ରାଜନୈତିକ ସୁରକ୍ଷା ବଳୟରେ ଦଙ୍ଗାକାରୀ

ନୂଆଦିଲ୍ଲୀ: ୧୯୮୪ ଶିଖ୍‌ ବି‌ରୋଧୀ ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ  ରାୟ ପ୍ରଦାନ ବେଳେ ବିଭିନ୍ନ ରାଜ୍ୟରେ ହୋଇଥିବା ଦଙ୍ଗା ବିଷୟରେ ଉଲ୍ଲେଖ କରିଥିଲେ। ଖଣ୍ଡପୀଠ କହିଥିଲେ ଯେ ୧୯୮୪ ଦଙ୍ଗା ଯୋଗୁ ଦିଲ୍ଲୀରେ ଏକା‌କୀ ୨,୭୩୩ ଶିଖ୍‌ଙ୍କୁ ହତ୍ୟା କରାଯାଇଥିଲା। ଦେଶସାରା ପ୍ରାୟ ୩,୩୫୦ ଲୋକ ମରିଥିଲେ। ତେବେ ଏଭଳି ଦଙ୍ଗା ଘଟଣା ପୂର୍ବରୁ ଓ ପରେ ମଧ୍ୟ ଦେଶର ଅନ୍ୟ ଅଞ୍ଚଳଗୁଡ଼ିକରେ ଘଟିଥିବା ନଜିର ରହିଛି। ୧୯୯୩ରେ ମୁମ୍ବାଇ ଓ ୨୦୦୨ରେ ଗୁଜରାଟରେ ଏଭଳି ଗଣହତ୍ୟା ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଖାଲି ସେତିକି ନୁହେଁ, ୨୦୦୮ରେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ମଧ୍ୟ ଅନୁରୂପ ଦଙ୍ଗା ହୋଇଥିଲା ବେଳେ ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରପୁରରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି ଘଟିଥିଲା। ଉଲ୍ଲେଖ‌ଯୋଗ୍ୟ, ୨୦୦୮ ଅଗଷ୍ଟ ୨୫ ଓ ୨୮ ମଧ୍ୟରେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସଂଘଟିତ ଦଙ୍ଗାରେ ୩୯ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ଲୋକଙ୍କୁ ହତ୍ୟା କରାଯାଇଥିଲା। ଏହାଦ୍ବାରା ୫୪,୦୦୦ ଲୋକ ବାସହରା ହୋଇପଡ଼ିଥିଲେ। ହାଇକୋର୍ଟ ଖଣ୍ଡପୀଠ ଆଜି କହିଛନ୍ତି, ରାଜନୈତିକ ସୁରକ୍ଷା ବଳୟରେ ଦଙ୍ଗାକାରୀ ରହିଛନ୍ତି। ସେମାନଙ୍କୁ ସୁରକ୍ଷା ଯୋଗାଇବାକୁ ଉଦ୍ୟମ କରାଯାଉଛି।

‘ଏବେ ଟାଇଟଲର୍‌, କମଲନାଥଙ୍କ ପାଳି’
୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାର ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ଏକ ଐତିହାସିକ ନ୍ୟାୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ଶିରୋମଣି ଅକାଳି ଦଳ ନେତ୍ରୀ ହରସିମ୍ରତ କୌର ବାଦଲ। କଂଗ୍ରେସ ଦଳର ରାଜ‌ନୈତିକ ପତିଆରା ଯୋଗୁଁ ନ୍ୟାୟ ମିଳିବାରେ ବିଳମ୍ବ ହୋଇଛି। ତେବେ  ସଜ୍ଜନ କୁମାର ଦଣ୍ଡିତ ହୋଇଛନ୍ତି। ଏହାପରେ ଜଗଦୀଶ ଟାଇଟଲର ଏବଂ କମଲନାଥଙ୍କ ପାଳି ପଡ଼ିବ। ପରିଶେଷରେ ଗାନ୍ଧୀ ପରିବାରର ସଦସ୍ୟ ମଧ୍ୟ ଏଥିରୁ ବର୍ତ୍ତିବେ ନାହିଁ ବୋଲି ହରସିମ୍ରତ କୌର ବାଦଲ କହିଛନ୍ତି।
ଯନ୍ତ୍ରଣାଦାୟକ ପ୍ରତୀକ୍ଷାର ଅନ୍ତ: କେଜ୍ରିୱାଲ୍‌
୭୩ ବର୍ଷୀୟ କଂଗ୍ରେସ ନେତା ସଜ୍ଜନ କୁମାର  ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବା ରାୟକୁ  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସ୍ବାଗତ ଜଣାଇଛନ୍ତି। ନିରୀହ ପୀଡ଼ିତ ମାନଙ୍କ ପାଇଁ ଏହା ଖୁବ୍‌ ଲମ୍ବା ଏବଂ ଯନ୍ତ୍ରଣାଦାୟକ ପ୍ରତୀକ୍ଷା ଥିଲା। ଆଜି ତାହାର ଅବସାନ ଘଟିଛି ବୋଲି ସେ କହିଛନ୍ତି। ଯେତେ କ୍ଷମତାଶାଳୀ ହୋଇଥିଲେ ମଧ୍ୟ ଦଙ୍ଗାରେ ସମ୍ପୃକ୍ତ କୌଣସି ବ୍ୟକ୍ତି ବର୍ତ୍ତି ପାରିବେନି ବୋଲି ସେ କହିଛନ୍ତି।
୨୦୦୨ ଗୁଜରାଟ ଦଙ୍ଗା ମନେପକାଅ: ସିବଲ
କଂଗ୍ରେସ ନେତା କପିଲ ସିବଲ  ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲାରେ ସଜ୍ଜନଙ୍କୁ ଦଣ୍ଡାଦେଶ ହେବାପରେ ୨୦୦୨ ଗୁଜରାଟ ଦଙ୍ଗାକୁ ମନେ ପକାଇବା ପାଇଁ କହିଛନ୍ତି। ସିବଲ  ୨୦୦୨ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଘେରିଛନ୍ତି। ଏବେ କମଲନାଥଙ୍କ ମୁଖ୍ୟମନ୍ତ୍ରୀତ୍ବ ପଦ ନେଇ ପ୍ରଶ୍ନ ଉଠିଥିବା‌ବେଳେ ସିବଲ ତାଙ୍କୁ ସୁରକ୍ଷା ଦେଇ କହିଛନ୍ତି ଦଙ୍ଗା ମାମଲାରେ ଅଭିଯୁକ୍ତଙ୍କ ତାଲିକା‌ରେ କମଲନାଥଙ୍କ ନାମ ନଥିଲା।

ସମ୍ବନ୍ଧିତ ଖବର