ନୂଆଦିଲ୍ଲୀ: ୨୦୧୮ ମସିହାରେ ନବତେଜ ଜୋହର ରାୟ ମାମଲାରେ ସୁପ୍ରିମ କୋର୍ଟ ସମଲିଙ୍ଗୀ ଯୌନ ସଂପର୍କକୁ ଅପରାଧମୁକ୍ତ କରିଛନ୍ତି। ଏହାଦ୍ବାରା ସମଲିଙ୍ଗୀ ଦମ୍ପତି ଏକତ୍ର ବସବାସ କରିପାରିବେ। କିନ୍ତୁ ସେମାନଙ୍କ ବିବାହକୁ ଆଇନଗତ ସ୍ବୀକୃତି ମାଗିବା ଲାଗି ଏଲଜିବିଟିକ୍ୟୁଆଇଏ+ ମାନେ ଏକତ୍ର ବସବାସକୁ ଏକ ମୌଳିକ ଅଧିକାର ବୋଲି ଦାବି କରିପାରିବେ ନାହିଁ। ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏଭଳି ଯୁକ୍ତି ବାଢ଼ିଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଏସକେ କୌଲ, ବିଚାରପତି ଏସଆର ଭଟ, ବିଚାରପତି ହିମା କୋହଲି ଏବଂ ବିଚାରପତି ପିଏସ୍ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମ୍ମୁଖରେ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ବିବାହ ଏକ ଆଇନଗତ ସୁବିଧା। ଏହା ବୈଧାନିକ କିମ୍ବା ସାମାଜିକ ସର୍ତ୍ତାବଳି ଉପରେ ନିର୍ଭର କରିଥାଏ।
ପ୍ରେମ ଏବଂ ସହାନୁଭୂତି ପରିପ୍ରକାଶର ଅଧିକାର ସମ୍ବିଧାନର ୧୯(୧)(କ) ଅଧୀନରେ ଆସିପାରେ। କିନ୍ତୁ ଏସବୁର ପରିପ୍ରକାଶ ପାଇଁ ଏକ ସ୍ବୀକୃତିପ୍ରାପ୍ତ ସାମାଜିକ ଆଇନଗତ ପ୍ରତିଷ୍ଠାନର ଆବଶ୍ୟକତା ନାହିଁ। ଆଇନଗତ ଏବଂ ସାମାଜିକ ସ୍ବୀକୃତି ବିନା ସମଲିଙ୍ଗୀ ବିବାହ କ୍ଷେତ୍ରରେ ପ୍ରେମ, ସହାନୁଭୂତି ଏବଂ ସାହଚର୍ଯ୍ୟ ପରିପ୍ରକାଶର ଅସମ୍ଭବତା ବିଷୟରେ ଆବେଦନକାରୀ ଜଣାଇବା ଆବଶ୍ୟକ ବୋଲି ସେ କହିଥିଲେ। ମେହେଟା ଏହା ମଧ୍ୟ କହିଥିଲେ ଯେ ଗୋଟିଏ ପଟେ ଆବେଦନକାରୀମାନେ ଯୁକ୍ତି ରଖୁଛନ୍ତି ଯେ ବ୍ୟକ୍ତିଗତ ସଂପର୍କରେ ରାଷ୍ଟ୍ରର କୌଣସି ହସ୍ତକ୍ଷେପ ରହିବା ଉଚିତ ନୁହେଁ। କିନ୍ତୁ ଅନ୍ୟପଟେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କହୁଛନ୍ତି। ଗୋଟିଏ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ବିବାହକୁ ସ୍ବୀକୃତି ଦେବା କିମ୍ବା ଆଇନଗତ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବାଲାଗି ମୌଳିକ ଅଧିକାରକୁ ବ୍ୟବହାର କରାଯାଇ ପାରିବ ନାହିଁ।
ବିପରୀତ ଭାବେ କହିଲେ କୌଣସି ସଂପର୍କକୁ ସ୍ବୀକୃତି ଦିଆନଗଲେ ତାହା କୌଣସି ବ୍ୟକ୍ତିଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରି ନଥାଏ ବୋଲି ମେହେଟା କହିଥିଲେ। ଧରନ୍ତୁ ଏକ ନୂଆ ଧର୍ମ ସୃଷ୍ଟିହୋଇ ସେଥିରେ ବିଷମଲିଙ୍ଗୀ ବିବାହକୁ ଭିନ୍ନ ରୂପରେ କରିବା ଲାଗି ବ୍ୟବସ୍ଥା ରହିଲା। ସରକାର ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଲେ। ତେବେ ନୂଆ ଆଇନ ହୋଇ ତାହାକୁ ନିୟନ୍ତ୍ରଣ କରାନଯିବା ପର୍ଯ୍ୟନ୍ତ ସେହି ଧର୍ମର ଅନୁସରଣକାରୀମାନେ ସେମାନଙ୍କ ବିବାହକୁ ସରକାର ସ୍ବୀକୃତି ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ଉପରେ ଚାପ ପକାଇ ପାରିବେ ନାହିଁ ବୋଲି ମେହଟା କହିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ଯୁକ୍ତି ବାଢ଼ିବା ସମୟରେ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ କହିଥିଲେ, ସାମାଜିକ ଏବଂ ସାଂସ୍କୃତିକ ବିବର୍ତ୍ତନର ପରୀକ୍ଷାନିରୀକ୍ଷା ପାଇଁ ଭାରତକୁ ପରୀକ୍ଷା ଭୂମି କରାଯିବା ଉଚିତ ନୁହେଁ। ଭାରତର ମନ୍ଦିରର ସ୍ଥାପତ୍ୟକୁ ଦେଖିଲେ ସମଲିଙ୍ଗୀ ସଂପର୍କ ଭାରତୀୟ ସଂସ୍କୃତିରେ କିଛି ନୂଆ କଥା ନୁହେଁ ବୋଲି ପ୍ରଧାନ ବିଚାରପତି କହିଥିଲେ। ତେବେ ଆଇନଜୀବୀ ଦ୍ବିବେଦୀ କହିଥିଲେ ଭାରତୀୟ ସଂସ୍କୃତି ଏବଂ ସମାଜର ଏହା ଅଂଶ ନୁହେଁ ବୋଲି କେହି କହୁନାହାନ୍ତି। ସେମାନଙ୍କୁ ସମ୍ମାନ ଏବଂ ମର୍ଯ୍ୟାଦା ଦିଆଯାଇଛି କିନ୍ତୁ ବିବାହ ଅଧିକାର ଦିଆଯାଇନାହିଁ। ବିବାହକୁ ନିୟନ୍ତ୍ରଣ କରୁଥିବା ସବୁ ଆଇନରେ ସନ୍ତାନ ପ୍ରସବ ମୂଳକଥା। ପ୍ରଧାନ ବିଚାରପତି ଯେତେବେଳେ ଦର୍ଶାଇଥିଲେ ଯେ ଆବେଦନକାରୀ ପସନ୍ଦର ଅଧିକାର ସଂପର୍କରେ ଯୁକ୍ତି ବାଢ଼ିଛନ୍ତି ସେତେବେଳେ ଏକାଠି ବସବାସ କରିବା ଏବଂ ସେମାନଙ୍କ ପସନ୍ଦରେ କେଉଁ ଆଇନ ପ୍ରତିବନ୍ଧକ ହୋଇଛି ବୋଲି ଦ୍ବିବେଦୀ ମତ ରଖିଥିଲେ?