ମୁମ୍ବାଇ : ଭାରତ ଛାଡ଼ିବା ଖବରକୁ ଖଣ୍ଡନ କରିଛନ୍ତି ମୁକେଶ ଅମ୍ବାନିଙ୍କ ପରିବାର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜାରି ଏକ ବୟାନରେ କୁହାଯ଼ାଇଛି ଯେ ମୁକେଶ ଅମ୍ବାନି କିମ୍ବା ତାଙ୍କ ପରିବାର ଲଣ୍ଡନ କିମ୍ବା ବିଶ୍ବର ଅନ୍ୟ କୌଣସି ସ୍ଥାନକୁ ଯ଼ିବାର କୌଣସି ଯୋଜନା ନାହିଁ । ଲଣ୍ଡନରେ କିଣାଯାଇଥିବା କୋଠାକୁ ଏକ ଗଲ୍ଫ ଓ ସ୍ପୋର୍ଟିଂ ରିଜର୍ଟଭାବେ ବ୍ୟବହାର କରାଯିବ ।
ଏଠାରେ ଉଲ୍ଲେଖଯ଼ୋଗ୍ୟ ଯ଼େ ଟାବଲଏଡ ‘ମିଡ ଡେ’ରେ ପ୍ରକାଶିତ ରିପୋର୍ଟ ମୁତାବକ ମୁକେଶ ଲଣ୍ଡନର ବକିଂହାମସାୟାରର ଷ୍ଟୋକ ପାର୍କରେ ଥିବା ଏକ ବଙ୍ଗଳାକୁ ସେ କିଣିଛନ୍ତି । ପ୍ରାୟ ୩୦୦ ଏକର ପରିମିତ ଅଞ୍ଚଳରେ ଥିବା ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୫୯୨ କୋଟି ଟଙ୍କା ହେବ । ଏହି ବଙ୍ଗଳା ଭିତରେ ୪୯ଟି ବେଡରୁମ, ଗୋଟିଏ ଛୋଟକାଟିଆ ହସପିଟାଲ ରହିଛି । ବଙ୍ଗଳା ବାହାରେ ରହିଛି ପାର୍କ, ଗଲ୍ପ ପଡ଼ିଆ, ଏକ ଛୋଟ ଜଳାଶୟ ।
ଅମ୍ବାନି ପରିବାର ଚଳିତ ବର୍ଷର ଦୀପାବଳି ଏହି ନୂଆ ଘରେ ହିଁ ପାଳନ କରିଥିଲେ । ଆସନ୍ତା ବର୍ଷ ଏପ୍ରିଲରେ ସେମାନେ ଲଣ୍ଡନ ଯ଼ିବାର ଯ଼ୋଜନା କରିଛନ୍ତି ବୋଲି ଏହି ରିପୋର୍ଟରେ କୁହାଯ଼ାଇଥିଲା । ଏବେ ରିଲାଏନ୍ସର ସ୍ପଷ୍ଟୀକରଣ ଆସିବା ପରେ ଏହି ଚର୍ଚ୍ଚାର ଅନ୍ତ ହୋଇଛି ।