ନୂଆଦିଲ୍ଲୀ : ଆପଣ କଣ ଭୂତ, ପ୍ରେତ, ଆତ୍ମା ଆଦିରେ ବିଶ୍ବାସ କରନ୍ତି ? ଏହାର ଉତ୍ତରରେ ଆପଣ ଉଭୟ ହଁ କିମ୍ବା ନା କହିପାରନ୍ତି । କିନ୍ତୁ ଆଧୁନିକ ବିଜ୍ଞାନ କ’ଣ ଏଥିରେ ବିଶ୍ବାସ କରେ କି ବୋଲି ଯଦି ପ୍ରଶ୍ନ ହୁଏ ତେବେ ଆପଣଙ୍କ ଉତ୍ତର ନିଶ୍ଚିତ ଭାବେ ନା ହେବ । ମାତ୍ର ଯଦି ଆଇଆଇଟି ପରି ଦେଶର ଏକ ଶୀର୍ଷ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନର ନିର୍ଦ୍ଦେଶକ କହିବେ ଯେ ସେ ଭୂତ ପ୍ରେତରେ ବିଶ୍ବାସ କରନ୍ତି, ତେବେ ଆପଣ ନିଶ୍ଚିତ ଭାବେ ଆଚମ୍ବିତ ହୋଇଯିବେ ।
ଦେଶରେ ଠିକ ଏହିପରି ଏକ ଘଟଣାକୁ ନେଇ ଉଭୟ ଚର୍ଚ୍ଚା ଓ ବିବାଦ ସୃଷ୍ଟି ହୋଇଛି । ଆଇଆଇଟି କାନପୁର ପ୍ରଫେସର ଓ ନିକଟରେ ଆଇଆଇଟି ମଣ୍ଡିର ନିର୍ଦ୍ଦେଶକ ନିଯୁକ୍ତ ହୋଇଥିବା ଲକ୍ଷ୍ମୀଧର ବେହେରାଙ୍କୁ ନେଇ ଏହି ବିବାଦ ଦେଖାଦେଇଛି । ଭଗବତ ଗୀତା ଓ ଭଗବାନଙ୍କ ନାମ ସଂକର୍ତ୍ତନ ଦ୍ବାରା ଭୂତ ଭଗେଇ ଦେଇଥିବା ସେ ଏକ ଭିଡିଓରେ ପ୍ରକାଶ କରିଛନ୍ତି ।
ଏକ ୟୁଟ୍ୟୁବ ଭିଡିଓରେ ସେ କହୁଛନ୍ତି ଯେ, ୧୯୯୩ରେ ସେ ଚେନ୍ନାଇ ଯାଇ ଜଣେ ବନ୍ଧୁଙ୍କ ପରିବାରକୁ ଭୁତ କବଳରୁ ରକ୍ଷା କରିଥିଲେ । ଭଗବତ ଗୀତା ପାଠ ଓ ‘ହରେ କୃଷ୍ଣ ହରେ ରାମ’ ସଂକୀର୍ତ୍ତନ କରି ସେ ଉକ୍ତ ପରିବାରକୁ କବଳିତ କରିଥିବା ଭୁତକୁ ଭଗେଇ ଦେଇଥିଲେ । ପୂର୍ବରୁ ଏହି ଭିଡିଓକୁ ନେଇ ସେତେଟା ଚର୍ଚ୍ଚା ହୋଇ ନଥିଲେ ବି ସେ ଆଇଆଇଟି ନିର୍ଦ୍ଦେଶକ ହେବା ପରେ ବିବାଦ ସୃଷ୍ଟି ହୋଇଛି । ଜଣେ ବୈଜ୍ଞାନିକ କିପରି ଭୂତକୁ ବିଶ୍ବାସ କରିପାରନ୍ତି ? ଏପରି ପ୍ରଶ୍ନ ଅନେକ ପଚାରୁଛନ୍ତି ।
କିନ୍ତୁ ତାଙ୍କୁ ଆଇଆଇଟି ନିର୍ଦ୍ଦେଶକ ପଦବୀ ପାଇଁ ଚୟନ କରିଥିବା ବିଶେଷଜ୍ଞ ମଣ୍ଡଳୀର ଜଣେ ସଦସ୍ୟ କହିଛନ୍ତି ଯେ ଏହି ପଦବୀ ପାଇଁ ସେ ସବୁଠାରୁ ଯୋଗ୍ୟ ବ୍ୟକ୍ତି । ତାଙ୍କ ଆବେଦନ ବେଶ ସଦୃଢ ଥିଲା । ସେ ଆଇଆଇଟି ଦିଲ୍ଲୀରୁ ପିଏଚଡି କରିବା ସହ ଜର୍ମାନ ଏକ ବିଶ୍ବ ବିଦ୍ୟାଳୟରୁ ପୋଷ୍ଟ-ଡକ୍ଟରାଲ କରିଛନ୍ତି । ଏଥିସହ ସମାଜ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି। ଲକଡାଉନ୍ ସମୟରେ ସେ ପ୍ରାୟ ୮୦୦ ଲୋକଙ୍କୁ ପ୍ରତିଦିନ ମାଗଣାରେ ଖାଦ୍ୟ ଯୋଗାଇ ଚର୍ଚ୍ଚାକୁ ଆସିଥିଲେ।