ନୂଆଦିଲ୍ଲୀ: ରବିବାର ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ଜିତିଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ସାନ୍ତ୍ବନା ମୂଳକ ଭାବେ ବିଜୟୀ ହୋଇଛି।
ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଅନେକ ନେତା ଏମିତି ଅଛନ୍ତି ଯେଉଁମାନେ ୫ଥର କିମ୍ବା ୫ରୁ ଅଧିକ ଥର ବିଧାୟକ ରହିଛନ୍ତି, କିନ୍ତୁ ଚଳିତ ନିର୍ବାଚନରେ ସେମାନେ ନିଜର ଆସନ ହରାଇ ଦେଇଛନ୍ତି।
ପୁରୁଣା ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବା ପ୍ରାର୍ଥୀ ହେଉଛନ୍ତି ଈଶ୍ବର ସାହୁ। ଛତିଶଗଡ଼ର ବେମେତରା ଜିଲ୍ଲାରେ ସାଜା ଆସନରୁ କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ର ଚୌବେଙ୍କୁ ବିଜେପିର ପ୍ରାର୍ଥୀ ଈଶ୍ବର ସାହୁ ହରାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଛଅଥର ବିଧାୟକ ରହିଥିବା ରବୀନ୍ଦ୍ରଙ୍କୁ ଈଶ୍ବର ୫,୧୯୬ଟି ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି।
ନିର୍ବାଚନ ଲଢ଼ିବା ପୂର୍ବରୁ ଈଶ୍ବର ସାହୁ ନାଗପୁରରେ ପରିବା ବିକ୍ରି କରିବା ସହିତ ରିକ୍ସା ଚଲାଇ ପରିବାରର ପେଟ ପୋଷୁଥିଲେ। ପରେ ସେ ଜଣେ ସାଧାରଣ କର୍ମୀ ଭାବେ ବିଜେପି ସହିତ ସଂପୃକ୍ତ ହୋଇଥିଲେ।
ବିଧାନସଭା ନିର୍ବାଚନରେ ଈଶ୍ବର ସାହୁଙ୍କୁ ପ୍ରାର୍ଥୀ କରି ବିଜେପି ରାଜ୍ୟରେ ତାଙ୍କ ଛବିକୁ ହିନ୍ଦୁତ୍ବର ପ୍ରସଙ୍ଗ କରିଥିଲା, ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ଘୋଷଣା ପରେ ବିଜେପି ପକ୍ଷରେ ଯାଇଥିବା ଦେଖିବାକୁ ମିଳିଛି।
ଈଶ୍ବର ସାହୁଙ୍କ ସମ୍ପତ୍ତି କଥା କହିବାକୁ ଗଲେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ସୂଚନା ଅନୁସାରେ ଈଶ୍ବର ସାହୁଙ୍କ ପାଖରେ ୧୧ଲକ୍ଷ ୫୦ହଜାର ୨୭୦ଟଙ୍କାର ନଗଦ ଟଙ୍କା ରହିଛି, ଯାହାକି ବିଜେପି ନେତାମାନେ ତାଙ୍କୁ ଦେଇଥିଲେ। ସେହିପରି ତାଙ୍କ ସ୍ତ୍ରୀ ସତୀ ସାହୁଙ୍କ ନାମରେ ୫ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ବିଧାନସଭା ନିର୍ବାଚନରେ ୫ହଜାରରୁ ଅଧିକ ଭୋଟରେ ଜିତିଥିବା ଈଶ୍ବର ସାହୁ ସବୁଠାରୁ ରାଜ୍ୟର ଗରିବ ବିଧାୟକ।