ଗୁଆହାଟୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାକୁ ମୁଖ୍ୟ ମାର୍ଗ ଦେଇ ସହରରେ ପ୍ରବେଶ କରିବାକୁ ଅନୁମତି ନ ମିଳିବାରୁ ଗୁଆହାଟୀରେ ପୁଲିସ ସହ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି। ଏହାକୁ ନେଇ କିଛି ସମୟ ପାଇଁ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱାଧୀନ ଆସାମ ସରକାର ସହରର ମୁଖ୍ୟ ରାସ୍ତା ଦେଇ ପ୍ରବେଶ କରିବା ବଦଳରେ ବାଇପାସ୍ ବ୍ୟବହାର କରିବାକୁ ଯାତ୍ରାକୁ ନିର୍ଦ୍ଦେଶ ଦେବା ପରେ ଏହି ସଂଘର୍ଷ ଘଟିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ରାହୁଲ ଗାନ୍ଧି ଦୂରରୁ ବସ୍‌ ଉପରେ ଛିଡ଼ା ହୋଇ ଚାହିଁଥିବା ବେଳେ ଅନେକ କଂଗ୍ରେସ ସମର୍ଥକ ଦଳୀୟ ପତାକା ଧରି ପୁଲିସ କର୍ମୀଙ୍କ ସହ ଧସ୍ତାଧସ୍ତି କରିବା ସହ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି।

Advertisment

ଏହି ଘଟଣା ପରେ ଏକ ସମାବେଶକୁ ସମ୍ବୋଧିତ କରି ଗାନ୍ଧି କହିଛନ୍ତି, ବଜରଙ୍ଗ ଦଳ ଏବଂ ଜେପି ନଡ୍ଡାଙ୍କ ରାଲି ଏହି ମାର୍ଗ ଦେଇ ନିଆଯାଇଥିଲା। କିନ୍ତୁ ସେମାନେ ଆମକୁ ଅଟକାଉଛନ୍ତି। ଆମେ କଂଗ୍ରେସ କର୍ମୀମାନେ ଶକ୍ତିଶାଳୀ, ଆମେ ବ୍ୟାରିକେଡ୍ ଭାଙ୍ଗିଛୁ କିନ୍ତୁ ଆଇନ ଭାଙ୍ଗିବୁ ନାହିଁ। କଂଗ୍ରେସ ଏହି ଯାତ୍ରାକୁ କେନ୍ଦ୍ରୀୟ ଗୁଆହାଟୀ ଦେଇ ଯିବାକୁ ଯୋଜନା କରିଥିଲା, କିନ୍ତୁ କର୍ତ୍ତୃପକ୍ଷ ସମ୍ଭାବ୍ୟ ଟ୍ରାଫିକ୍ ଭିଡ଼ ଓ ଆଇନଶୃଙ୍ଖଳା ସମସ୍ୟା ଉପୁଜିବ ବୋଲି ଦର୍ଶାଇଥିଲେ। ଏହି ନିଷ୍ପତ୍ତି ପରେ ସହରର ପ୍ରବେଶ ପଥ ଖାନାପଡ଼ା ଛକରେ ପୁଲିସର ଯଥେଷ୍ଟ ଉପସ୍ଥିତି ଦେଖିବାକୁ ମିଳିଥିଲା, ଯେଉଁଠାରେ କଂଗ୍ରେସ ସମର୍ଥକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆସାମ ପ୍ରଦେଶ କଂଗ୍ରେସ କମିଟି (ପିସିସି) ନେତାମାନେ ଦାବି କରିଛନ୍ତି ଯେ ଗୁଆହାଟୀ ସହରରେ ପ୍ରବେଶ କରିବାକୁ ବାରଣ କରାଯାଇଥିବାରୁ ସେମାନେ ବାଧ୍ୟ ହୋଇ ସେମାନଙ୍କ ମାର୍ଗ ପରିବର୍ତ୍ତନ କରିଛନ୍ତି। ଅପରାହ୍ଣ ୧ଟା ୨୦ରେ ରାହୁଲ ଗାନ୍ଧି ହାଜୋଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ଓ ଯାତ୍ରାର ଅଗ୍ରଗତି ସମ୍ପର୍କରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ରାହୁଲ ଗାନ୍ଧିଙ୍କୁ ମଧ୍ୟ ଗତକାଲି ନଗାଓଁ ଜିଲ୍ଲାରେ ଶଙ୍କରଦେବଙ୍କ ଜନ୍ମସ୍ଥାନରେ ଥିବା ମନ୍ଦିରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା।

ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ଆସାମ କାର୍ଯ୍ୟକ୍ରମକୁ ନେଇ ବର୍ତମାନ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ପୁଲିସ ଅନୁମତି ପରେ ନିର୍ଦ୍ଧାରିତ ରାସ୍ତାରେ ନଯାଇ ବେରିକେଡ୍‌ ଭାଙ୍ଗିବାକୁ ନେଇ ଆସାମର ବିଜେପି ସରକାର ରାହୁଲ ଗାନ୍ଧିଙ୍କୁ କଠୋର ସମାଲୋଚନା କରିଛି। ଅପରପକ୍ଷରେ ଶଙ୍ଗରଦେବଙ୍କ ପୀଠକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିବାରୁ ରାହୁଲ ଗାନ୍ଧି ବିଜେପିକୁ ପାଲଟା ସମାଲୋଚନା କରିଛନ୍ତି। ଏହି ପରିସ୍ଥିତିରେ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଶର୍ମା ମଙ୍ଗଳବାର ରାଜ୍ୟ ପୁଲିସ ଅଧିକାରୀଙ୍କୁ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରାରେ ଯୋଗ ଦେଇଥିବା ଲୋକଙ୍କୁ ଉସୁକାଇ ଗୁଆହାଟୀର ଆଇନଶୃଙ୍ଖଳା ସ୍ଥିତି ବିଗାଡ଼ିବାକୁ ଉଦ୍ୟମ କରିଥିବାରୁ ଏହି ମାମଲା ରୁଜୁ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଯେ ରାହୁଲ ଓ ତାଙ୍କ ସମର୍ଥକମାନେ ଯାହା କଲେ ତାହା ଆସାମର ସଂସ୍କୃତି ନୁହେଁ। ଆସାମ ଏକ ଶାନ୍ତିପ୍ରିୟ ରାଜ୍ୟ। ଏଭଳି ନକ୍ସଲ କୌଶଳ ଆସାମର ସଂସ୍କୃତି ପାଇଁ ସଂପୂର୍ଣ୍ଣ ରୂପେ ବିଦେଶୀ ଅଟେ। ଏଥିପାଇଁ ସେ ପୁଲିସ ଡିଜିଙ୍କୁ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।