ଇମ୍ଫାଲ: ମଣିପୁରର ଇମ୍ଫାଲ ପୂର୍ବ ଓ ପଶ୍ଚିମ ଜିଲ୍ଲାରୁ ଜଣେ ମହିଳାଙ୍କ ସମେତ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାର ତାଇରେନପୋକପି ଅଞ୍ଚଳରେ ଜଣେ ମଧ୍ୟବୟସ୍କ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି, ଯାହାଙ୍କ ମୁଣ୍ଡରେ ଗୁଳି ବାଜିଥିଲା। ଶବ ବ୍ୟବଚ୍ଛେଦ ପାଇଁ ଇମ୍ଫାଲସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ରିମ୍ସ)କୁ ପଠାଯାଇଛି। ସେହିଭଳି ଇମ୍ଫାଲ ପୂର୍ବ ଜିଲ୍ଲାର ତଖୋକ ମାପଲ ମାଖା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଉକ୍ତ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ମୃତକଙ୍କ ପିଠି ପଟେ ହାତ ବାନ୍ଧି ମୁଣ୍ଡକୁ ଗୁଳି କରାଯାଇଥିବା ଦେଖିବାକୁ ମିଳିଛି। ଏନେଇ ଏତଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଅଧିକାରୀ ଜଣକ କହିଛନ୍ତି। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ମୃତ ମହିଳା ଜଣକ ସେହି ଚାରି ଜଣ ନିଖୋଜ ବ୍ୟକ୍ତିଙ୍କ ମଧ୍ୟରୁ ଅନ୍ୟତମ ବୋଲି ଅନୁମାନ କରାଯାଉଛି, ଯେଉଁମାନଙ୍କୁ ନିକଟରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଙ୍ଗଚୁପ୍ ପାହାଡ଼ ପାଦଦେଶରୁ ଅଜ୍ଞାତ ବ୍ୟକ୍ତିମାନେ ଅପହରଣ କରି ନେଇଥିଲେ। ସୂଚନାଯୋଗ୍ୟ, ମଙ୍ଗଳବାର କାଙ୍ଗଚୁପ୍ ପାଦଦେଶରେ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିରେ ଦୁଇ ଜଣ ମଣିପୁର ପୁଲିସ କର୍ମଚାରୀ ଓ ଜଣେ ମହିଳାଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp