ବଢ଼ିଚାଲିଛି ଅଶ୍ଳୀଳ ପ୍ରତିଶୋଧ

ନୂଆଦିଲ୍ଲୀ: ଶସ୍ତା ଏବଂ ସୁବିଧାରେ ଉପଲବ୍ଧ ହେଉଥିବା ଫୋନ୍‌ ସଂଯୋଗର କୁପରିଣାମ ଏବେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ଉପରେ ବ୍ୟାପକ ଭାବରେ ପଡ଼ିଥିବା ଜଣାଯାଇଛି। କୌଣସି କାରଣରୁ ଜଣେ ସହପାଠିନୀ ସହ ଘଟିଥିବା ମଦଭେଦର ପ୍ରତିଶୋଧ ନେବା ପାଇଁ ସହପାଠୀ ଜଣକ ସୋସିଆଲ୍‌ ମିଡିଆରେ ତାହାର ନକଲି ଅଶ୍ଳୀଳ ଫଟୋ ଛାଡ଼ି ବଦନାମ କରିବାକୁ ପଛାଉନାହିଁ। ପରସ୍ପର ଭିତରେ ଥିବା ନିବିଡ଼ତାକୁ ଆଡ଼ କରି କେବଳ ରାଗ ଶୁଝାଇବା ହିଁ ମୁଖ୍ୟ ଉଦ୍ଦେଶ୍ୟ ହୋଇଛି। ଏପରିକି ବେଳେ ବେଳେ ମଧ୍ୟ ନିଜ କାମବାସନା ଚରିତାର୍ଥ କରିବା ପାଇଁ ଏପରି ସମ୍ପାଦିତ ନଗ୍ନ ଫଟୋ ଛାଡ଼ି ସଂପୃକ୍ତ କିଶୋରୀଙ୍କୁ ଧମକ ଦିଆଯାଉଛି। ବିଭିନ୍ନ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏପରି ହୀନ ଉଦ୍ଦେଶ୍ୟର ଉଦାହରଣ ବେଶି ଦେଖାଯାଉଥିବା ଜଣାଯାଇଛି। ଏହାର ଶିକାର ହେଉଥିବା କିଶୋରକିଶୋରୀମାନେ ନା ସମାଧାନ ପାଇଁ ଘଟଣାକୁ କାହା ଆଗରେ ପ୍ରକାଶ କରିପାରୁଛନ୍ତି, ନା ଏଥି ଜନିତ ଗ୍ଲାନିକୁ ସମ୍ଭାଳି ପାରୁଛନ୍ତି। ଫଳରେ ମାନସିକ ଭାରସାମ୍ୟ ହରାଇ ସେମାନେ ନାନା ଅପ୍ରୀତିକର ପରିସ୍ଥିତିକୁ ଆହ୍ଵାନ କରୁଥିବା ବେଳେ ସାରା ଶୈକ୍ଷିକ ବାତାବରଣ କଳୁଷିତ ହେବାରେ ଲାଗିଛି।

ସୂଚନାନୁଯାୟୀ, ଜଣେ ସ୍କୁଲ୍‌ ଛାତ୍ରୀଙ୍କର ଅଶ୍ଳୀଳ ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରସାରିତ ହେଉଥିବା ଖବର ତାଙ୍କୁ ସାଙ୍ଗମାନେ କହିଥିଲେ। ତେବେ ନିଜ ବାଳକବନ୍ଧୁ ପାଖକୁ ପଠାଇଥିବା ସଂପୃକ୍ତ ଫଟୋଗୁଡ଼ିକୁ ସେ ଏପରି ଅବସ୍ଥାରେ ଦେଖି ବିଚଳିତ ହୋଇପଡ଼ିଥିଲେ। ସେହିପରି ଅନ୍ୟ ଜଣେ କିଶୋରୀଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ତାଙ୍କ ଅଜାଣତରେ ଉଠାଇ ତାଙ୍କ କିଶୋରବନ୍ଧୁ ଅନ୍ୟ ବିଦ୍ୟାଳୟର ସାଙ୍ଗମାନଙ୍କ ମଧ୍ୟରେ ବାଣ୍ଟିଦେଇଥିଲେ। ସେହି ବାଳକମାନେ ଉକ୍ତ ଫଟୋକୁ ସଂପୃକ୍ତ ସ୍କୁଲଛାତ୍ରୀଙ୍କ ପାଖକୁ ପଠାଇ ଯୌନ ନିବେଦନ କରିବା ଘଟଣା ତାଙ୍କୁ ମର୍ମାହତ କରିଥିଲା। ସେହିପରି ଅନ୍ୟ ଏକ ଘଟଣାରେ ଜଣେ କିଶୋର ତାଙ୍କ ପୂର୍ବତନ ପ୍ରେମିକାଙ୍କ ଉପରେ ରାଗ ଶୁଝେଇବା ଲାଗି ତାଙ୍କର କିଛି ଫଟୋକୁ ଅଶ୍ଳୀଳ ଢଙ୍ଗରେ ସମ୍ପାଦନା କରି ସୋସିଆଲ୍‌ ମିଡିଆରେ ଛାଡ଼ିଦେଇଥିଲେ।

ଶିକାର ହେଉଛନ୍ତି ସ୍କୁଲ କିଶୋରୀ
ମାଧ୍ୟମ ସାଜିଛି ସୋସିଆଲ୍‌ ମିଡିଆ

ଅପରପକ୍ଷେ, ବେଳେ ବେଳେ ଏପରି କିଛି ନିବିଡ଼ ଫଟୋ ପ୍ରଘଟ ହେବା ପରେ ଏହାର ଫାଇଦା ନେଇ ଅନ୍ୟ କିଛି ଦୁଷ୍ଟ ପିଲା ହିଁ କେଳେଙ୍କାରୀ କରି ବସୁଛନ୍ତି। ସେମାନେ ଈର୍ଷାପରାୟଣ ହୋଇ ଉଭୟ କିଶୋରକିଶୋରୀଙ୍କୁ ବଦନାମ କରିବା ପାଇଁ ଉକ୍ତ ଫଟୋକୁ ବିକୃତ କରି ପୁଣି ପ୍ରସାରିତ କରିଦେଉଛନ୍ତି। ବେଳେ ବେଳେ ଏହାଦ୍ୱାରା ଭୀଷଣ ଭାବରେ ମାନସିକ ଆଘାତ ପାଇଥିବା ଛାତ୍ରୀମାନେ ଶିକ୍ଷାନୁଷ୍ଠାନ ଯିବା ବନ୍ଦ କରିଦେଉଛନ୍ତି। ତେବେ ଏଭଳି ମନସ୍ତାପ ବୁଝିବା ପାଇଁ ମଧ୍ୟ ନିଜ ପିତାମାତା ପ୍ରସ୍ତୁତ ନଥିବାରୁ ତାଙ୍କର ହିିନସ୍ତା ବହୁଗୁଣ ହୋଇଯାଉଛି। ତେଣୁ ଏଭଳି ସ୍ଥିତିରେ ଅଭିଭାବକମାନେ ବନ୍ଧୁତ୍ୱପୂର୍ଣ୍ଣ ସହକାରେ ନିଜ ପିଲାଙ୍କଠାରୁ ସତକଥା ଶୁଣି ସେଥିରେ ସେ ବିଚଳିତ ନହେବା ପାଇଁ ବଳ ଦେବା ଜରୁରୀ ବୋଲି ମନସ୍ତତ୍ତ୍ୱବିତ୍‌ମାନେ କହିଛନ୍ତି।

ପୁଣି ଏକ ନିର୍ଭୟା ମାମଲାରେ ଭିନ୍ନ ମୋଡ଼
ସନ୍ଦିଗ୍ଧ ଅଭିଯୁକ୍ତର ମୃତଦେହ ଉଦ୍ଧାର
ହରିଆନା: ଦିଲ୍ଲୀ ନିର୍ଭୟା ଘଟଣା ପରି ହରିଆନାରେ ଗତ ୧୫ ତାରିଖରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା ଘଟଣାର ଆଜି ଏକ ଭିନ୍ନ ମୋଡ଼ ଆସିଛି। ଘଟଣା ପଛରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଇଥବା ବେଳେ ଗତକାଲି ତାହାର ମୃତଦେହ ଉଦ୍ଧାର ହେବା ଘଟଣାକୁ ରହସ୍ୟାବୃତ୍ତ କରିଛି। ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ହେବାର ୪ ଦିନ ପରେ ପୁଲିସ କୁରୁକ୍ଷେତ୍ର ଜିଲ୍ଲାର କିରମାଚ୍‌ ଗ୍ରାମର ଏକ କେନାଲ ନିକଟରୁ ଉକ୍ତ ନାବାଳକଙ୍କ ଶବ ପାଇଛି। ଶରୀରରେ କୌଣସି ପ୍ରକାର କ୍ଷତ ନଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ତେବେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଏବଂ ଉଭୟଙ୍କୁ କେହି ହତ୍ୟା କରିଛି ବୋଲି ପୁଲିସ ସନ୍ଦେହ କରୁଛି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ଥିବା କଥାକୁ ପୀଡ଼ିତାଙ୍କ ପରିବାର ଅଗ୍ରାହ୍ୟ କରିଛନ୍ତି। ଉଲ୍ଳେଖଯୋଗ୍ୟ, ହରିଆନାର କୁରୁକ୍ଷେତ୍ର ଜିଲ୍ଲା ଅନ୍ତର୍ଗତ ଝାନ୍‌ସା ଗ୍ରାମର ୧୦ମ ଶ୍ରେଣୀରେ ପଢ଼ୁଥିବା ଉକ୍ତ ଛାତ୍ରୀ(୧୫)ଙ୍କୁ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ତାଙ୍କ ଗୁପ୍ତାଙ୍ଗରେ କୌଣସି ଧାତବ ସାମଗ୍ରୀ ଭର୍ତ୍ତି କରିଦେଇଥିଲେ। ତାଙ୍କ ଶରୀରର ୧୯ଟି ସ୍ଥାନରେ କ୍ଷତଚିହ୍ନ ରହିବା ସହ ମୁହଁ, ମୁଣ୍ଡ, ଛାତି ଏବଂ ହାତରେ ସର୍ବାଧିକ ଆଘାତ ଲାଗିଥିଲା। ଏପରିକି ପୀଡ଼ିତାଙ୍କ ଛାତି ଉପରେ ବସି ପଡ଼ିବାରୁ ତାଙ୍କ ଫୁସ୍‌ଫୁସ୍‌ ମଧ୍ୟ ଫାଟିଯାଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର