କଲମ୍ବୋ: ମୁଦ୍ରାସ୍ଫୀତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଅତି ମାତ୍ରାରେ ମହଙ୍ଗା ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ସୁପର୍ମାର୍କେଟ୍ରେ ପନିପରିବା ଦର ୨ଗୁଣ ହୋଇଯିବା ସହ ଚାଉଳ ଓ ଗହମ ଆଦି ପ୍ରଧାନ ଖାଦ୍ୟ ଯଥାକ୍ରମେ ଟ. ୨୨୦/- ଏବଂ ଟ. ୧୯୦/-ରେ ବିକ୍ରୟ ହେଉଛି।
ସେହିପରି, ଚିନି କିଲୋ ଟ. ୨୪୦/-, ନଡ଼ିଆତେଲ ଲିଟର୍ ଟ. ୮୫୦/-, ଅଣ୍ଡା ଗୋଟିକୁ ଟ.୩୦/ ଓ ଗୁଣ୍ଡ ଦୁଗ୍ଧ କିଲୋପିଛା ଟ.୧୯୦୦/- ବିକ୍ରୟ ହେଉଛି।
ଫେବ୍ରୁଆରି ମାସରେ ଶ୍ରୀଲଙ୍କାରେ ଖୁଚୁରା ବିକ୍ରୟ କ୍ଷେତ୍ରରେ ମୁଦ୍ରାସ୍ଫୀତି ୧୭.୫%ରେ ପହଞ୍ଚି ସାରିଥିବା ବେଳେ ଖାଦ୍ୟ ବିକ୍ରୟ କ୍ଷେତ୍ରରେ ମୁଦ୍ରସ୍ଫୀତି ୨୫% ବୃଦ୍ଧି ପାଇସାରିଛି। ଏହାଛଡ଼ା, ଔଷଧ ଏବଂ ଗୁଣ୍ଡଦୁଗ୍ଧ ମଧ୍ୟ ମିଳୁନାହିଁ।
ବିଭିନ୍ନ ସାମଗ୍ରୀ ଅଭାବ ଓ ଅର୍ଥନୈତିକ ସଙ୍କଟ ଯୋଗୁଁ ସରକାରଙ୍କ ଉପରେ ଜନସାଧାରଣଙ୍କ କ୍ରୋଧ ବୃଦ୍ଧି ପାଉଛି। ରାଜଧାନୀ କଲମ୍ବୋ ସମେତ ଦେଶର ଅନେକ ଅଞ୍ଚଳରେ ପ୍ରତିବାଦ ଆରମ୍ଭ ହୋଇଛି। ଦେଶର ଏଭଳି ସଙ୍କଟଜନକ ପରିସ୍ଥିତି ପାଇଁ ରାଜପକ୍ଷେ ସରକାରଙ୍କୁ ସେମାନେ ଦାୟୀ କରୁଛନ୍ତି।
ଦେଶବ୍ୟାପୀ ଚାଲିଥିବା ପ୍ରତିବାଦକୁ ଚପାଇବା ଲାଗି ରାଷ୍ଟ୍ରପତି ଗୋତବୟେ ରାଜପକ୍ଷେ ୩୬ ଘଣ୍ଟା କର୍ଫ୍ୟୁ ପରେ ରାଷ୍ଟ୍ରୀୟ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି।