ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଉଭୟ ସାଧାରଣ ମାନର ଓ ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୬୯ ଟଙ୍କା ବଢ଼ିଛି। ଫଳରେ ସାଧାରଣ ମାନ ଧାନର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୨୩୬୯ ଟଙ୍କା ହୋଇଛି। ‘ଏ’ ଗ୍ରେଡ୍ ଧାନର ଏମ୍ଏସ୍ପି ୨୩୮୯ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ହାଇବ୍ରିଡ୍ ଯଅର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୩୨୮ ଟଙ୍କା ବୃଦ୍ଧି ପାଇ ୩୬୯୯ ଟଙ୍କା ଏବଂ ମାଲଦାଣ୍ଡି ମାନର ଯଅ ମୂଲ୍ୟ ୩୭୪୯ ଟଙ୍କାକୁ ବୃଦ୍ଧି ପାଇଛି। ବାଜାରା ଏମ୍ଏସ୍ପି ୧୫୦ ଟଙ୍କା ବଢ଼ି ୨୭୭୫ ଟଙ୍କା, ମାଣ୍ଡିଆ ଦାମ୍ ୫୯୬ ଟଙ୍କା ବୃଦ୍ଧି ପାଇ ୪୮୮୬ ଟଙ୍କା ହୋଇଛି। ମକା ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୧୭୫ ଟଙ୍କା ବୃଦ୍ଧି ସହ ୨୪୦୦ ଟଙ୍କା ହୋଇଛି।
ଡାଲିରେ ହରଡ଼ କ୍ବିଣ୍ଟାଲ୍ ପିଛା ଦାମ୍ ୪୫୦ ଟଙ୍କା ବୃଦ୍ଧି ପାଇ ୮୦୦୦ ଟଙ୍କା ହୋଇଛି। ମୁଗ ଦାମ୍ ୮୬ ଟଙ୍କା ବଢ଼ି ୮୭୬୮ ଟଙ୍କା ହୋଇଛି। ବିରିର ଏମ୍ଏସ୍ପି କ୍ବିଣ୍ଟାଲ୍ ପିଛା ୪୦୦ ଟଙ୍କା ବୃଦ୍ଧି ପାଇ ୭୮୦୦ ଟଙ୍କା ହୋଇଛି। ବାଦାମ ଦାମ୍ ଏହି ସମୟରେ ୪୮୦ ଟଙ୍କା ବୃଦ୍ଧି ପାଇ ୭୨୬୩ ଟଙ୍କାରେ ପହଞ୍ଚିଛି। ସୂର୍ଯ୍ୟମୁଖୀ ମଞ୍ଜିର କ୍ବିଣ୍ଟାଲ୍ ପିଛା ଏମ୍ଏସ୍ପି ୪୪୧ ଟଙ୍କା ବୃଦ୍ଧି ସହ ୭୭୨୧ ଟଙ୍କା ହୋଇଛି। ସୋୟାବିନ (ହଳଦିଆ)ର ଦାମ୍ ୪୩୬ ଟଙ୍କା ବୃଦ୍ଧି ପାଇ ୫୩୨୮ ଟଙ୍କା ହୋଇଛି। ରାଶି କ୍ବିଣ୍ଟାଲ୍ ପିଛା ୫୭୯ ଟଙ୍କା ବୃଦ୍ଧି ପାଇ ୯୮୪୬ ଟଙ୍କା ହୋଇଛି। କଳା ରାଶି ବା ‘ନାଇଜର୍ ସିଡ୍’ର କ୍ବିଣ୍ଟାଲ୍ ପିଛା ଦାମ୍ ୮୨୦ ଟଙ୍କା ବୃଦ୍ଧି ପାଇ ୯୫୩୭ ଟଙ୍କା ହୋଇଛି। କପା (ମଧ୍ୟମ) ମୂଲ୍ୟ ୫୮୯ ଟଙ୍କା ବଢ଼ି ୭୭୧୦ ଟଙ୍କା ହୋଇଥିବା ବେଳେ କପା (ବଡ଼)ର ଦାମ୍ ୮୧୧୦ ଟଙ୍କାକୁ ବୃଦ୍ଧି ପାଇଛି। ଚାଷୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଶୋଧିତ ସୁଧ ରିହାତି ଯୋଜନାକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଛି। କିଷାନ କ୍ରେଡିଟ୍ କାର୍ଡ (କେସିସି)ରେ ଚାଷୀମାନେ ୭ ପ୍ରତିଶତ ସୁଧରେ ଓ ୧.୫ ପ୍ରତିଶତ ସୁଧ ରିହାତି ସହିତ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଯେଉଁ ଚାଷୀମାନେ ତ୍ବରିତ ଋଣ ପରିଶୋଧ କରିବେ ସେମାନଙ୍କୁ ୩ ପ୍ରତିଶତ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ। ଫଳରେ କେସିସି ଋଣରେ ସେମାନଙ୍କ ପାଇଁ ସୁଧ ୪ ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇପାରିବ। ପଶୁପାଳନ ଓ ମତ୍ସ୍ୟଚାଷ ଉଦ୍ଦେଶ୍ୟରେ ନିଆଯାଉଥିବା ଋଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଲେ, ସେଥିରେ ସୁଧ ରିହାତି ଲାଗୁ ହେବ।