ବିଜେପି ଉପରେ ନୀତୀଶ କୁମାର ରାଗିଛନ୍ତି କି ?

ନୂଆଦିଲ୍ଲୀ : ବିହାରରେ ମେଣ୍ଟ ସରକାର ଚଳାଉଥିବା ଜେଡିୟୁ  ଓ ବିଜେପି ମଧ୍ୟରେ  ଯେ ସବୁକିଛି ଠିକ ନାହିଁ ତାହା ନୀତୀଶଙ୍କ କାର୍ଯ୍ୟକଳାପରୁ ସ୍ପଷ୍ଟ ମନେହେଉଛି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ ବି ନୀତୀଶ ଯୋଗ ଦେଇନଥିଲେ ।

ଗତ କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ତିନି ତିନିଟି ହାଇପ୍ରୋଫାଇଲ କାର୍ଯ୍ୟକ୍ରମରେ ନୀତୀଶ ବିଭିନ୍ନ ଆଳ ଦେଖାଇ ଯୋଗ ଦେଇନାହାନ୍ତି । ଗତ ୧୭ ତାରିଖରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ  ଓ ଜୁଲାଇ ୨୨ରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ମାନରେ ଆୟୋଜିତ ରାତ୍ରଭୋଜନରେ ବି ନୀତୀଶ ଯୋଗ ଦେଇନଥିଲେ । ଏଥିରୁ ନୀତୀଶଙ୍କ ଅସନ୍ତୋଷ ସ୍ପଷ୍ଟ ବାରି ହୋଇଯାଉଛି ।

ନୀତୀଶଙ୍କ ଅସନ୍ତୋଷର ପ୍ରକୃତ କାରଣ ଜଣାପଡ଼ିନଥିଲେ ବି ଦୁଇ ସପ୍ତାହ ତଳେ ଘଟିଥିବା ଏକ ଘଟଣା ଏହାର କାରଣ ହୋଇପାରେ ବୋଲି କୁହାଯାଉଛି । ବିହାର ବିଧାନସଭାର ଶତବାର୍ଷିକ ସମାରୋହ ଉପଲକ୍ଷେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନିମନ୍ତ୍ରଣ ପତ୍ରରେ ନୀତୀଶଙ୍କ ନାମ ବାଦ ଦିଆଯାଇଥିଲା । ଏହାକୁ ନେଇ ଜେଡିୟୁ କ୍ଷୁବଧ ଥିବା ମନେକରାଯାଉଛି ।

ଗତ ଜୁନ ମାସରେ ହୋଇଥିବା ଅଗ୍ନିପଥ ଆନ୍ଦୋଳନ ବେଳେ ବି ବିଜେପି ଜେଡିୟୁ ମୁହାଁମୁହିଁ ହୋଇଥିଲେ । ବିଜେପି ନେତାଙ୍କ ସୁରକ୍ଷାରେ ରାଜ୍ୟ ସରକାର ବିଫଳ ହୋଇଥିବା ବିଜେପି ଅଭିଯୋଗ କରିଥିଲା ।

ସମ୍ବନ୍ଧିତ ଖବର