ତ ଟଙ୍କା ପ୍ରଦାନ କରନ୍ତୁ। ସେହିଭଳି ଶୂନ୍ୟକାଳରେ ମମତା ମହାନ୍ତ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସବ୍‌ଡିଭିଜନ୍‌ରେ ଜବାହର ନବୋଦୟ ବିଦ୍ୟାଳୟ ସ୍ଥାପନ ପାଇଁ ଦାବ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ଜିଲ୍ଲାରେ ଗୋଟିଏ ନବୋଦୟ ବିଦ୍ୟାଳୟ ରହିଥିଲେ ସୁଦ୍ଧା ଆଉ ଗୋଟିଏର ଆବଶ୍ୟକତାର ରହିଛି। ଡ. ଅମର ପଟ୍ଟନାୟକ ସ୍ପେସାଲ୍‌ ମେନ୍‌ସନ୍‌ ଜରିଆରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଇତିହାସର ଅଧିକ ତଥ୍ୟ ଉନ୍ମୋଚନ ସକାଶେ ଆବଶ୍ୟକ ଗବେଷଣା ଓ ଅଧ୍ୟୟନକୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧିତ ଖବର