ଷ୍ଟକ୍ହୋମ: ଅର୍ଥଶାସ୍ତ୍ର ପାଇଁ ୨୦୧୭ ମସିହାର ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରିଚାର୍ଡ ଥେଲରଙ୍କୁ ପ୍ରଦାନ କରାଯାଇଛି । ବ୍ୟବହାରିକ ଅର୍ଥନୀତିର ଜଟିଳ ଦିଗଗୁଡ଼ିକର ସରଳ ଓ ପ୍ରଭାବଶାଳୀ ବିଶ୍ଳେଷଣ କରିବାରେ ରିଚାର୍ଡ ଅନନ୍ୟ ସଫଳତା ହାସଲ କରିଛନ୍ତି। ତାଙ୍କର ଏହି କୃତୀ ପାଇଁ ନୋବେଲ ପୁରସ୍କାର ଦିଆଯାଇଥିବା ସ୍ୱିଡେନ ନୋବେଲ ଏକାଡେମି ଅଫ୍୍ ରୟାଲ ସାଇନ୍୍ସ ଘୋଷଣା କରିଛି। ବ୍ୟକ୍ତିର ନିଷ୍ପତ୍ତି ଅର୍ଥନୀତି ଏବଂ ମନୋବୈଜ୍ଞାନିକ କ୍ଷେତ୍ରରେ କିଭଳି ପ୍ରଭାବ ପକାଉଛି ତାହାର ସଫଳ ବ୍ୟାଖ୍ୟା କରିବାରେ ରିଚାର୍ଡ ସକ୍ଷମ ହୋଇଛନ୍ତି। ଅର୍ଥନୀତି ପାଇଁ ନୋବେଲ ଦୌଡ଼ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନଙ୍କ ସମେତ ଆଉ ୫ ଜଣ ମଧ୍ୟ ସାମିଲ ଥିଲେ। କିନ୍ତୁ ଶେଷରେ ରିଚାର୍ଡ ହିଁ ସମସ୍ତଙ୍କ ଆଗରେ ରହି ବାଜି ମାରିଥିଲେ। ନୋବେଲ ଏକାଡେମୀ ପକ୍ଷରୁ କୁହାଯାଇଛି ଯେ ଥେଲର ବ୍ୟବହାରିକ ଅର୍ଥନୀତିରେ ନୂଆ ଦିଗନ୍ତ ସୃଷ୍ଟି କରିଛନ୍ତି।
କୌଣସି ବ୍ୟକ୍ତି ଆର୍ଥିକ ନିଷ୍ପତ୍ତି ନେଲା ବେଳେ ଏହା ପଛରେ ଥିବା ମନୋବୈଜ୍ଞାନିକ କାରଣ କିଭଳି ସ୍ଥିତିକୁ ପ୍ରଭାବିତ କରିଥାଏ ଏବଂ ଏହାର ଦୂରଗାମୀ ପରିଣାମ କ’ଣ ହୋଇଥାଏ ରିଚାର୍ଡ ତାହାର ସୂକ୍ଷ୍ମ ଅନୁଧ୍ୟାନ କରିଛନ୍ତି। ଏଥିପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି । ପୁରସ୍କାର ବାବଦରେ ରିଚାର୍ଡଙ୍କୁ ୧.୧ ମିଲିୟନ ଡଲାର (ପ୍ରାୟ ୭ କୋଟି ଟଙ୍କା) ମିଳିବ। ୧୨ ସେପ୍୍ଟେମ୍ବର, ୧୯୪୫ରେ ଆମେରିକାରେ ଜନ୍ମିତ ଅର୍ଥନୀତିଜ୍ଞ ରିଚାର୍ଡ ଏବେ ସିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ଅର୍ଥଶାସ୍ତ୍ର ସମ୍ବନ୍ଧୀୟ ଅନେକ ବିଖ୍ୟାତ ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି। ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପ୍ରଦାନ ପ୍ରକ୍ରିୟା ୧୯୬୮ରୁ ଆରମ୍ଭ ହୋଇଥିଲା। ନୋବୋଲ ପୁରସ୍କାର ପ୍ରକ୍ରିୟା ଆରମ୍ଭ ହେବାର ବହୁ ବର୍ଷ ପରେ ଅର୍ଥଶାସ୍ତ୍ରକୁ ଏଥିରେ ସାମିଲ କରାଯାଇଥିଲା।