ନୂଆଦିଲ୍ଲୀ: ଦେଶରେ ବାକ୍-ସ୍ବାଧୀନତାର ଅବସ୍ଥା ଭଲ ନାହିଁ ବୋଲି ସୁପ୍ରିମ୍କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଏନ୍ ଶ୍ରୀକୃଷ୍ଣଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆଇନ ମନ୍ତ୍ରୀ କିରଣ ରିଜିଜୁ ଶନିବାର କହିଛନ୍ତି, ‘ଯେଉଁମାନେ ବହୁମତରେ ନିର୍ବାଚିତ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କୁ ଗାଳିଗୁଲଜ କରନ୍ତି ସେଇମାନେ ହିଁ ଅଭିବ୍ୟକ୍ତିର ସ୍ବାଧୀନତା ନେଇ କ୍ରନ୍ଦନ କରନ୍ତି।’ ଏକ ଇଂରାଜୀ ଦୈନିକକୁ ସାକ୍ଷାତ୍କାର ଦେଇ ଶ୍ରୀକୃଷ୍ଣ କହିଥିଲେ, ‘ଆଜି ଦେଶର ପରିସ୍ଥିତି ଅତ୍ୟନ୍ତ ଖରାପ। ମୁଁ ସ୍ବୀକାର କରୁଛି, ଯଦି ମୁଁ ଏକ ସର୍ବଧାରଣ ଛକରେ ଠିଆହୋଇ କହେ ଯେ ମୁଁ ପ୍ରଧାନମନ୍ତ୍ରୀଙ୍କ ମୁହଁକୁ ପସନ୍ଦ କରେ ନାହିଁ, ତେବେ ବିନା କାରଣରେ କେହି ଆସି ମୋ ଘରେ ଚଢ଼ଉ କରିବ, ମୋତେ ଗିରଫ କରିବ ଓ ମୋତେ ଜେଲରେ ଠୁଙ୍କିଦେବ। ଆମେ ସବୁ ନାଗରିକ ଏହାକୁ ବିରୋଧ କରିବା ଉଚିତ।’ ସରକାରଙ୍କୁ ସମାଲୋଚନା କରୁଥିବା ଲୋକମାନେ ଏହି ସାକ୍ଷାତ୍କାରକୁ ସାମାଜିକ ଗଣମାଧ୍ୟମରେ ବ୍ୟାପକଭାବେ ସେୟାର କରିଛନ୍ତି।
ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ ରିଜିଜୁ କହିଲେ ଯେ ଏହି ଲୋକମାନେ କେବେ ବି ଇନ୍ଦିରା ଗାନ୍ଧି ସରକାରଙ୍କ ଦ୍ବାରା ୧୯୭୫ରେ ଦେଶ ଉପରେ ଲଦିଦିଆଯାଇଥିବା ‘ଜରୁରୀ ପରିସ୍ଥିତି’ କଥା କହିବେ ନାହିଁ। ଏମାନେ କେବେ ବି କେତେକ ଆଞ୍ଚଳିକ ଦଳର ମୁଖ୍ୟମନ୍ତ୍ରୀମାନଙ୍କୁ ବି ସମାଲୋଚନା କରିବାକୁ ସାହସ କରିବେ ନାହିଁ। ଯେଉଁମାନେ ସବୁ ସମୟରେ ବିନା ବାଧାରେ ଲୋକପ୍ରିୟଭାବେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ଗାଳିଗୁଲଜ କରିବା ଅବ୍ୟାହତ ରଖିଛନ୍ତି ସେଇମାନେ ହିଁ ଅଭିବ୍ୟକ୍ତିର ସ୍ବାଧୀନତା ନେଇ କ୍ରନ୍ଦନ କରନ୍ତି। ରିଜିଜୁ ପୁଣି କହିଲେ ଯେ ଯଦି ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ ବିଚାରପତି ପ୍ରକୃତରେ ଏକଥା କହୁଛନ୍ତି, ତେବେ ତାଙ୍କର ଏହି ବିବୃତି ହିଁ ସେ ଯେଉଁ ଅନୁଷ୍ଠାନରେ କାମ କରୁଥିଲେ ତାହାର ମର୍ଯ୍ୟାଦା ହାନି କରୁଛି।