ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ରାଜ୍ୟସଭାରେ ବାରମ୍ବାର ଅଚଳାବସ୍ଥା ସୃଷ୍ଟି ହେବା ନେଇ ଉଦ୍‌ବେଗ ପ୍ରକାଶ କରିବା ସହ ରାଜ୍ୟସଭାକୁ ସୁରୁଖୁରୁରେ ଚଳାଇବାପାଇଁ ସାଂସଦମାନଙ୍କୁ ନିବେଦନ କରିଛନ୍ତି। ଅଗଷ୍ଟ ୭ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ଚଳିତ ଅଧିବେଶନରେ କାର୍ଯ୍ୟ ସମୟ ନଷ୍ଟ ହେବା ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଉପରେ ରିଜିଜୁ ଆଲୋକପାତ କରିଛନ୍ତି। ରିଜିଜୁ କହିଛନ୍ତି, ରାଜ୍ୟସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ୧୯୯୭ ମସିହାର ଏକ ସଂକଳ୍ପ ଉପରେ ମାନ୍ୟବର ସାଂସଦମାନେ ଦୃଷ୍ଟି ଦେବା ଉଚିତ। ଚଳିତ ଅଧିବେଶନରେ ଆମେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏପର୍ଯ୍ୟନ୍ତ ୧୮୦ଟି ତାରକା ପ୍ରଶ୍ନ, ୧୮୦ଟି ଶୂନ୍ୟକାଳ ଉପସ୍ଥାପନା ଏବଂ ୧୮୦ଟି ସ୍ବତନ୍ତ୍ର ଉଲ୍ଲେଖ ଉଠାଇବାର ସୁଯୋଗ ପାଇଥିଲୁ। ତେବେ କ୍ରମାଗତ ବିଶୃଙ୍ଖଳା ଯୋଗୁଁ ଆମେ ମାତ୍ର ୧୩ଟି ତାରକା ପ୍ରଶ୍ନ, ୫ଟି ଶୂନ୍ୟକାଳ ଉପସ୍ଥାପନା ଏବଂ ୧୭ଟି ସ୍ବତନ୍ତ୍ର ଉଲ୍ଲେଖ ଉପସ୍ଥାପନ କରିପାରିଛୁ। ବାଧାସୃଷ୍ଟି ଯୋଗୁଁ ଆମେ ଚଳିତ ଅଧିବେଶନର ୫୩ ଘଣ୍ଟା ୨୧ ମିନିଟ୍ (୭ ଅଗଷ୍ଟ, ୨୦୨୫ ଅପରାହ୍ଣ ୧ଟା ସୁଦ୍ଧା) ହରାଇଛୁ ବୋଲି ରିଜିଜୁ ଟ୍ୱିଟ୍ କରି କହିଛନ୍ତି।