ଗୁରୁଗ୍ରାମ: ହରିୟାଣାର ନୁହ ଜିଲ୍ଲାରେ ସୋମବାର ଆରମ୍ଭ ହୋଇଥିବା ସାମ୍ପ୍ରଦାୟିକ ହିଂସା ଯୋଗୁଁ ୬ ଜଣଙ୍କ ଜୀବନ ଯାଇଛି। ଏହି ହିଂସା ବେଳେ ନୁହର ଜଣେ ଆଡିସନାଲ ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ (ଏସିଜେଏମ୍) ଏବଂ ତାଙ୍କ ୩ ବର୍ଷର ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ କାର୍ ଉପରେ ଉତ୍ତ୍ୟକ୍ତ ଜନତା ଆକ୍ରମଣ କରିଥିଲେ ଏବଂ କାର୍ରେ ନିଆଁ ଲଗାଇ ଦେଇଥିଲେ। କିନ୍ତୁ ଏହା ପୂର୍ବରୁ ମା’-ଝିଅ କାର୍ରୁ ବାହାରି ଆସିବାରେ ସକ୍ଷମ ହୋଇଥିବାରୁ ବଞ୍ଚି ଯାଇଛନ୍ତି। ଏସିଜେଏମ୍ ଅଞ୍ଜଳି ଜୈନ ଏବଂ ତାଙ୍କ ଝିଅ ଉପରକୁ ଆକ୍ରମଣକାରୀ ଗୋଡ଼ାଇ ଗୋଡ଼ାଇ ପଥର ମାଡ଼ କରିଥିଲେ ଏବଂ ଗୁଳି ଚଳାଇଥିଲେ। ବିଚାରପତି ଏବଂ ତାଙ୍କ ଝିଅ ନୁହ ପୁରୁଣା ବସ୍ଷ୍ଟାଣ୍ଡ୍ ନିକଟସ୍ଥ ୱାର୍କସପ୍ରେ ଆଶ୍ରୟ ନେଇଥିଲେ। ଏନେଇ ସିଟି ନୁହ ଥାନାରେ ଏତଲା ରୁଜୁ ହୋଇଛି।
ଏତଲା ଅନୁଯାୟୀ ସୋମବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଏସିଜେଏମ୍, ତାଙ୍କ ୩ ବର୍ଷର ଝିଅ ଏବଂ ଗନମ୍ୟାନ୍ ସିୟାରାମ ସେମାନଙ୍କ କାର୍ରେ ନହ୍ଲାରର ଏସକେଏମ୍ ମେଡିକାଲ କଲେଜ ଯାଇଥିଲେ। ପ୍ରାୟ ୨ଟା ବେଳକୁ ସେମାନେ ମେଡିକାଲ କଲେଜରୁ ଫେରିଥିଲେ। ତେବେ ଦିଲ୍ଲୀ-ଅଲୱର ରୋଡ୍ ସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡ୍ ନିକଟରେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଦଙ୍ଗାକାରୀ ସେମାନଙ୍କ ଉପରକୁ ପଥର ମାଡ଼ କରିଥିଲେ। ପଥର ମାଡ଼ରେ ଗାଡ଼ିର କାଚ ଭାଙ୍ଗିଗଲା। ସମସ୍ତ ୪ ଜଣ ପ୍ରାଣ ବିକଳରେ ଗାଡ଼ିରୁ ଓହ୍ଲାଇ ଦୌଡ଼ିଲେ। ସେମାନେ ଏକ ବସ ଷ୍ଟାଣ୍ଡ୍ରେ ଆଶ୍ରୟ ନେଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ କାର୍କୁ ଦଙ୍ଗାକାରୀ ସଂପୂର୍ଣ୍ଣ ଜାଳି ଦେଇଥିଲେ। ଆଇପିସିର ଧାରା ୧୪୮, ୪୩୫, ୩୦୭ ଅଧୀନରେ ଉକ୍ତ ଘଟଣାରେ ଏତଲା ରୁଜୁ ହୋଇଛି।