କଂଗ୍ରେସ ଅମଳରେ କୂଟନୀତିଜ୍ଞମାନେ ନେହେରୁଙ୍କ ନାତି ପାଇଁ କଲେଜ ସିଟ ଯୋଗାଡ଼ କରୁଥିଲେ : ରିଜିଜୁ

ନୂଆଦିଲ୍ଲୀ : ଭାରତୀୟ କୂଟନୀତିଜ୍ଞମାନେ ଗର୍ବୀ ହୋଇଗଲେଣି ବୋଲି ରାହୁଲ ଗାନ୍ଧି ଦେଇଥିବା ବୟାନକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି । ଏହାର ଜବାବ ଦେଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ଏହାକୁ ଗର୍ବ କୁହାଯିବନାହିଁ, ଆତ୍ମ ବିଶ୍ବାସ ବୋଲି କୁହାଯିବ । ସେହିପରି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ କଂଗ୍ରେସ ଅମଳରେ ଭାରତୀୟ କୂଟନିତିଜ୍ଞମାନେ ଗାନ୍ଧିପରିବାର ପାଇଁ ପାଶ୍ଚାତ୍ୟ ବିଶ୍ବ ବିଦ୍ୟାଳୟରେ ସିଟ ଯୋଗାଡରେ ବ୍ୟସ୍ତ ଥିଲେ ।

ଲଣ୍ଡନର କେମ୍ରିଜ ବିଶ୍ବ ବିଦ୍ୟାଳୟରେ ଅନୁଷ୍ଠିତ ‘ଆଇଡିଆଜ ଫର ଇଣ୍ଡିଆ’ ଶୀର୍ଷକ ସମ୍ମିଳନୀରେ ଯୋଗ ଦେଇ ରାହୁଲ ଗତ କାଲି କହିଥିଲେ ଯେ ଭାରତୀୟ କୂଟନୀତିଜ୍ଞମାନେ ବଦଳି ଗଲେଣି, ସେମାନେ କାହା କଥା ଶୁଣୁନାହାନ୍ତି ଓ ଗର୍ବୀ ହୋଇଗଲେଣି । ଏହାର ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର କହିଥିଲେ ଯେ ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀମାନେ ସରକାରଙ୍କ ଆଦେଶ ମାନନ୍ତି ଓ ଅନ୍ୟମାନଙ୍କ ଯୁକ୍ତିକୁ କାଟି ରାଷ୍ଟ୍ରର ହିତ ପାଇଁ କାମ କରନ୍ତି ।

ଅନ୍ୟପକ୍ଷରେ ରାହୁଲଙ୍କ ଏହି ବୟାନ ଓ ଆଉ କେତେକ ବୟାନକୁ ବିଜେପି ବିରୋଧ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଥିବା ନିଜର ଘୃଣା ଯୋଗୁଁ ଦେଶକୁ ବି ଘୃଣା କରିବା ଆରମ୍ଭ କରିଦେଲେଣି ।

ସମ୍ବନ୍ଧିତ ଖବର