ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଥିବା ସମସ୍ତ ୧୦ଟି ଦଳ ଏବେ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଟିମ୍ ଇଣ୍ଡିଆର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆଗାମୀ ସିଜନରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପକ୍ଷରୁ ଖେଳିବେ। ମେଗା ନିଲାମରେ ପନ୍ତଙ୍କୁ ଏଲଏସଜି ୨୭ କୋଟି ଟଙ୍କାରେ କିଣିଥିଲା ଏବଂ ଫ୍ରାଞ୍ଚାଇଜ୍ ତାଙ୍କୁ ଆଗାମୀ ସିଜନ ପାଇଁ ଅଧିନାୟକ ଭାବେ ନିଯୁକ୍ତ କରିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଅଧିନାୟକ ଭାବେ ସେ ଲକ୍ଷ୍ନୌର ଭାଗ୍ୟ ବଦଳାଇପାରିବେ କି ?

Advertisment

ଋଷଭ ପନ୍ତ ପୂର୍ବରୁ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେଇସାରିଛନ୍ତି। ଆଇପିଏଲରେ ଅଧିନାୟକ ଭାବରେ ତାଙ୍କର ପରିସଂଖ୍ୟାନକୁ ଦେଖିଲେ ସେ ଏପର୍ଯ୍ୟନ୍ତ ୪୩ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଛନ୍ତି । ସେଥିମଧ୍ୟରୁ ସେ ୨୪ଟିରେ ବିଜୟୀ ହୋଇଥିବା ବେଳେ ୧୯ଟିରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଜଣେ ଅଧିନାୟକ ଭାବେ ସେ ୩୫ରୁ ଅଧିକ ହାରାହାରି ଓ ୧୪୩ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ ରେ ୧୨୦୫ ରନ୍ କରିଛନ୍ତି। ଏହି ସମୟରେ ସେ ୬ଟି ଅର୍ଦ୍ଧଶତକ ଖେଳିଥିବା ବେଳେ ତାଙ୍କର ସର୍ବୋଚ୍ଚ ସ୍କୋର ଅପରାଜିତ ୮୮ ରନ୍ ଥିଲା। ଏଣୁ ତାଙ୍କର ଏହି ରେକର୍ଡ ଦେଖିଲେ ଜଣାପଡ଼େ ସେ ଲକ୍ଷ୍ନୌ ଟିମକୁ ଆଗକୁ ନେଇପାରିବେ ।