ଲକଡାଉନ ଯୋଗୁଁ ଭାରତୀୟଙ୍କ ମଧ୍ୟରେ ମାନସିକ ଅସୁସ୍ଥତା ମାମଲା ୨୦% ବୃଦ୍ଧି ପାଇଛି : ସର୍ଭେ

ନୂଆଦିଲ୍ଲୀ : କରୋନା ମହାମାରୀ ସମଗ୍ର ମାନବ ସମାଜ ପାଇଁ ଏକ ବଡ଼ ସଂକଟ ଭାବେ ଦେଖାଦେଇଛି । ଏହି ମହାମାରୀ କେବଳ ଲୋକମାନଙ୍କୁ ସ୍ୱାସ୍ଥ୍ୟଗତ ଭାବେ ଆକ୍ରାନ୍ତ କରୁନାହିଁ, ବରଂ ମଣିଷର ମାନସିକ, ସାମାଜିକ, ଅର୍ଥନୈତିକ ସ୍ଥିତିକୁ ଏହା ଦୋହଲାଇଦେଇଛି । ଏହି ମହାମାରୀ ଓ ଲକଡାଉନ ଯୋଗୁଁ ଲୋକମାନଙ୍କ ଉପରେ ମାନସିକ ଚାପ ବଢିଯାଇଛି ।

ଭାରତୀୟ ମନୋଚିକିତ୍ସା ସୋସାଇଟି (ଆଇପିଏସ)ର ଏକ ସର୍ଭେ ଅନୁସାରେ ଦେଶରେ ଲକଡାଉନ ହେବା ପରଠାରୁ ମାନସିକ ଅସୁସ୍ଥତା ମାମଲାରେ ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଛି । ପ୍ରତି ପାଞ୍ଚଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । କରୋନାକୁ ନେଇ ଆତଙ୍କ, ସାମାଜିକ କଟକଣା, ଛଟେଇ, ବ୍ୟବସାୟରେ କ୍ଷତି, ଭବିଷ୍ୟତକୁ ନେଇ ଅନିଶ୍ଚିତତା ଆଦି ଏହାର କାରଣ ବୋଲି ଏହି ସର୍ଭେରେ କୁହାଯାଇଛି । ଏସବୁ ମାନସିକ ଚାପ ଓ ଅସୁସ୍ଥତା କାରଣରୁ ଲକଡାଉନ ସମୟରେ ଆତ୍ମହତ୍ୟା ପ୍ରବଣତା ବଢିଚାଲିଛି ।

ତେବେ ଏଥିରୁ ମୁକୁଳିବାର ଉପାୟ କଣ ? ଏ ସଂପର୍କରେ ଆଇପିଏସ ପକ୍ଷରୁ କୁହାଯାଇଛି ଯେ ଏହି ଆହ୍ଵାନମୂଳକ ସମୟ ମଧ୍ୟବି ଆମକୁ ଏକ ସନ୍ତୁଳିତ ଜୀବନ ଯାପନ କରିବାକୁ ହେବ । ସନ୍ତୁଳିତ ଖାଦ୍ୟ, ଘରେ ରହି ବ୍ୟାୟାମ ଓ ଯୋଗ, ଅତ୍ୟଧିକ ଟିଭି ଓସେସିଆଲ ମିଡିଆ ବ୍ୟବହାର କରିବାରୁ ବିରତ ହେବା, ପରିବାର ସହ ଅଧିକ ସମୟ ବିତାଇବା ଓ ନିଜ ନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ଦ୍ୱାରା ଏହି ବିପଦରୁ ରକ୍ଷା ମିଳିପାରିବ ।

ସମ୍ବନ୍ଧିତ ଖବର