ପୂର୍ବ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ଜେଲ ହେବାକୁ ନେଇ ଦକ୍ଷିଣ ଆଫ୍ରିକାରେ ଦଙ୍ଗା: ୧୦ ମୃତ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକବ ଜୁମାଙ୍କୁ ଜେଲଦଣ୍ଡ ଦିଆଯିବା ଘଟଣାରେ ଉତ୍ତେଜନା, ଦଙ୍ଗା ଓ ହିଂସାକାଣ୍ଡ ଦେଖାଦେଇଛି। ଉତ୍ତ୍ୟକ୍ତ ‌ଲୋକମାନେ ଦୋକାନବଜାର ଲୁଟ୍ କରିବା ସହ ଟାୟାର ଜାଳି ରାସ୍ତାଘାଟ ଅବରୋଧ କରିଥିଲେ। ଏହି ହିଂସାରେ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ହିଂସାକୁ ପ୍ରଶମିତ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ସୋମବାର ରାତିରେ ରାଷ୍ଟ୍ରପତି ସାଇରିଲ ରାମଫୋସା ଜାତି ଉଦ୍ଦେଶ୍ୟରେ କହିଛନ୍ତି ଯେ, ପୁଲିସ ଓ ସେନା ଶାନ୍ତିଶୃଙ୍ଖଳା ରକ୍ଷା କରିବେ। ଏଥିସହ ସେ ଜନସାଧାରଣଙ୍କୁ ଶାନ୍ତିରକ୍ଷା ପାଇଁ ଅନୁରୋଧ କରିଥିଲେ।

କୋର୍ଟ ଅବମାନନା ଅଭିଯୋଗରେ ଜୁମାଙ୍କୁ ଜେଲ ହେବା ପରେ ଗତ ସପ୍ତାହରେ କ୍ବାଜୁଲୁ ନାଟାଲ ପ୍ରଗଣାରେ ଉତ୍ତେଜନା ଦେଖାଦେଇଥିଲା। ଜୁମାଙ୍କ ଘର ଥିବା ଅଞ୍ଚଳରେ ରାସ୍ତାଘାଟ ବନ୍ଦଠାରୁ ଆରମ୍ଭ ହୋଇ ହିଂସାକାଣ୍ଡ ବଢ଼ିଥିଲା ଏବଂ ଏହା ଦେଶର ବୃହତ୍ତମ ସହର ଜୋହାନ୍ସବର୍ଗ ଏବଂ ପ୍ରଗଣାର ଜନବହୁଳ ଅଞ୍ଚଳ ଗୌଟେଙ୍ଗ ପର୍ଯ୍ୟନ୍ତ ବ୍ୟାପିଥିଲା। ପୁଲିସକୁ ଶାନ୍ତିଶୃଙ୍ଖଳା ରକ୍ଷାରେ ସହାୟତା କରିବା ପାଇଁ ସେନା ମୁତୟନ କରାଯାଇଥିଲା। ଏଥିରେ ବିଦ୍ରୋହରତ ୧୦ ଜଣ ଲୋକଙ୍କୁ ହତ୍ୟା କରାଯିବା ସହ ୪୯୦ ଜଣଙ୍କୁ ଗିରଫ କରାଯାଇଥିଲା, ଯାହା ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ବୋଲି ରାଷ୍ଟ୍ରପତି ରାମଫୋସା କହିଛନ୍ତି। ଜୁମାଙ୍କ ନାମ ନ ନେଇ ରାମଫୋସା କହିଛନ୍ତି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି କିମ୍ବା ହତାଶା ଓ କ୍ରୋଧରେ ଏପରି ହିଂସାକାଣ୍ଡ ଭିଆଯାଇ ଥାଇପାରେ। ତେବେ ଦଳେ ଲୋକ ଅରାଜକତା ସୃଷ୍ଟି କରିବା, ଦୋକାନବଜାର ଲୁଟ୍ କରିବା, ଚୋରି କରିବା ଭଳି ଆପରାଧିକ କାର୍ଯ୍ୟକୁ ଦମନ କରାଯିବା ଉଚିତ।

ସମ୍ବନ୍ଧିତ ଖବର